
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହାନପୁରରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମ ଅଭିଯୋଗ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା ଜଣଙ୍କ ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ନିଜ ଦେହରେ କେରୋସିନ୍ ଢାଳି ନିଜ ସହ ତାଙ୍କ ପୁଅ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଆଜି ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ତାଙ୍କ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।
ମୃତ୍ୟୁକାଳୀନ ଜମାନବନ୍ଦୀରେ ମହିଳା ଜଣଙ୍କ ପୁଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କିଛି ଲୋକ ମୋତେ ଗଣଦୁଷ୍କର୍ମ କରିଥିଲେ ହେଁ ପୁଲିସ୍ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ଏହାପରେ ଅଭିଯୁକ୍ତମାନେ ପୁଣିଥରେ ଅଗଷ୍ଟ ୧୮ରେ ମୋ ସହିତ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍ଠାରୁ ନିରାଶ ହେବା ପରେ ଆତ୍ମଦାହ କରିବାକୁ ଚାହିଁଲି ବୋଲି ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ କହିଛନ୍ତି।
ମହିଳାଙ୍କ ସ୍ୱାମୀ କହିଛନ୍ତି, “୬ ମାସ ତଳେ ୩ ଜଣ ବ୍ୟକ୍ତି ମୋ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏକଥା ଯଦି ସେ ବାହାରେ କହେ, ତା’ହେଲେ ଅଭିଯୁକ୍ତମାନେ ଆମ ପୁଅକୁ ମାରିଦେବେ ବୋଲି ଧମକ ଦେଇଥିଲେ। ସେଥିପାଇଁ ଡରରେ ମୋ ପତ୍ନୀ ମୋତେ ମଧ୍ୟ ଏକଥା କହି ନଥିଲା।”
“କିନ୍ତୁ ମାସକ ତଳେ ସେ ସବୁ କଥା ମୋ ଆଗେ କହିବା ସଙ୍ଗେସଙ୍ଗେ ପୁଲିସ୍ରେ ଅଭିଯୋଗ କରିବାକୁ ମଧ୍ୟ ରାଜି ହୋଇଥିଲା। ଆମେ ଗଣଦୁଷ୍କର୍ମ ଘଟଣା ବିରୋଧରେ ମାମଲା ରୁଜୁ କରିବାକୁ ବାରମ୍ବାର ପୁଲିସ୍ର ଦ୍ୱାରସ୍ଥ ହୋଇଥିଲୁ। କିନ୍ତୁ ପୁଲିସ୍ବାବୁମାନେ ଏଫ୍ଆଇଆର୍ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ। ଏପରି କି ଅଭିଯୁକ୍ତଙ୍କ ଠାରୁ କିଛି ଟଙ୍କା ନେଇ ମାମଲା ରଫାଦଫା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ” ବୋଲି ମୃତକ ମହିଳାଙ୍କ ସ୍ଵାମୀ କହିଛନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟରେ ଅବହେଳା କରିଥିବା ୩ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଆଇଆଇସି ଓ ୨ ଜଣ ସବ୍ ଇନ୍ସ୍ପେକ୍ଟର୍ ଅଛନ୍ତି। ସେମାନେ ଘଟଣା ସମ୍ପର୍କରେ ସବୁଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି।
ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଦେଇଥିବା ଏଫ୍ଆଇଆର୍କୁ ପୁଲିସ୍ ଗ୍ରହଣ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
from Odisha Reporter https://ift.tt/2LGs2MJ
No comments:
Post a Comment