
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶାସକ ଦଳର ନେତାମାନେ ବେଳେବେଳେ ଗୁଣ୍ଡାଗିରି କରୁଥିବା ସଂପର୍କରେ ଅଭିଯୋଗ ହୋଇଆସୁଛି। ଏବେ ଏହାର ଏକ ପ୍ରମାଣ ମିଳିଛି। ଖୋଲା ମଞ୍ଚରେ ବିଜେଡିର ଜଣେ ଯୁବ ବିଧାୟକ ସମସ୍ତଙ୍କ ସମ୍ମୁଖରେ ଜଣେ ଅସହାୟ ବ୍ୟକ୍ତିଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି। ଯାହା ସେଠି ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଏ ସଂପର୍କିତ ଏକ ଭିଡ଼ିଓ ମୋବାଇଲ୍ରୁ ମୋବାଇଲ୍କୁ ଭାଇରାଲ୍ ହେବାରେ ଲାଗିଛି। ଅନ୍ୟପକ୍ଷରେ ମାରିଦେବାକୁ ଧମକ ଦିଆଯାଇଥିବା ବ୍ୟକ୍ତି ଜଣକ ଆଜି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୂରା ଘଟଣା ଏମିତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବୋଡେନ୍ଠାରେ ଏକ ସମବାୟ ସଂସ୍ଥା ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିଲେ ଜୁନାଗଡ଼ ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର। ସଭା ଆରମ୍ଭ ହେଲା। ମଞ୍ଚ ଆଗରେ ବହୁ ଦଳୀୟ କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ବିଧାୟକ ମହାଶୟ ଭାଷଣ ଆରମ୍ଭ କଲେ। ବିଜେଡି ଶାସନର ସଫଳତା ବଖାଣି ଚାଲିଲେ। ଏହା ଶୁଣିବା ପରେ ମଞ୍ଚ ତଳେ ବସିଥିବା ଇଚ୍ଛାପୁର ଗାଁର ଟଙ୍କଧର ଖର୍ସେଲ୍ ବିଧାୟକଙ୍କ କଥାକୁ ବିରୋଧ କରିଥିଲେ। ଟଙ୍କଧରଙ୍କ କଥା ଶୁଣି ବିଧାୟକ ମହାଶୟ ରାଗିଯାଇ ଗର୍ଜି ଉଠିଥିଲେ। “ତୋତେ ଏଇଠି ମାରିଦେବି। ଏଠାରୁ ବାହାରି ଯାଆ। ଗୁଳିକରି ମାରିଦେବି।” ବୋଲି ବିଧାୟକ କହିଥିଲେ। ବିଧାୟକଙ୍କ ଏହି ମଧକପୂର୍ଣ୍ଣ ଭିଡ଼ିଓ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି। ପରେ ଖର୍ସେଲ ଏନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଟଙ୍କଧର କହିଛନ୍ତି- “ମୋର ଗୋଟିଏ ଗୋଡ଼ରେ ରକ୍ତ ଠିକ୍ ଭାବେ ସଞ୍ଚାଳନ ହେଉନଥିଲା। ତେଣୁ ଭବାନୀପାଟଣାରେ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲି। ମାତ୍ର ଭଲ ହେଲା ନାହିଁ। ପରେ କଟକ ବଡ଼ ମେଡ଼ିକାଲ ଯାଇଥିଲି। ସେଠାରେ ଡାକ୍ତର ଏକ୍ସରେ କରିବାକୁ କହିଥିଲେ। ଏଥିପାଇଁ ୮୦୦୦ ଟଙ୍କା ଖର୍ଚ୍ଚ ହେବ। ତେଣୁ ସାଥୀରେ ନେଇଥିବା ବୀମା କାର୍ଡ଼ ଡାକ୍ତରଙ୍କୁ ଦେଖାଇଥିଲି। ମାତ୍ର ଏହାକୁ ଡାକ୍ତର ମନା କରିଥିଲେ। ଶେଷରେ ୩୦୦୦ ଟଙ୍କାରେ ଔଷଧ ଧରି ଘରକୁ ଫେରିଲି। ଯେତେବେଳେ ଯନ୍ତ୍ରଣା ଅତ୍ୟଧିକ ହେଲା, ଶେଷରେ ବିଶାଖାପାଟଣା ଯାଇ ଗୋଡ଼ କାଟିବାକୁ ପଡ଼ିଥିଲା।”
ବିଧାୟକ ଦିଦ୍ୟଶଙ୍କର ନିଜର ପ୍ରତିକ୍ରିୟାରେ କହିଛନ୍ତି- “ସଂପୃକ୍ତ ଯୁଵକ ଜଣକ ଭିନ୍ନକ୍ଷମ ଵୋଲି ଜାଣିନଥିଲି। ସଭାସ୍ଥଳରେ ମହିଳାମାନଙ୍କ ଉପସ୍ଥିତିରେ ସଂପୃକ୍ତ ଯୁବକ ଖରାପ ଭାଷା ପ୍ରୟୋଗ କରିଵାରୁ ରାଗିଯାଇ ମୁଁ କହିଥିଲି।”
ବିଧାୟକ ହେଉଛନ୍ତି ଜଣେ ଜନପ୍ରତିନିଧି। ଲୋକମାନେ ତାଙ୍କୁ ବାଛିଛନ୍ତି। ସେମାନଙ୍କ କଥା ଶୁଣିବା ତାଙ୍କର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ସାଧାରଣ ଲୋକଙ୍କ କଥା ବୁଝିବା ପରିବର୍ତ୍ତେ ରାଗିବା କେତେଦୂର ଯୁକ୍ତିଯୁକ୍ତ।
ସୂଚନାରୁ ପ୍ରକାଶ, କିଛିଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ବିଧାୟକ ସମୀର ଦାଶଙ୍କ ଏକ ଭିଡ଼ିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିରେ ବିଧାୟକ ମହାଶୟ ଭାଷା ଅଭାଷା ଭୁଲି ସାଧାରଣ ଲୋକଙ୍କୁ ଗାଳି ଦେଉଥିଲେ। ସେ ଭିଡ଼ିଓ ବି ସୋଶାଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା।
from OdishaReporter https://ift.tt/2NJS8jq

No comments:
Post a Comment