ଏମିତି ଉତ୍କଳ ଆସିଥିଲେ କାଞ୍ଚି ଗଣେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଏମିତି ଉତ୍କଳ ଆସିଥିଲେ କାଞ୍ଚି ଗଣେଶ

janaajanajagannath

 ଗଣେଶଙ୍କ କୋଳରେ ରହିଥିବା ଦେବୀ ଯେ, ସିଦ୍ଧିଦେବୀ ସେ ନେଇ କୌଣସି ପ୍ରମାଣ ନାହିଁ। କେବଳ ଲୋକକଥାକୁ ଆଧାର କରି କୁହାଯାଇପାରେ ଯେ, ଯେହେତୁ ଏ ହେଉଛନ୍ତି ଶୃଙ୍ଗାର ଗଣେଶ, ଏଣୁ ଏହାଙ୍କର ଏହି ମୁଦ୍ରା ପାଇଁ କାଞ୍ଚି ରାଜା ପରାସ୍ତ ହେଉ ନ ଥିଲେ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହିଛି। କୁହାଯାଏ ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ ।

ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ଏକ ବିରଳ ଗଣେଶ ପ୍ରତିମାଙ୍କ ସମ୍ପର୍କରେ, ଯାହା ଶ୍ରୀମନ୍ଦିର ଭିତର ବେଢାରେ ସ୍ଥାପିତ ହୋଇଛନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଛପଟେ ଥିବା ଏକ ମାରଦା(ବାଡ଼ିଆ ଆଟୁ) ଶୈଳୀର ମନ୍ଦିରରେ ଏହାଙ୍କୁ ସ୍ଥାପନ କରାଯାଇଛି। ଶ୍ରଦ୍ଧାଳୁମାନେ ଏହାଙ୍କୁ ଭଣ୍ଡ ଗଣେଶ ବା କାଞ୍ଚି ଗଣେଶ ଭାବେ ପୂଜା କରିଥାନ୍ତି।

କିଏ ଏ ଭଣ୍ଡ ଗଣପତି ?

କଳା ମୁଗୁନି ପଥରରେ ନିର୍ମିତ ଏହି ଗଣେଶ ମୂର୍ତ୍ତି ହେଉଛନ୍ତି ଶ୍ରୀମନ୍ଦିରରେ ପୂଜା ପାଉଥିବା ଅନ୍ୟ ପ୍ରସ୍ତର ବିଗ୍ରହମାନଙ୍କ ମଧ୍ୟରୁ ସର୍ବବୃହତ୍‌। ଦକ୍ଷିଣ ଭାରତୀୟ ଶୈଳୀରେ ଏହି ମୂର୍ତ୍ତି ନିର୍ମାଣ ହୋଇଛନ୍ତି। ସାଧାରଣ ଭାବେ ଯେଉଁଭଳି ଗଣେଶଙ୍କ ମୂର୍ତ୍ତି କଳ୍ପନା କରାଯାଏ ଏ ମୂର୍ତ୍ତି ସେପରି ନୁହନ୍ତି।

ଏ ଗଣେଶଙ୍କର ୪ଟି ହାତ। ଗୋଟିଏ ପାଦ ଭୂମିକୁ ସ୍ପର୍ଶ କରୁଥିବା ବେଳେ ଆଉ ଗୋଟିଏ ଗୋଡ଼ ମୋଡ଼ି ବସିବା ମୁଦ୍ରାରେ ରହିଛି। ଏହି ଗଣେଶଙ୍କ ବାମ ଜଙ୍ଘରେ ସିଦ୍ଧିଦେବୀ(ଗବେଷକଙ୍କ ମତରେ ଗଣେଶଙ୍କ ପତ୍ନୀ) ବସିଛନ୍ତି।

ହାତରେ ଭଗ୍ନଦନ୍ତ, ଜପାମାଳ ଓ ପରସୁ ଧାରଣ କରିଥିବା ଏହି ବିଗ୍ରହ ହେଉଛନ୍ତି ଶୃଙ୍ଗାର ବିଗ୍ରହ। କାରଣ ଏହି ଗଣେଶଙ୍କ ଶୁଣ୍ଢ ସିଦ୍ଦି ଦେବୀଙ୍କ ଯୋନିକୁ ସ୍ପର୍ଶ କରି ରହିଥିବା ବେଳେ ଗୋଟିଏ ହାତରେ ନିଜ ଲିଙ୍ଗକୁ ଗଣେଶ ମର୍ଦ୍ଦନ କରୁଥିବା ମୁଦ୍ରାରେ ରହିଛି। ଯେଉଁଥି ପାଇଁ ଏହାଙ୍କୁ କାମଦ ଗଣେଶ ଏବଂ ତନ୍ତ୍ର ଓ ଶକ୍ତି ଗଣେଶ ମଧ୍ୟ କୁହାଯାଏ। ଜନଶ୍ରୁତି କୁହେ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଉଛିଷ୍ଟ କରି ପକାଉଥିବାରୁ ଏହାଙ୍କର ଅନ୍ୟ ନାମ ଉଛିଷ୍ଟ ଗଣପତି।

ଅନ୍ୟ କିଛି ଗବେଷକ ଭିନ୍ନ ମତ ଦିଅନ୍ତ। ସେମାନଙ୍କ ମତରେ ଗଣେଶଙ୍କ କୋଳରେ ରହିଥିବା ଦେବୀ ଯେ, ସିଦ୍ଧିଦେବୀ ସେ ନେଇ କୌଣସି ପ୍ରମାଣ ନାହିଁ। କେବଳ ଲୋକକଥାକୁ ଆଧାର କରି କୁହାଯାଇପାରେ ଯେ, ଯେହେତୁ ଏ ହେଉଛନ୍ତି ଶୃଙ୍ଗାର ଗଣେଶ, ଏଣୁ ଏହାଙ୍କର ଏହି ମୁଦ୍ରା ପାଇଁ କାଞ୍ଚି ରାଜା ପରାସ୍ତ ହେଉ ନ ଥିଲେ।

