
ନୂଆଦିଲ୍ଲୀ: ମହାନ ରାଜନେତା ତଥା ଜନନାୟକ ଅଟଳ ବିହାରୀ ବାଜ୍ପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଚାରିଆଡ଼ୁ ନେତା ଓ ଜନତାଙ୍କ ସୁଅ ଛୁଟୁଛି।
ଆଉ ନାହାନ୍ତି ଭାରତ ରତ୍ନ ଅଟଳବିହାରୀ ବାଜ୍ପେୟୀ। ଏକଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯେଉଁ ବ୍ୟକ୍ତି ତାଙ୍କ କାର୍ଯ୍ୟରେ କବିତାରେ, ଉଦ୍ବୋଧନରେ ସବୁଥିରେ ସବୁବେଳେ ଜିତିବାର ଦମ୍ଭ ରଖୁଥିଲେ ସେ ଶେଷରେ ମୃତ୍ୟୁ ପାଖରେ ହାରିଯାଇଛନ୍ତି, ଏକଥାକୁ ବିଶ୍ୱାସ୍ କରିପାରୁ ନାହାନ୍ତି ତାଙ୍କ ଶୁଭେଚ୍ଛୁ। କିନ୍ତୁ ମୃତ୍ୟୁକୁ ଅଟକାଇଲା ଭଳି କାହାର ବା ଜୁ ଅଛି। ସବୁବେଳେ ନିଷ୍ପତ୍ତିରେ ଅଟଳ ରହୁଥିବା ଅଟଳ ଶେଷରେ ମୃତ୍ୟୁ ପାଖରେ ଟଳି ପଡ଼ିଛନ୍ତି।
ଅଟଳ ବିହାରୀ ବାଜପେୟୀ କେବଳ ଯେ ଜଣେ ମହାନ ରାଜନେତା ଥିଲେ ତା ନୁହେଁ, ସେ ଜଣେ ଖୁବ୍ ଦରଦୀ ଓ ବିଚାରଶୀଳ ମଣିଷ ମଧ୍ୟ ଥିଲେ। ସେଥିପାଇଁ ତାଙ୍କର ବିରୋଧୀମାନେ ମଧ୍ୟ ବାଜପେୟୀଙ୍କ ଭାଷଣ ଶୁଣିବାକୁ ଖୁବ୍ ପସନ୍ଦ କରୁଥିଲେ।
ଦେଢ଼ ବର୍ଷ ତଳେ ବାଜପେୟୀଙ୍କ ଜଣେ ବାଲ୍ୟ ବନ୍ଧୁ ତାଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସିଥିଲେ। ବାଜପେୟୀ ଦୀର୍ଘଦିନ ଧରି ଅସୁସ୍ଥ ଅବସ୍ଥାରେ ବିଛଣାରେ ଶୋଇଥିଲେ ମଧ୍ୟ ସେ ତାଙ୍କ ପିଲାଦିନର ବନ୍ଧୁଙ୍କୁ ଦେଖିବାମାତ୍ରେ ଚିହ୍ନିପାରିଥିଲେ। କଥା କହିପାରୁ ନଥିଲେ ବି ବନ୍ଧୁଙ୍କୁ ଦେଖିବା ମାତ୍ରେ କାନ୍ଦି ପକାଇଥିଲେ ଅଟଳ। ଆଖିରୁ ତାଙ୍କର ଧାର ଧାର ଲୁହ ବୋହିଯାଇଥିଲା।
ଅଟଳଙ୍କର ଏହି ବନ୍ଧୁ ଜଣକ ହେଲେ, ଶୈବାଲ୍ ସତ୍ୟାର୍ଥୀ। ଅଟଳ ବିହାରୀ ବାଜ୍ପେୟୀ ଶୌବାଲ୍ଙ୍କଠାରୁ ବୟସରେ ବଡ଼ ଥିଲେ। କିନ୍ତୁ ଉଭୟ ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ପଡ଼ୋଶୀ ମଧ୍ୟ ଥିଲେ। ଏଥିପାଇଁ ଅଟଳ ଓ ଶୈବାଲ୍ଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହୋଇଯାଇଥିଲା। ଶୌବାଲ୍ ବାଜ୍ପେୟୀଙ୍କୁ ଶ୍ରୀକୃଷ୍ଣ ଓ ନିଜକୁ ସୁଦାମା କହୁଥିଲେ।
ପ୍ରକୃତ ବନ୍ଧୁତା ଶିଖାଇଥିଲେ ଅଟଳ…
