ମିଠିକୁ ସେମାନେ ନିର୍ମମ ଭାବେ ପିଟିପିଟି ମାରିଦେଲେ, ଆଉ ତା’ ପରେ …… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ମିଠିକୁ ସେମାନେ ନିର୍ମମ ଭାବେ ପିଟିପିଟି ମାରିଦେଲେ, ଆଉ ତା’ ପରେ ……

ଜୀବଜନ୍ତୁଙ୍କ ଆଖିରେ ବି ଲୁହ ଅଛି। ସେମାନଙ୍କର ବି ରକ୍ତମାଂସର ଶରୀର। ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତାଙ୍କୁ ଭଲ ପାଇଲେ ସେମାନେ ନିଜର ପାଲଟିଯା’ନ୍ତି। ଆଉ ହତାଦର କଲେ ସେମାନେ ବି ଅଭିଶାପ ଦିଅନ୍ତି।

ପଢ଼ନ୍ତୁ ଏହି ସୁନ୍ଦର କାହାଣୀ, ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ।

‘ମିଠି’କୁ ଭାରି ଭଲ ପାଉଥିଲା ଡମ୍ବରୁଧରଙ୍କ ପୁଅ ପ୍ରଶାନ୍ତ। ପ୍ରଶାନ୍ତ ଯାହା ଖାଏ ‘ମିଠି’ ପାଇଁ କିଛି ରଖିଥାଏ। ୪ଟା ବାଜିଲେ ‘ମିଠି’ କୋଉଠି ଥିବା ଚାଲିଆସି ପ୍ରଶାନ୍ତ ପାଖରେ ହାଜର, ସ୍କୁଲ୍‌ ଟିଫିନ୍‌ରେ ଯାହା ବଳିଥିବା ସେତକ ‘ମିଠି’ର। ଗାଁ ସାରା ଲୋକଙ୍କୁ ଭଲ ପାଉଥିଲା ‘ମିଠି’। ଭାରି ଶାନ୍ତଶିଷ୍ଟ। ଅଇଁଠାପତ୍ର ବି ଖାଇ ବି ସେ ଗୋଲ୍‌ଗାଲିଆ ଥିଲା। ଗାଁ ପାଇଁ ସେ ଥିଲା ବାହାଦୁର। ଟିକେ କୋଉଠି କ’ଣ ହେଲେ ଭୁକାଟା ମାରୁଥିଲା।

କିନ୍ତୁ ଅକ୍ଟୋବର ମାସରେ ଯେତେବେଳେ ସେ ଛୁଆ ଦେଲା ତା’ ଆଚରଣ ବଦଳିଗଲା। କୋଉଠୁ କ’ଣ ଖାଇ ଆସିଲା କେଜାଣି ପାଗଳି ଭଳି ହେଲା ‘ମିଠି’। ଲୋକଙ୍କୁ ଦେଖିଲେ ହାତେ ଦି ହାତେ ଗୋଡ଼େଇଗଲା.. ଆଉ ଭୁକିଲା। କୁକୁର ଛୁଆଦେବା ବେଳେ ଏମିତି ହେବା ସ୍ୱାଭାବିକ ପ୍ରକୃତି । ହେଲେ ‘ମିଠି’ର ଆଚରଣ ଟିକେ ଅଲଗା ଥିଲା ବୋଧହୁଏ। ସେଥିପାଇଁ ସମସ୍ତେ କହିଲେ କୁକୁର ପାଗଳା ହୋଇଯାଇଛି।

ଭାରି ଚିନ୍ତିତ ହୋଇପଡ଼ିଲା ପ୍ରଶାନ୍ତ। ମିଠିକୁ ଗାଁରେ ଥିବା ପଶୁ ଡାକ୍ତରଙ୍କୁ ଡାକିବାକୁ ତା’ ମନ ହେଉଥିଲା। ପ୍ରଶାନ୍ତ ତା’ ବାପା ଡମ୍ବରୁଧରଙ୍କୁ କହିଲା, ‘ବାପା ମିଠି ଖାଲି ଭୁକୁଛି, ଗୋଡ଼େଇ ଆସୁଛି, ଡାକ୍ତରଙ୍କୁ ଡାକିଲେ ସେ ଭଲ ହୋଇଯିବ’। ଡମ୍ବରୁଧର ପ୍ରଶାନ୍ତ ଉପରେ ଚିଡ଼ି ଚିଡ଼ି ହୋଇ କହିଲେ ‘ ପାଠ ପଢ଼ାର ନାଁ ସାଙ୍ଗିଆ ନାହିଁ….ମିଠି କଥା ମୋତେ କ’ଣ କହୁଛୁ। ଯା…. ପାଠ ପଢ଼ିବୁ।

ପ୍ରଶାନ୍ତର ବାପା ପୂରା କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ। ମାଓବାଦୀ ଷ୍ଟାଇଲ୍‌ରେ କହିଲେ, ‘ତାକୁ ଆଜି ବାଡ଼େଇ ମାରିଦେବି’। ସେଇଟା ପାଗଳି ହେଇଯାଇଛି।

