
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କୁଲ୍ଗାମ୍ରେ ସେନା ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଗତକାଲି କୁଲ୍ଗାମ୍ ଜିଲ୍ଲାରୁ ଜଣେ ପୁଲିସ୍ କନଷ୍ଟେବଳ ସଲିମ୍ ଅହମ୍ମଦ୍ ଶାହଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିବା ପରେ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ମୃତ ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ବୋଲି ପୁଲିସ୍ ସନ୍ଦେହ କରୁଛି।
ଯେଉଁଠାରୁ ଆତଙ୍କବାଦୀମାନେ ସଲିମ୍ଙ୍କୁ ଅପହରଣ କରି ନେଇଥିଲେ, ସେଠାରୁ ଦୁଇ କିଲୋମିଟର ଦୂରରେ ଏହି ଏନ୍କାଉଣ୍ଟର୍ ହୋଇଛି। ଶ୍ରୀନଗର ଠାରୁ ପ୍ରାୟ ୭୦ କିଲୋମିଟର ଦୂର କୁଲ୍ଗାମ୍ର ଖୁଦ୍ୱାନୀ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ମିଳିବା ପରେ ସିଆର୍ପିଏଫ୍, ସେନା ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ସେମାନେ ହିଁ କନଷ୍ଟେବଳ ସଲିମ୍ଙ୍କୁ ହତ୍ୟା କରିଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଥିଲା। ସର୍ଚ୍ଚ ଅପରେସନ୍ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହା ପରେ ଯବାନମାନେ ଜବାବ ଦେଇଥିଲେ। ଏଥିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।
ସଲିମ୍ କାଠୁଆରେ ଟ୍ରେନିଂ ନେଉଥିଲେ। ସେ କିଛି ଦିନ ହେବ ଛୁଟିରେ କୁଲ୍ଗାମ୍ ଆସିଥିଲେ। ଅପହରଣ କରି ନେବା ପରେ ଆତଙ୍କବାଦୀମାନେ ତାଙ୍କୁ ମାରି ଦେଇଥିଲେ। ଏକ ପଡ଼ିଆରୁ ତାଙ୍କ ଗୁଳିବିଦ୍ଧ ମୃତଦେହକୁ ଉଦ୍ଧାର କରାଯାଇଥିଲା।
from OdishaReporter https://ift.tt/2JI7Yc5
No comments:
Post a Comment