ସ୍କୁଲ୍ରେ ଅଟଳ ଶୈବାଲ୍ଙ୍କର ସିନିୟର୍ ଥିଲେ। ଥରେ ସ୍କୁଲରେ ଏକ ଚର୍କ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ବିଚାରକ ସିଟ୍ରେ ବସିଥିଲେ ଅଟଳ, ଆଉ ଶୈବାଲ୍ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଶୈବାଲ୍ ଜଣେ ସହପାଠିନୀଙ୍କ ସହିତ ତର୍କ କରୁଥିବା ବେଳେ ଟିକେ ଡରିଯାଇଥିଲେ। ଶୈବାଲ୍ ଭାବିଥିଲେ, ଯେ ଅଟଳ ତାଙ୍କର ଏହି ଡରକୁ ଅଣଦେଖା କରି ତାଙ୍କୁ ଭଲ ମାର୍କ ଦେବେ। କିନ୍ତୁ ଏପରି ହେଲା ନାହିଁ। ଅଟଳ ଜଣେ ବିଚାରକ ଭାବେ ତାଙ୍କ କର୍ତ୍ତବ୍ୟ କଲେ ଓ ଶୈବାଲ୍ଙ୍କୁ ଶୂନ୍ୟ ମାର୍କ ଦେଇଥିଲେ।
ଶୈବାଲ୍ ମନ ଦୁଃଖ କରି ଅଟଳଙ୍କୁ ଏହାର କାରଣ ପଚାରିବାରୁ, ସେ କହିଥିଲେ ଯେ ଯଦି ତୁମକୁ ଏଥିରେ ଭଲ ମାର୍କ ଦେଇ ଦେବି ତେବେ ତୁମର ବିକାଶ ହୋଇପାରିବ ନାହିଁ। ତୁମେ ସବୁଦିନ ଏମିତି ଭୁଲ୍ କରିବ। ଏତିକିରେ ଶୈବାଲ୍ ଅଟଳଙ୍କ କଥାର ମହତ୍ତ୍ୱ ବୁଝିପାରିଥିଲେ।
ଅଟଳ ଶୈବାଲ୍ଙ୍କ ପାଖକୁ ଆସି ତାଙ୍କୁ ପ୍ରକୃତ ବନ୍ଧୁର ଅର୍ଥ ବୁଝାଇଥିଲେ। ସେ କହିଥିଲେ, ପ୍ରକୃତ ବନ୍ଧୁ ସିଏ ନୁହେଁ, ଯିଏ ସବୁକଥାରେ ବନ୍ଧୁକୁ ସମର୍ଥନ କରିବ। ବରଂ ପ୍ରକୃତ ବନ୍ଧୁ ସିଏ, ଯିଏ ବନ୍ଧୁକୁ ଭୁଲ୍ ରାସ୍ତାରୁ ଠିକ୍ ରାସ୍ତାକୁ ଆଣିଥାଏ, ତା’ର ମାର୍ଗ ଦର୍ଶନ କରିଥାଏ।
ଉତ୍ତମ ବନ୍ଧୁ ଥିଲେ ଅଟଳ : ଅଟଳ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ବନ୍ଧୁମାନଙ୍କ ସହିତ ବେଶ୍ ସାଧାରଣ ଭାବେ ମିଳାମିଶା କରୁଥିଲେ। ଅତୀତର ଏକ ସ୍ମୃତି ମନେ ପକାଇ ଶୈବାଲ୍ କହନ୍ତି, ଅଟଳ ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇ ପ୍ରଥମେ ଗ୍ୱାଲିୟର୍ ଆସିଥିଲେ, ସେତେବେଳେ ମନରାଖନ୍ ମିଶ୍ରା ଓ ତାଙ୍କୁ ବିଶେଷ ଭାବରେ ଘରକୁ ଆମନ୍ତ୍ରଣ କରିଥିଲେ। ତିନି ବନ୍ଧୁ ହସମଜା କରିବା ପରେ ମିଳିମିଶି ଭୋଜନ କରିଥିଲେ। ଏକଥା ନିଜେ ଶୈବାଲ୍ ଗଣମାଧ୍ୟମରେ ଶେୟାର୍ କରିଛନ୍ତି।
from Odisha Reporter https://ift.tt/2vP1Drb
No comments:
Post a Comment