
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଥାମ୍ପଟନ୍ରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତ ୨୭୩ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଏହା ସହିତ ପ୍ରଥମ ଇନିଂସ୍ରେ ଦଳ ମାତ୍ର ୨୭ ରନ୍ରେ ଅଗ୍ରଣୀ ରହିଛି।
ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୨୪୬ ରନ୍ କରିଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ୬ ରନ୍ କରିଛି।
ଭାରତ ପକ୍ଷରୁ ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଲମ୍ବା ଇନିଂସ୍ ଖେଳି ପାରି ନଥିଲେ। ପୂଜାରା ୨୫୭ ବଲ୍ରେ ୧୩୨ ରନ୍ କରି ଅପରାଜିତ ରହିଥିଲେ। ସେ ୧୬ଟି ଚୌକା ଲଗାଇଥିଲେ। ଏହା ତାଙ୍କର ୧୫ତମ ଟେଷ୍ଟ୍ ଶତକ। ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ଚତୁର୍ଥ ଟେଷ୍ଟ ଶତକ ହୋଇଥିବା ବେଳେ ଇଂଲଣ୍ଡରେ ଏହା ତାଙ୍କର ପ୍ରଥମ ଶତକ।
ଅଧିନାୟକ ବିରାଟ କୋହଲି ୪୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଓପନର୍ ଶିଖର ଧାୱନ୍ଙ୍କ ଖରାପ ଫର୍ମ ଜାରି ରହିଛି। ପ୍ରଥମ ଓ ତୃତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରି ନଥିବା ଧାୱନ୍ ଗତକାଲି ବି ଫେଲ୍ ମାରି ଥିଲେ। ସେ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଥିଲେ। ସେହିଭଳି ଧାୱନ୍ଙ୍କ ସହିତ ଓପନିଂ କରିବାକୁ ଆସିଥିବା ଲୋକେଶ ରାହୁଲ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ।
ଆଜିଙ୍କ୍ୟ ରାହାଣେ ୧୧ ରନ୍ କରିଥିବା ବେଳେ ଋଷଭ ପନ୍ତ୍ ଶୂନରେ ଆଉଟ୍ ହୋଇଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧, ଇଶାନ୍ତ ଶର୍ମା ୧୪ ଓ ଜଶପ୍ରିତ ବୁମ୍ରା ୬ ରନ୍ କରିଥିଲେ। ମହମ୍ମଦ ଶାମି ଶୂନରେ ଆଉଟ୍ ହୋଇଥିଲେ।
ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲ୍ଲୀ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଷ୍ଟୁଅର୍ଟ ବୋର୍ଡ ୩ଟି ୱିକେଟ୍ ନେଇଥିଲେ।
from Odisha Reporter https://ift.tt/2oz3RHf
No comments:
Post a Comment