
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନ୍ସର୍ରେ ପୀଡ଼ିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପୂର୍ବରୁ ତାଙ୍କ କେଶକୁ କାଟି ଛୋଟ କରି ଦିଆଯାଇଛି। କେଶ କଟା ଯାଉଥିବାର ଏକ ଭିଡିଓ ସେ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ପୋଷ୍ଟ୍ କରିଛନ୍ତି। ତାଙ୍କ ସହିତ ତାଙ୍କ ସ୍ୱାମୀ ଗୋଲ୍ଡୀ ବେହଲ୍ ମଧ୍ୟ ଅଛନ୍ତି।
ଏହି ଭିଡିଓ ସହ ସୋନାଲି ଏକ ମେସେଜ୍ ମଧ୍ୟ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି,“ଏହାକୁ ଶେୟାର କରିବା ବି ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଶା କରୁଛି ଯେ ଏହାକୁ ଦେଖି ଆପଣମାନେ ଭାବିବେ ଯେ ଏବେବି ସବୁ କିଛି ଶେଷ ହୋଇଯାଇନି।”
ସୋନାଲି ଏହି ଭିଡିଓ ଶେୟାର କରିବା ପରେ କରଣ ଜୋହରଙ୍କ ଠାରୁ ଆରମ୍ଭ କରି ପରିଣିତି ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ସମସ୍ତେ ତାଙ୍କୁ ଜଣେ ଦୃଢ଼ମନା ମହିଳା ବୋଲି କହିଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି।
କିଛି ଦିନ ତଳେ ସୋନାଲି ନିଜେ ଟ୍ୱିଟ୍ କରି ତାଙ୍କୁ କ୍ୟାନ୍ସର୍ ହୋଇଛି ବୋଲି ଜଣାଇଥିଲେ। ସେ ହାଇଗ୍ରେଡ୍ କ୍ୟାନ୍ସର୍ରେ ପୀଡ଼ିତ ହୋଇଛନ୍ତି, ଯାହା ଏବେ ଶେଷ ସ୍ତରରେ ପହଞ୍ଚିଯାଇଛି। ତାଙ୍କର ଅବହେଳା କାରଣରୁ କ୍ୟାନ୍ସର୍ ଶେଷ ସ୍ତରରେ ପହଞ୍ଚି ଯାଇଛି ବୋଲି ଡାକ୍ତରମାନେ କହିଛନ୍ତି। ଦୀର୍ଘ ଦିନ ହେଲା ସେ ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ। ଯନ୍ତ୍ରଣା ଅସହ୍ୟ ହେଲା ପରେ ଯାଇ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ଟେଷ୍ଟ୍ ପରେ ଜଣାପଡ଼ିଥିଲା ଯେ ସେ କ୍ୟାନ୍ସର୍ରେ ପୀଡ଼ିତ।
from OdishaReporter https://ift.tt/2NIgoTW
No comments:
Post a Comment