ଯେତେ ସୈନ୍ୟ ପ୍ରାଣ ହରାଉଥିଲେ ସେତେ ସୈନ୍ୟ ପୁଣି ଜନ୍ମ ହେଉଥିଲେ। ଯେଉଁଥିପାଇଁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଏହି ଗଣେଶଙ୍କୁ ଉତ୍କଳ ଅଣାଯିବା ପରେ କାଞ୍ଚି ରାଜାଙ୍କ ସୈନ୍ୟବଳ ହ୍ରାସ ପାଇଥିଲା ଓ ଉତ୍କଳର ପାଇକ ସେନା ବିଜୟୀ ହୋଇଥିଲା।

କ’ଣ କହୁଛି ଇତିହାସ ?

ଓଡ଼ିଶା ଇତିହାସର ସବୁଠାରୁ ପ୍ରଭାବଶାଳୀ ରାଜା ଥିଲେ ଗଜପତି ପୁରୁଷୋତ୍ତମ ଦେବ। ତାଙ୍କ ସମୟରେ ଓଡ଼ିଶାର ଭୁଖଣ୍ଡ କୃଷ୍ଣା ନଦୀ ପର୍ଯ୍ୟନ୍ତ ପରିବ୍ୟପ୍ତ ଥିଲା। ଦକ୍ଷିଣ ଭାରତର କିଛି ଅଂଶ ଗଜପତିଙ୍କ ଅଧୀନରେ ନ ଥିଲେ ମଧ୍ୟ ସେହି ରାଜବଂଶଗୁଡିକ ସହ ପୁରୁଷୋତ୍ତମଙ୍କ ଭଲ ସମ୍ପର୍କ ଥିଲା। ଉତ୍କଳର ଅଧିପତିମାନଙ୍କ ଭଳି ଗଜପତି ପୁରୁଷୋତ୍ତମଙ୍କ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ରହିଥିଲା ଅଟଳ ଭକ୍ତି।

ରଥଯାତ୍ରା ସମୟରେ ଆମର ପାରମ୍ପରିକ ଛେରା ପହଁରା ପଦ୍ଧତିକୁ ପୁରୁଷୋତ୍ତମ ଅନୁସରଣ କରି ସେବା କରୁଥିଲେ। ହେଲେ ଏହାକୁ ସାଧାରଣ ଝାଡୁଦାରର କର୍ମ ଭାବି କାଞ୍ଚିର ରାଜା ସାଲ୍ବ ନରସିଂହ ଗଜପତିଙ୍କୁ ହେୟ ମଣିଥିଲେ।

ପରବର୍ତ୍ତୀ ସମୟରେ ଏହି କାରଣରୁ ନେଇ ଉତ୍କଳ ଓ କାଞ୍ଚି ମଧ୍ୟରେ ବିବାଦ ହୋଇଥିଲା। ଯାହା ସମୟ କ୍ରମେ ଯୁଦ୍ଧରେ ରୁପାନ୍ତରିତ ହୋଇଥିଲା। ଉତ୍କଳର ଦୁର୍ଦ୍ଧର୍ଷ ପାଇକ ସେନା କାଞ୍ଚି ରାଜାଙ୍କୁ ପରାସ୍ତ କରିବା ପରେ ରାଜଜେମା ରୁପାମ୍ବିକା ପଦ୍ମାବତୀଙ୍କୁ ଉତ୍କଳ ନେଇ ଆସିଥିଲେ। ତାଙ୍କ ସହ କାଞ୍ଚିଗଡ଼ରେ ପୂଜିତ ମା’ ତାରିଣୀ(ଯେ ଏବେ କେନ୍ଦୁଝର ଜିଲା ଘଟଗଁରେ ଉପାସିତ), ସାକ୍ଷୀ ଗୋପୀନାଥ( ପ୍ରଥମେ ଖୋର୍ଦ୍ଧା ରଥୀପୁରଗଡ଼ ଶ୍ରୀନହର, ପରେ ଗଡ଼ କନ୍ତଳବାଇ ଓ ଏବେ ସାକ୍ଷୀଗୋପାଳରେ ଅବସ୍ଥାପିତ) ଏବଂ କାଞ୍ଚି ଗଣେଶଙ୍କୁ ସାଥିରେ ଆଣିଥିଲେ।

ଏହି ୩ ଦେବ ବିଗ୍ରହଙ୍କ ମଧ୍ୟରୁ ସବୁଠାରୁ ରସସ୍ୟମୟ ଥିଲେ କାଞ୍ଚି ଗଣପତି। ଲୋକକଥା କୁହେ କାଞ୍ଚି ରାଜାଙ୍କୁ ଭଣ୍ଡାଇ ଦେଇ ଉତ୍କଳ ଚାଲି ଆସିଥିବାରୁ ଏହାଙ୍କ ଅନ୍ୟନାମ ହେଉଛି ଭଣ୍ଡ ଗଣପତି। କଥାରେ ଅଛି ଯାହା ପୁଅ ସନ୍ୟାସୀ ହୋଇଯାଏ ତା ପରିବାର କାଞ୍ଚି ଗଣେଶଙ୍କ ଶରଣାପନ୍ନ ହେଲେ ସନ୍ୟାସୀ ପୁଅ ଘର ମୁହାଁ ହୋଇଥାଏ।

 



from Odisha Reporter https://ift.tt/2QnDVuJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages