
ମୁମ୍ବାଇ: ସଲ୍ମାନ୍ ଖାନ୍ଙ୍କ ଫିଲ୍ମ ‘ଭାରତ’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ଏହି ଫିଲ୍ମ ଛାଡ଼ି ଦେଇଥିଲେ।
ସେ ଫିଲ୍ମ ଛାଡ଼ିବାର ଅନେକ କାରଣ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିଏ କହିଥିଲା ହଲିଉଡ୍ ଫିଲ୍ମ ଅଫର୍ ପାଇଁ ସେ ଏ ଫିଲ୍ମ ଛାଡ଼ିଥିଲେ ତ ଆଉ କିଏ କହିଥିଲା ବୟଫ୍ରେଣ୍ଡ୍ ନିକ୍ ଜୋନ୍ସଙ୍କ ସହ ଅଧିକ ସମୟ ବିତାଇବା ପାଇଁ ସେ ଏମିତି ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରିୟଙ୍କା ଏ ବିଷୟରେ ମୁହଁ ଖୋଲି ନଥିଲେ।
ଏହି ଘଟଣା ପରେ ସଲ୍ମାନ୍ କୁଆଡ଼େ ତାଙ୍କ ଉପରେ ଖୁବ୍ ରାଗି ଯାଇଥିଲା। ଏମିତି କି ତାଙ୍କ ସହ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ମଧ୍ୟ କହିଥିବା ଶୁଣିବାକୁ ମିଳିଥିଲା।
କିନ୍ତୁ ଏବେ ପ୍ରିୟଙ୍କାଙ୍କ ବେଳା ଖରାପ ପଡ଼ିଗଲା। ସୂଚନା ଅନୁଯାୟୀ, ପ୍ରିୟଙ୍କା ଯେଉଁ ଫିଲ୍ମ ପାଇଁ ସଲମାନ୍ଙ୍କ ଫିଲ୍ମ ଛାଡ଼ିଥିଲେ ସେହି ଫିଲ୍ମକୁ ସ୍ଥଗିତ ରଖାଯାଇଛି। ତାହା ନିର୍ମାଣ ହେବ କି ନାହିଁ ଠିକ୍ ନାହିଁ। ଅନ୍ୟପଟେ ସଲମାନଙ୍କ ସହ ମଧ୍ୟ ତାଙ୍କର ମତାନ୍ତର ହୋଇଯାଇଛି। ଏସବୁ ସହ୍ୟ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ୁଛି। ତେଣୁ ଏବେ ସେ ସଲମାନ୍ଙ୍କୁ ଖୁସି କରିବା ପାଇଁ ଲାଗି ପଡ଼ିଛନ୍ତି। ତାଙ୍କର ଏକ ଟ୍ୱିଟ୍ରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।
ସଲ୍ମାନ୍ଙ୍କ ନିଜ ବ୍ୟାନର୍ରେ ନିର୍ମାଣ ହେଉଥିବା ଫିଲ୍ମ ‘ଲଭ୍ରାତ୍ରୀ’କୁ ପ୍ରିୟଙ୍କା ଟ୍ୱିଟ୍ କରି ଭାରି ପ୍ରଶଂସା କରିଛନ୍ତି। ଏହାସହ ସେଥିରେ ଅଭିନୟ କରିଥିବା ସଲ୍ମାନ୍ଙ୍କ ଭିଣୋଇଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି।
ସେ ଲେଖିଛନ୍ତି,“ଆୟୁଷ ଆପଣଙ୍କୁ ଫିଲ୍ମ ଜଗତକୁ ସ୍ୱାଗତ। ଫିଲ୍ମର ଟ୍ରେଲର୍ ଦେଖିଲେ ଲାଗୁଛି ଯେ ଆପଣ ଜବରଦସ୍ତ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆପଣଙ୍କୁ ଶୁଭେଚ୍ଛା।”
ଏବେ ଦେଖିବା ବାକି ରହିଲା ସଲମାନଙ୍କ ରାଗ ଶାନ୍ତ କରାଇବାରେ ପ୍ରିୟଙ୍କା ସଫଳ ହେଉଛନ୍ତି ନା ନାହିଁ।
from OdishaReporter https://ift.tt/2nnL0ho

No comments:
Post a Comment