
ସୋନପୁର/ବୌଦ୍ଧ(ଓଡ଼ିଶା ରିପୋର୍ଟର): ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨୫ଟି ଗେଟ୍ ଖୋଲାଯିବା ପରେ ଏବେ ନଈକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ପାଣି ଏବେ ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି। ଏହାସହ ଧୀରେ ଧୀରେ ମହାନଦୀ ଜଳସ୍ତର ବଢୁଛି। ବଢ଼ିପାଣି ବିଜେପୁର ସେତୁ ଉପରେ ପ୍ରବାହିତ ହେଉଛି। ଫଳରେ ସୋନପୁରରୁ ବିଜେପୁର ଦେଇ ବୀରମହାରାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ସେହିପରି ସୋନପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ବାଉରୀ ଯୋର ଉପରେ ମଧ୍ୟ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ, ଆଠମଲ୍ଲିକ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବିଶେଷକରି ଜିଲ୍ଲାର ଖମ୍ବଶିରିପାଲି, ନୂଆପାଲି, ଦେଉଳୀ, ନୂଆଗଡ଼, ଫୁଲଚରା, କେଉଟିପାଲି, କେଲଗାଁ ଓ କୁଞ୍ଜାମହୁଲ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ସଜାଗ ରହିଛି।
ବୌଦ୍ଧ ଜିଲ୍ଲା ଖଇରମାଲରେ ବିପଦ ସଙ୍କେତ ନିକଟତର ହୋଇଛି ମହାନଦୀ। ଏଠାରେ ମହାନଦୀର ବିପଦ ସଙ୍କେତ ୧୦୯ ମିଟର ଥିବା ବେଳେ ଏବେ ବନ୍ୟାପାଣି ୧୦୫.୪୩ ମିଟରରେ ପ୍ରବାହିତ ହେଉଛି।
ମହାନଦୀ ଫୁଲୁଥିବାରୁ ଧଳପୁରର ଜଗନ୍ନାଥ ସଡ଼କ ଉପରେ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି।
ବନ୍ୟା ଆଶଙ୍କାରେ ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକର ୩୦ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
from Odisha Reporter https://ift.tt/2BXvJOz
No comments:
Post a Comment