ଖୁବ୍‌ଶୀଘ୍ର ନିରଞ୍ଜନଙ୍କ ନୂଆ ଟିମ୍: ଆଉ ରହିବନି ବ୍ଲକ୍ ସଭାପତି ପଦ, ବଦଳରେ ରହିବ ଏମିତି ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଖୁବ୍‌ଶୀଘ୍ର ନିରଞ୍ଜନଙ୍କ ନୂଆ ଟିମ୍: ଆଉ ରହିବନି ବ୍ଲକ୍ ସଭାପତି ପଦ, ବଦଳରେ ରହିବ ଏମିତି ବ୍ୟବସ୍ଥା

Niranjan

ଭୁବନେଶ୍ୱର (ପ୍ରକାଶ ସେଠୀ): ପିସିସି ମଙ୍ଗୁଆଳ ଦାୟିତ୍ୱ ନେବାର ପ୍ରାୟ ୩ ମାସ ପରେ ନିରଞ୍ଜନ ପଟ୍ଟନାୟକ ନିଜର ନୂଆ ଟିମ୍ ଘୋଷଣା କରିବାକୁ ଯାଉଛନ୍ତି। ପିସିସି ପକ୍ଷରୁ ପ୍ରସ୍ତୁତ ଏହି ଟିମ୍‌ରେ ଦଳର ସବୁ ଗୋଷ୍ଠୀର ନେତାଙ୍କୁ ଥଇଥାନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଟିମ୍‌ର ବିଧିବଦ୍ଧ ଘୋଷଣା ହେବ। ଏହା ସହିତ ପ୍ରଥମଥର ପାଇଁ କଂଗ୍ରେସ ଓଡ଼ିଶାରେ ଏକ ପାଇଲଟ୍ ପ୍ରୋଜେକ୍ଟ୍‌ ଭାବେ ସମସ୍ତ ବ୍ଲକ୍ ଅଧ୍ୟକ୍ଷ ପଦବୀଗୁଡ଼ିକ ଉଚ୍ଛେଦ କରି ଜୋନାଲ୍‌ସ୍ତରରେ ସଭାପତି ନିଯୁକ୍ତିକୁ ଆନୁଷ୍ଠାନିକ ମାନ୍ୟତା ଦେବ ବୋଲି ଜଣାପଡ଼ିଛି।

ଏପ୍ରିଲ ୨୦ରେ ନିରଞ୍ଜନ ପଟ୍ଟନାୟକ ପିସିସି ମୁଖିଆ ହେବା ପରେ ଖୁବଶୀଘ୍ର ପିସିସି କମିଟି ପୁନର୍ଗଠନ ହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ ୩ ମାସ ପରେ ବି ସେ ନିଜର ଟିମ୍ ଗଠନ କରିବାରେ ସକ୍ଷମ ହୋଇପାରିନଥିବାରୁ ରାଜ୍ୟରେ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ମାତ୍ର କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି ପୁନର୍ଗଠନ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ଏହା ଘୋଷଣା ହେବ।

ପିସିସିର ବିଭିନ୍ନ କମିଟିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନୂଆଦିଲ୍ଲୀରେ ଗତ ୩ଦିନ ତଳେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ୪ ଜଣ ସହପ୍ରଭାରୀ ରୁଦ୍ର ରାଜୁ, ଶେଖ୍ ମସ୍ତାନା ଭାଲି, ଅନୀଲ କୁମାର ଚୌଧୁରୀ ଓ ଆଦିତ୍ୟ ଶର୍ମାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜିବୀ ବିଶ୍ୱାଳ ଓ ନବ କିଶୋର ଦାସଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦୀର୍ଘ ସମୟ ଧରି ବିଚାରବିମର୍ଶ ପରେ ଦଳର ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ଏକ ଫର୍ମୂଲା ପ୍ରସ୍ତୁତ ହୋଇଛି। ସୂତ୍ର ଅନୁସାରେ, ଦଳର  ବରିଷ୍ଠ ନେତାମାନଙ୍କୁ ପିସିସି କାର୍ଯ୍ୟକାରିଣୀ କମିଟି (ସର୍ବୋଚ୍ଚ କମିଟି)ରେ ରଖିବାକୁ ନିଷ୍ପତ୍ତି ହୋଇଛି। ଦଳର ସମ୍ବିଧାନ ଅନୁସାରେ କାର୍ଯ୍ୟକାରିଣୀ କମିଟିରେ ୩୧ଜଣ ନେତାଙ୍କୁ ରଖିବାର ପ୍ରାବଧାନ ଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତଥର ୬୧ଜଣ ନେତାଙ୍କୁ କାର୍ଯ୍ୟକାରିଣୀ କମିଟିରେ ନିଆଯିବାକୁ ସ୍ଥିର ହୋଇଛି।

