ୱାଶିଂଟନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ନରହନ୍ତା। ପୋଲାଣ୍ଡ ଗସ୍ତରେ ଯାଇ ପୁତିନଙ୍କ ବିରୋଧରେ ଏଭଲି କଡ଼ା ଶବ୍ଦର ବ୍ୟବହାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାର କୌଣସି ଯଥାର୍ଥ କାରଣ ନାହିଁ। ଏଥିସହ ଏଣିକି ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।
ୟୁକ୍ରେନକୁ ନେଇ ରୁଷ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ନାଟୋରେ ବିଭାଜନ ପାଇଁ ପୁଟିନଙ୍କ ପ୍ରୟାସ ପଣ୍ଡ ହୋଇଯାଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷର ରଣନୀତି ଫେଲ ମାରିଥିବା କହିଛନ୍ତି ବାଇଡେନ୍।
ପୋଲାଣ୍ଡର ଓ୍ୱାର୍ସାରେ ବାଇଡେନ୍ ୟୁକ୍ରେନର ୨ ପ୍ରମୁଖ ମନ୍ତ୍ରୀ ଏବଂ ଶୀର୍ଷ କିଭ୍ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଗସ୍ତର ଦ୍ୱିତୀୟ ଦିନରେ ଓ୍ୱାର୍ସାର ମାରିଅଟ୍ ହୋଟେଲରେ ବାଇଡେନ୍ ଏବଂ ୟୁକ୍ରେନ୍ର ୨ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ପ୍ରଥମ ଦିନରେ ସେ ପୋଲାଣ୍ଡ ସୀମାରେ ମୁତୟନ ହୋଇଥିବା ଆମେରିକା ସୈନିକଙ୍କୁ ଭେଟିଥିଲେ।
ବୈଠକ ପରେ ବାଇଡେନ୍ ୟୁକ୍ରେନକୁ ଆର୍ଥିକ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡା ସାମରିକ ସହାୟତା ପାଇଁ ଆମେରିକୀୟ ସୈନ୍ୟ ପୋଲାଣ୍ଡରେ ରହିବେ ବୋଲି କହିଛନ୍ତି ବାଇଡେନ। ସେପଟେ ବାଇଡେନଙ୍କ ବୟାନକୁ ନେଇ ଆପତି ଜାହିର କରିଛି ରୁଷ । କହିଛି, ବାଇଡେନ୍ ଦୁଇ ଦେଶ ମଧ୍ୟରେ ଦୂରତାକୁ ବଢାଉଛନ୍ତି।
ସେପଟେ ୟୁକ୍ରେନରେ ରୁଷର ପ୍ରଥମ ପର୍ଯ୍ୟୟ ଅପରେସନ୍ ପ୍ରାୟ ଶେଷ ହୋଇଛି। ରୁଷ୍ ସୈନ୍ୟ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି। ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ପୂରା ନଷ୍ଟ ହୋଇଯାଇଛି। ଚେର୍ନିହିବରେ ମାରିୟୁପୋଲ ଠାରୁ ବି ସାଂଘାତିକ ସ୍ଥିତି ଉପୁଜିଛି। ସହର ୯୫ ପ୍ରତିଶତ ଖାଲି ହୋଇଯାଇଥିବା ବେଳେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଖାଦ୍ୟ, ପାଣି, ବିଦ୍ୟୁତ ଓ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ନାହିଁ।
ରୁଷ୍ ସୈନିକ ଦେସନା ନଦୀ ଉପରେ ଥିବା ଚେର୍ନିହିବର ମୁଖ୍ୟ ବ୍ରିଜ୍ ଭାଙ୍ଗି ଦେଇଛନ୍ତି। ଫଳରେ ଚେର୍ନିହିବରେ ରହିଯାଇଥିବା ଲୋକେ ବାହାରକୁ ଯିବା ଜଟିଳ ହୋଇଯାଇଛି ଏବଂ ସେମାନଙ୍କ ନିକଟରେ ମାନବୀୟ ସହାୟତା ବି ପହଞ୍ଚିପାରୁନି। ବର୍ତ୍ତମାନ ପୂର୍ବ ଡୋନବାସର ସୁରକ୍ଷା ଉପରେ ଅଧିକ ଫୋକସ କରାଯିବ ବୋଲି ସେନା ସ୍ପଷ୍ଟ କରିଛି। ରୁଷ ପକ୍ଷରୁ ଆକ୍ରମଣ ଜୋରଦାର ହେଉଥିବା ବେଳେ ରାଜଧାନୀ କିଭ୍ରେ ଗତକାଲି ଠାରୁ ସୋମବାର ସକାଳ ଯାଏଁ କର୍ଫ୍ୟୁ ଲଗାଯାଇଛି।
The post ବାଇଡେନଙ୍କ ବଡ ବୟାନ: ଏ ଲଢ଼େଇ ଲମ୍ବା ଚାଲିବ appeared first on Odisha Reporter.
from Odisha Reporter https://ift.tt/hnaQEcD
No comments:
Post a Comment