
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କମୁଛି ଟଙ୍କାର ମୂଲ୍ୟ ଓ ବଢୁଛି ତୈଳ ଦର। ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସକୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ବୋଲି କୁହାଯାଉଛି। ଯାହାକି ଭାରତୀୟ ଅର୍ଥବଜାର ପାଇଁ ଚିନ୍ତାର କାରଣ ପାଲଟିଛି।
ନିକଟ ଭବିଷ୍ୟତରେ ଯଦି ତୈଳ ଦର ସ୍ୱାଭାବିକ ନହୁଏ ତେବେ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରତିକୁଳ ପ୍ରଭାବ ପଡ଼ିବାର ଆଶଙ୍କା ବଢ଼ିଯାଇଛି।
କ୍ରମାଗତ ତୃତୀୟ ଦିନ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୭୭ଟଙ୍କା ୪୮ ପଇସା ଥିବାବେଳେ ଡିଜେଲ୍ ଦର ୭୫ ଟଙ୍କା ୪୧ ପଇସାରେ ପହଞ୍ଚିଛି। ଦେଶର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ଟପିଯାଇଛି। ଯାହାକୁ ନେଇ ଚିନ୍ତାରେ ଖାଉଟି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ପାଇଥିବାରୁ ଭାରତୀୟ ତୈଳ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି। କିଛି ଦିନ ହେବ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶ ସମୂହ (ଓପେକ୍) ରାଷ୍ଟ୍ର ତୈଳ ଉତ୍ପାଦନ ହ୍ରାସ କରିଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିଛି। ତେବେ ଏଥିପାଇଁ ଆମେରିକାକୁ ଦୋଷ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ। ଟ୍ରମ୍ପ ପ୍ରଶାସନର ଏକଚାଟିଆ ନୀତି ଯୋଗୁ ବିଶ୍ୱ ବଜାର ପ୍ରଭାବିତ ହୋଇଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଏପଟେ ଉଚ୍ଚ ତୈଳ ଦରକୁ ନେଇ ଦେବାଳିଆ ହେବାରେ ଲାଗିଛି ଭାରତୀୟ ମୁଦ୍ରା- ‘ରୁପି’ ବା ଟଙ୍କା। ଟଙ୍କା ତୁଳନାରେ ଡଲାରର ବିନିମୟ ମୂଲ୍ୟ ସର୍ବାଧିକ ସୀମା ଛୁଇଁଛି। ଆଜି ଟଙ୍କାର ମୂଲ୍ୟ ୨୩ ପଇସା ହ୍ରାସ ହେବା ପରେ ବିନିମୟ ମୂଲ୍ୟ ପ୍ରଥମ ଥର ଲାଗି ୭୧ଟଙ୍କାରେ ପହଞ୍ଚିଛି। ଯାହାକି ଦେଶର ଅର୍ଥନୀତି ପାଇଁ ଚିନ୍ତାଜନକ ବିଷୟ।
ତେବେ ଏହା ସାମୟିକ ଓ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ସୁଧାର ହେଲେ ଟଙ୍କା ମୂଲ୍ୟରେ ମଧ୍ୟ ସୁଧାର ଆସିବ ବୋଲି ତଥ୍ୟାଭିଜ୍ଞ ମହଲ ଆଶା ପୋଷଣ କରିଛନ୍ତି।
from Odisha Reporter https://ift.tt/2PUKIeW
No comments:
Post a Comment