
ଅନୁଗୋଳ(ବିରଜା ଦାଶ): ଓଡ଼ିଶାରେ ବାଘ ସଂଖ୍ୟା କମି ଯାଇଥିଲା। ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ‘କାହ୍ନା’ରୁ ସାତକୋଶିଆକୁ ଆସିଥିଲା ମହାବଳ ବାଘ। ଏହା ପରେ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକେ ଆତଙ୍କିତ ହୋଇଯାଇଥିଲେ।
ତେବେ ଲୋକଙ୍କ ଭୟ ଦୂର କରିବା ଲାଗି ବନବିଭାଗ ପାଞ୍ଚିଛି ନୂଆ ଉପାୟ। ବାଘଙ୍କୁ ଜଗିବା ଲାଗି କର୍ଣ୍ଣାଟକରୁ ଆସିବେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣପ୍ରାପ୍ତ ‘କୁମ୍କୀ’ ହାତୀ। ଏହି ହାତୀମାନେ ବାଘଙ୍କୁ ଜଗିବେ। ତାହାସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀପଲଙ୍କ ଉପଦ୍ରବ ରୋକିବା ଲାଗି ମଧ୍ୟ ଏମାନଙ୍କୁ ନିୟୋଜିତ କରାଯିବ।
ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇସାରିଛନ୍ତି। ତେବେ ୩ଟି ହାତୀ ଆଣିବା ନେଇ ରାଜ୍ୟ ବନ ବିଭାଗ କର୍ଣ୍ଣାଟକ ବନ ବିଭାଗ ସହ ଆଲୋଚନା କରୁଛି ବୋଲି ଚିଫ୍ ୱାଇଲ୍ଡ୍ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି।
କିଛି ବର୍ଷ ହେଲା ହାତୀ-ମଣିଷ ଲଢେଇ ଉଗ୍ରରୂପ ଧାରଣ କରିଛି। କେତେବେଳେ ମଣିଷ ହାତୀର ଜୀବନ ନେଉଛି ତ ଆଉ କେତେବେଳେ ନିଜେ ହାତୀ ଆକ୍ରମଣର ଶିକାର ହେଉଛି।
ପଶୁ ଓ ମଣିଷ ମଧ୍ୟରେ ଲଢେଇ ରୋକିବା ଦିଗରେ କୁମ୍କୀ ହାତୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତା’ସହିତ କୁମ୍କୀ ହାତୀଙ୍କ ସହାୟତାରେ ଦୁର୍ଗମ ଜଙ୍ଗଲରେ ପାଟ୍ରୋଲିଂ କରିବା ସହଜ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ବିଜୟ କେତନ ପଟ୍ଟନାୟକ କହିଛନ୍ତି।
କିଛି ବର୍ଷ ତଳେ କର୍ଣ୍ଣାଟକରୁ କୁମ୍କୀ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଓଡ଼ିଶା ଅଣାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟରେ ଏମାନେ ପାଟ୍ରୋଲିଂ ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
from Odisha Reporter https://ift.tt/2Nx5bVy
No comments:
Post a Comment