ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ଲାଗୁଥିଲା ହିମାଚଳ ସହ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ। କାରଣ ୨୦୧୭ରେ ଉଭୟ ରାଜ୍ୟ ପାଇଁ ଗୋଟିଏ ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ସେହିପରି ଦୁଇ ରାଜ୍ୟର ରେଜଲ୍ଟ ମଧ୍ୟ ଏକାଠି ପ୍ରକାଶ ପାଇଥିଲା।
କିନ୍ତୁ ଏଥର କୌଣସି ଅଜଣା କାରଣ ପାଇଁ ନିର୍ବାଚନ କମିଶନ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି। ହେଲେ କମିଶନ ଖୁବଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୧୮୨ ଆସନ ପାଇଁ ଭୋଟିଂ ହେବ। ଡିସେମ୍ବର ୪ ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ ହେବ। ସେହିପରି ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଏକାଠି ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି।
ବର୍ତ୍ତମାନ କାର୍ଯ୍ୟରତ ଗୁଜରାଟ ବିଧାନସଭାର ଅବଧି ଫେବୃଆରୀ ୧୮ରେ ଶେଷ ହେବ। ଏହାପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛନ୍ତି। ସେହିପରି ହିମାଚଳ ପ୍ରଦେଶ ନିର୍ବାଚନର ଫଳଫଳ ଯେମିତି ଗୁଜରାଟ ନିର୍ବାଚନ ଉପରେ ନ ପଡ଼ିବ, ତା’ ଉପରେ ମଧ୍ୟ କମିଶନ ଧ୍ୟାନ ରଖିଛନ୍ତି।
ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ଭୋଟିଂ ହେବ। ଏଠାରେ ବିଜେପି କ୍ଷମତାରେ ଥିବା ବେଳେ ଦଳର ଲଢ଼େଇ ସିଧାସଳଖ କଂଗ୍ରେସ ସହ ହେବ।
କିନ୍ତୁ ଗୁଜରାଟରେ କ୍ଷମତାସୀନ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ଏଥର ଆପ୍ ମୈଦାନକୁ ଓହ୍ଲାଇଛି। ହିମାଚଳ ପ୍ରଦେଶରେ ଦୀର୍ଘ ୩୭ ବର୍ଷ ହେଲାଣି କଂଗ୍ରେସ ଓ ବିଜେପି ଅଦଳବଦଳ ହୋଇ ସରକାର ଗଠନ କରୁଛନ୍ତି। ଏହାର ଅର୍ଥ ୫ ବର୍ଷ ବିଜେପି ଶାସନ କଲେ ଆଉ ୫ ବର୍ଷ କଂଗ୍ରେସ ଶାସନ ଦେଖିବାକୁ ମିଳିଛି। କିନ୍ତୁ ଏଥର ବିଜେପି ଏହି ପରମ୍ପରାକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସ୍ଥାନ। ବିଜେପି ଏଠାରେ ୧୯୯୮ରୁ କ୍ରମାଗତ ସରକାର ଗଠନ କରି ଆସୁଛି। ଏଥର ମଧ୍ୟ ବିଜେପି ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଆପ୍ ଯେଉଁଭଳି ଭାବେ ପଞ୍ଜାବରେ କ୍ଷମତା ଦଖଲ କଲା, ତା’ର ପୁନରାବୃତ୍ତି ମଧ୍ୟ ଗୁଜରାଟରେ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳର ବରିଷ୍ଠ ନେତାମାନେ ଘନଘନ ଗୁଜରାଟ ଗସ୍ତ କରି ପ୍ରଚାର କରିବାରେ ଲାଗିଛନ୍ତି।
The post ଘୋଷଣା ହେବ ଗୁଜରାଟ ନିର୍ବାଚନ ପାଇଁ ତାରିଖ, ଡିସେମ୍ବର ୪ ସୁଦ୍ଧା ସରିବ ଭୋଟ! appeared first on Odisha Reporter.
from Odisha Reporter https://ift.tt/p3Cctlq
No comments:
Post a Comment