ବଲାଙ୍ଗିର (ସସ୍ମିତା ସାହୁ): କୋଶଳୀ ଫିଲ୍ମ ‘ଆଦିମ ବିଚାର’ର ସୁପର୍ହିଟ୍ ଗୀତ ‘ଲିକିରି ଝିକିରି ଡାଲ କୁରିଆ… ମନ କେଁ ପ୍ରଫୁଲ୍ଲ…’ରେ ଦୁଲୁକିଲା ବଲାଙ୍ଗିର ଟାଉନ୍ ହଲ୍। ଓସ୍ତାଦ ବିସମିଲ୍ଲା ଖାନ୍ ଯୁବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଏହି ଗୀତର ଗାୟକ ସର୍ବେଶ୍ୱର ଭୋଇଙ୍କ କଣ୍ଠାର ଯାଦୁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଏହାପରେ ଆରମ୍ଭ ହୋଇଥିଲା ଅନ୍ୟାନ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହା ହେଉଛି ବଲାଙ୍ଗିର ସହରରେ ପ୍ରଥମ କରି ଆରମ୍ଭ ହୋଇଥିବା ‘ଆଦିନାଚ’ ଉତ୍ସବ ସନ୍ଧ୍ୟାର ଦୃଶ୍ୟ।
ସର୍ବେଶ୍ୱରଙ୍କ ଗୀତରୁ ଆଦିନାଚ ଉତ୍ସବ ଆରମ୍ଭ ହୋଇଥିଲା। ଏହାପରେ ସର୍ବେଶ୍ୱର ଓ ତାଙ୍କ କଳାହାଣ୍ଡି ଟିମ୍ ଘୁମରା ମାଧ୍ୟମରେ ପରିବେଷଣ କରିଥିଲେ ବିଭିନ୍ନ ପ୍ରକାର ଲୋକନୃତ୍ୟ ଓ ଲୋକଗୀତ। ପରେ ପରେ ଟିଟିଲାଗଡ଼ର ଢାପ ଓ ରାୟଗଡାର ଆଦିବାସୀ ନୃତ୍ୟ ଦର୍ଶକଙ୍କ ମନମୋହିଥିଲା। ରାୟଗଡା କଳାକାରଙ୍କ ବେଶଭୂଷାରୁ ବେଶ ବାରି ହେଉଥିଲା ଆଦିବାସୀ ସଂସ୍କୃତି ଓ ପରମ୍ପରାର ଝଲକ।
ଆଦିବାସୀ ପରମ୍ପରା, ସଂସ୍କୃତି, ଲୋକନାଚ ଓ ଲୋକଗୀତକୁ ବଞ୍ଚାଇ ରଖିବା ପାଇଁ ପ୍ରଥମ ଥର ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି କୋଶଳ ଫୋକ୍ ଏକାଡେମୀ। ‘ଆଦିନାଚ ଉତ୍ସବ’ର ସନ୍ଧ୍ୟାରେ ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ନାଟ୍ୟକାର ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କୁ ଆଦିନାଚ ସମ୍ମାନରେ ସମ୍ମାନିତ କରାଯାଇଥିଲା।
from OdishaReporter https://ift.tt/2JtWZm8
No comments:
Post a Comment