ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ଅତିଷ୍ଠ କଲାଣି ପାଣି ସମସ୍ୟା । ପିଇବା ପାଇଁ ପାଣି ଟୋପେ ନ ଥିବା ବେଳେ ଦୈନଦିନ ବ୍ୟବହାର ପାଇଁ ମଧ୍ୟ ପାଣିର ଅଭାବ ରହିଛି । ବାରମ୍ବାର ଅଭିଯୋଗ କରିବା ପରେ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି, କିନ୍ତୁ କାମ ହେଉନି । ଉତ୍କଳ ବିଶ୍ୱବିଦ୍ୟାଳୟ ପରି ରାଜ୍ୟର ଆଗ ଧାଡ଼ିର ବିଶ୍ୱବିଦ୍ୟାଳୟରେ ଆମେ ପ୍ରତିଦିନ ଏପରି ସମସ୍ୟାର ସମ୍ମୁଖୀନ ହେଲେ ପାଠ କ’ଣ ପଢ଼ିବୁ । ତେଣୁ ଆମେ ରାତି ଅଧରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲୁ। ’
ପାଣି ସମସ୍ୟାରେ ଅତିଷ୍ଠ ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧୀକ ଛାତ୍ରୀ ଗତକାଲି ରାତିରେ ରାସ୍ତାକୁ ଓହ୍ଲାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ନାରାବାଜି ଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଆନ୍ଦୋଳନକାରୀ ଚେତାବନୀ ମଧ୍ୟ ଦେଇଥିଲେ।
ବିଶେଷ କରି ବିଶ୍ୱବିଦ୍ୟାଳୟର ୬ ଏବଂ ୭ ନମ୍ବର ଛାତ୍ରୀନିବାସରେ ପାଣି ସମସ୍ୟା ଲାଗି ରହିଛି । ପିଇବା ପାଣି ସହ ଶୌଚ ହେବା ପାଇଁ ମଧ୍ୟ ପାଣିର ଅଭାବ ରହିଛି । ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । କେବଳ ପାଣି ନୁହେଁ, ବିଶ୍ୱବିଦ୍ୟାଳୟରେ ଆହୁରି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ କର୍ତ୍ତୃପକ୍ଷ ତାହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀ।
ମୁଖ୍ୟତଃ ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି କହିଛନ୍ତି । ଅଣଛାତ୍ର କ୍ୟାମ୍ପସ ଭିତରେ ପଶି ଛାତ୍ରୀମାନଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ହୋଇଛି । କ୍ୟାମ୍ପସ ପରିସରରେ ବିଭିନ୍ନ ସ୍ଥାନରେ ଲାଇଟ୍ ଜଳୁନଥିବା ବେଳେ ଯାତାୟତ କରିବାକୁ ଡରୁଥିବା ସେମାନେ କହିଛନ୍ତି ।
ହଷ୍ଟେଲ ଇନଚାର୍ଜ ହଷ୍ଟେଲକୁ ଆଦୌ ଆସୁ ନ ଥିବା ବେଳେ ଆମ ସମସ୍ୟା ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଭାଇସ ଚାନସେଲରଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟା ସମାଧାନ ହେଉନି। ସବୁବେଳେ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ କିଛି ପଦକ୍ଷେପ ନିଆଯାଉନି। ଯଦି ସବୁଦିନ ଆମେ ଏହିପରି ମାନସିକ ଦୁଶ୍ଚିନ୍ତାରେ ରହିବୁ, ପାଠ କ’ଣ ପଢ଼ିବୁ । ପାଠପଢ଼ା ପାଇଁ ଯେଉଁ ପରିବେଶ ଓ ମୌଳିକ ସୁବିଧା ଦରକାର ତାହା ଏଠାରେ ନାହିଁ। ବାଣୀବିହାର ପରି ୟୁନିଭରସିଟିରେ ଆମେ ପାଣି ପାଉ ନ ଥିବାରୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଛାତ୍ରୀମାନେ । ଏହି ଅଭିଯୋଗ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଖବର ପାଇ ପୁଲିସ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଳିଥିବା ବେଳେ କ’ଣ ନିଷ୍କର୍ସ ବାହାରିଲା ଜଣାପଡ଼ିନି।
The post ବାଣୀବିହାର ୟୁନିଭରସିଟିରେ ପାଣି ମିଳୁନି, ରାତି ଅଧରେ ହଙ୍ଗାମା କଲେ ଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/xgos5OH
No comments:
Post a Comment