Niranjan

ଯୁବାବର୍ଗକୁ ଅଧିକ ଗୁରୁତ୍ଵ

ସେହିପରି ଦଳର ସମନ୍ୱୟ କମିଟି, ଇସ୍ତାହାର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ କୋର୍ କମିଟି ମଧ୍ୟ ଘୋଷଣା ହେବ। ଏସବୁ କମିଟିରେ କିଏ ସଦସ୍ୟ ରହିବେ ତାହା ଚୂଡ଼ାନ୍ତ ହୋଇସାରିଛି ଓ କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସେଠାରୁ ଅନୁମୋଦନ ମିଳିବା ପରେ ହିଁ ଏହି ଘୋଷଣା ହେବ। ଦଳର କିଛି ବରିଷ୍ଠ ନେତାଙ୍କୁ ନିର୍ବାଚନ କମିଟି ଓ କୋର୍ କମିଟିରେ ସାମିଲ କରାଯାଇଛି। ସେହିପରି ପିସିସି କମିଟିରେ ଯୁବ ନେତାମାନଙ୍କୁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ମିଳିଛି। ବିଶେଷକରି ଅଧିକାଂଶ ଯୁବ ନେତାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ୩ଟି ଜୋନ୍ ଦାୟିତ୍ୱରେ ଜଣେ ଲେଖାଏ କାର୍ଯ୍ୟକାରୀ ସଭାପତି ଥିବାରୁ ତାଙ୍କୁ ସହଯୋଗ କରିବାକୁ ୨ରୁ ୩ଜଣ ଲେଖାଏ ଉପସଭାପତି, ୪ଜଣ ଲେଖାଏ ସାଧାରଣ ସମ୍ପାଦକ ଓ ୧୦ରୁ ୧୨ଜଣ ଲେଖାଏ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ନିର୍ବାଚନ ବର୍ଷ ହୋଇଥିବାରୁ ୨ରୁ ୩ଜଣ ଉପସଭାପତି ଓ ୪ଜଣ ସାଧାରଣ ସମ୍ପାଦକଙ୍କୁ ଅଫିସ୍ କାର୍ଯ୍ୟ ପାଇଁ ଅବସ୍ଥାପିତ କରାଯିବ। ଦଳର ବିଭିନ୍ନ ଛାମୁଆ ସଂଗଠନ ଦାୟିତ୍ୱରେ କିଛି ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ। ଏସବୁ କମିଟି ଘୋଷଣା ହେବା ସହ ଜିଲ୍ଲାପରିଷଦ ସ୍ତରୀୟ ସଭାପତିଙ୍କ ନାମ ମଧ୍ୟ ଘୋଷଣା ହେବ। ଏବେ ସମଗ୍ର ରାଜ୍ୟରେ ଜିଲ୍ଲାପରିଷଦକୁ ଗୋଟିଏ ଲେଖାଏ ଜୋନ୍ ଭାବେ ଗ୍ରହଣ କରାଯାଇ ସେଠାରେ ସଭାପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏସବୁ ଜୋନ୍ ସଭାପତିଙ୍କ ନାମ ଘୋଷଣା କରାଯିବ। ପୂର୍ବରୁ ନିଯୁକ୍ତି ପାଇଥିବା ବ୍ଲକ୍ ସଭାପତି ପଦବୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ।

ବ୍ଲକ୍‌ ନୁହେଁ, ଏଣିକି ଜୋନ୍ ସଭାପତି

ବ୍ଲକ୍ ସଭାପତିମାନେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିପାରୁନଥିବାରୁ ଜୋନାଲ୍‌ସ୍ତରରେ ସଭାପତି ନିଯୁକ୍ତି ଦେଇ ସେମାନଙ୍କ ଅଧୀନରେ ୩୦ରୁ ୪୦ଟି ଲେଖାଏ ବୁଥ୍ ରଖାଯିବ। ଓଡ଼ିଶାରେ ପ୍ରଥମଥର ପାଇଁ ଏଆଇସିସି ଦ୍ୱାରା ପରୀକ୍ଷାମୂଳକ ଭାବେ ବ୍ଲକ୍ ସଭାପତି ପଦବୀ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି। ଏହା ସଫଳ ହେଲେ ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏହାପରେ ଦଳର ବୁଥସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି କାର୍ଯ୍ୟ ସମ୍ଭବତଃ ଅଗଷ୍ଟ ମାସରୁ ହିଁ ଆରମ୍ଭ ହୋଇଯିବ। ଯେହେତୁ ଏସବୁ କମିଟି ଘୋଷଣା ହୋଇନାହିଁ ତେଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାରେ ବିଳମ୍ବ ହେଉଛି। ତେବେ ଅଗଷ୍ଟ ୨୦ରୁ ୨୫ତାରିଖ ମଧ୍ୟରେ ରାହୁଲ ଓଡ଼ିଶା ଗସ୍ତରେ ଆସି ଦଳର ନବନିଯୁକ୍ତ କର୍ମକର୍ତ୍ତାଙ୍କ ସହ ବୈଠକ କରିବେ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି।

 



from OdishaReporter https://ift.tt/2LEcL37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages