
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଣ୍ଡନର ଓଭାଲ୍ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଇଂଲଣ୍ଡ ଓ ଭାରତ ମଧ୍ୟସ୍ଥ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍। ୩-୧ରେ ସିରିଜ୍ ହାରି ସାରିଥିବା ଭାରତୀୟ ଦଳ ସମ୍ମାନ ରକ୍ଷା ପାଇଁ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ। ସେହିଭଳି ଇଂଲଣ୍ଡ ଏହି ମ୍ୟାଚ୍ ଜିତି ଆଲିଷ୍ଟର୍ କୁକ୍ଙ୍କୁ ଉପହାର ଦେବ। କାରଣ ଏହା ହେଉଛି କୁକ୍ଙ୍କ ଅନ୍ତିମ ଟେଷ୍ଟ୍ ମ୍ୟାଚ୍।
ପ୍ରଥମ ଦିନରେ ଭଲ ଆରମ୍ଭ କରିଛି ଭାରତୀୟ ଦଳ। ଅନ୍ୟ ଚାରୋଟି ମ୍ୟାଚ୍ ଭଳି ଏଥିରେ ମଧ୍ୟ ଭାରତୀୟ ବୋଲର୍ମାନେ ଭଲ ପ୍ରଦର୍ଶନ କରିଛନ୍ତି। ଗତକାଲି ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଇଂଲଣ୍ଡର ପ୍ରଥମ ୱିକେଟ୍ ୬୦ ରନ୍ରେ ପଡ଼ିଥିଲା। କେ. ଜେନିଙ୍ଗସ୍ ୨୩ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ। କିଛି ସମୟ ପାଇଁ କୁକ୍ ଓ ମୋଇନ୍ ଅଲି ମ୍ୟାଚ୍କୁ ତାଙ୍କ ପଟେ ରଖିଥିଲେ। ତେବେ ଦଳୀୟ ସ୍କୋର୍ ୧୩୩ରେ ପହଞ୍ଚିଥିଲା ବେଳେ କୁକ୍ ଆଉଟ୍ ହୋଇଥିଲେ। ସେ ୭୧ ରନ୍ କରି ଜଶପ୍ରିତ୍ ବୁମ୍ରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।
ଆଉ ତା’ପରେ ଆରମ୍ଭ ହୋଇଥିଲା ଇଂଲଣ୍ଡର ୱିକେଟ୍ ପତନର ଧାରା। ଆଉ ୬୫ ରନ୍ ମଧ୍ୟରେ ପଡ଼ି ଯାଇଥିଲା ୫ଟି ୱିକେଟ୍।
ଅଧିନାୟକ ଜୋ ରୁଟ୍ ଓ ୱିକେଟ୍ କିପର୍ ଜନି ବେୟାରଷ୍ଟୋ ଖାତା ଖୋଲିପାରି ନଥିଲେ। ବୁମ୍ରାଙ୍କ ବଲ୍ରେ ରୁଟ୍ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ଈଶାନ୍ତ ଶର୍ମାଙ୍କ ବଲ୍ରେ ବେୟାରଷ୍ଟୋ କ୍ୟାଚ୍ ଆଉଟ୍ ହୋଇଥିଲେ।
ବେନ୍ ଷ୍ଟୋକ୍ସଙ୍କୁ ରବୀନ୍ଦ୍ର ଜାଡ଼େଜା ଏଲ୍ବିଡବ୍ଲ୍ୟୁ କରିଥିଲେ। ସେ ମାତ୍ର ୧୧ ରନ୍ କରିଥିଲେ। ମୋଇନ ଅଲି ୫୦ ରନ୍ କରି ଈଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସାମ୍ କରନ୍ ଖାତା ଖୋଲି ପାରି ନଥିଲେ।
ଜୋସ୍ ବଟ୍ଲର ୧୧ ଓ ଆଦିଲ୍ ରଶିଦ୍ ୪ ରନ୍ କରି କ୍ରିଜ୍ରେ ଅଛନ୍ତି। ଆଜି ସେମାନେ ପୁଣି ବ୍ୟାଟିଂ ଆରମ୍ଭ କରିବେ।
ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୩ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
from Odisha Reporter https://ift.tt/2wRI8Oh
No comments:
Post a Comment