‘ନାଇଁ ବାପା ପ୍ଲିଜ୍‌ ତାକୁ ମାରନା, ସେ ତ କାହାରିକୁ କାମୁଡ଼ିନି, ଖାଲି ଭୁକୁଛି’ । ‘ଭାକ୍‌ ….ଯାଆ ଏଠୁ, ବେଶୀ ମାମଲ୍‌ତି ଦେଖଉଛି’ ଚଢ଼ା ଗଳାରେ କହି ଘରୁ ଏକ ଠେଙ୍ଗା ଧରି ବାହାରିଗଲେ ଡମ୍ବରୁଧର। ପ୍ରଶାନ୍ତ ନିରୂପାୟ ହୋଇ ବୋଉକୁ କହିଲା ‘ବୋଉ ତୁ ବାପାଙ୍କୁ ବୁଝା, ସେ କହୁଛନ୍ତି ମିଠିକୁ ମାରିଦେବେ।’ ପ୍ରଶାନ୍ତର ବୋଉ କହିଲେ, ତୋ ବାପାଙ୍କ ମୁଣ୍ଡକୁ ଧରିଛି ମାନେ ସେ ଶୁଣିବେନି’।

ମିଠି ଗାଁ ଦାଣ୍ଡରେ ଶୋଇଥିଲା। ଡମ୍ବରୁଧର ମିଠିକୁ ଦେଖି ଡାକ ଛାଡ଼ିଲେ ଆରେ ପ୍ରସନ୍ନ ଅଛୁ କିରେ। ‘ହଁ ଭାଇ ଯାଉଛି’। ପ୍ରସନ୍ନ ବି ତହୁଁ ବଳି କମ୍ୟୁନିଷ୍ଟିଆ। ପୂରା ସଂସାରକୁ ଯେମିତି ଇଏ ବାଡ଼େଇକି ଠିକ୍‌ କରିଦେବେ। ‘ହଁ କ’ଣ ହେଲା ଡମ୍ବୁରୁ ଭାଇ’ କହିଲେ ପ୍ରସନ୍ନ। ଡମ୍ବରୁଧର କହିଲେ, ‘ଏ କୁତ୍ତିଟି ପାଗଳା ହେଇଯାଇଛି। କ’ଣ କରିବା ? ପ୍ରସନ୍ନବାବୁ କହିଲେ, ‘ଇଏ କାମୁଡ଼ିଲେ ଜଳାତଙ୍କ ହେଇଯିବ। କୁକୁରଟା ପାଇଁ କାଇଁ ଏତେ ଚିନ୍ତା ? ଚାଲ ମ’ ବାଡ଼େଇ ମାରିଦେବା’।

ଡମ୍ବରୁଧର କହିଲେ, ‘ମୁଁ ତ ସଜ ହେଇ ଆସିଛି’। ତୁ ଯା ଠେଙ୍ଗାଟା ଆଣି ଆସ। ବିଚାରୀ ‘ମିଠି’ ଆଗରେ ଛିଡ଼ା ହୋଇ ତାକୁ ମାରିଦେବାର ଯୋଜନା ତିଆରି କଲେ ଦି‘ ଦି’ ଟା ଯମଦୂତ। ହେଲେ ମିଠି ବୁଝିପାରିଲାନି ଯେ, ତା’ର ମରଣ ଯୋଗ ଆସି ପହଞ୍ଚି ଗଲାଣି।

ପ୍ରସନ୍ନ ଘରୁ ଠେଙ୍ଗା ଧରି ଚାଲି ଆସିଲେ। ଦି’ ଜଣ ଯାକ ଯମଦୂତ ଭଳି ଛିଡ଼ା ହୋଇଗଲେ ଆସି ମିଠି ଆଗରେ। ପ୍ରଶାନ୍ତର ମୁଣ୍ଡ କାମ କଲାନି। କ’ଣ କରିବ? ହୃଦୟ କାନ୍ଦି ଉଠିଲା। ତା’ କଥା କେହି ରଖିଲେନି। ପ୍ରଶାନ୍ତ ଆଖିରୁ ଧାର ଧାର ଲୁହ ବୋହି ଚାଲିଲା। କିଛି ରାସ୍ତା ନାହିଁ । ତା’ ଆଖି ଆଗରେ ଆଜି ମିଠି ମରିବ।

ପ୍ରଶାନ୍ତ ଆଖିରୁ ଲୁହ ପୋଛୁ ପୋଛୁ ସେପଟେ ମିଠି ଉପରେ ପ୍ରସନ୍ନ ପକାଇଲେ ଗୋଟିଏ ପାହାର। ମିଠି ଭୋ ଭୋ ହୋଇ ରାସ୍ତା ମଝିକୁ ପଳାଇ ଆସିଲା। ତା’ ପରେ ପରେ ଆଉ ଗୋଟିଏ ପାହାର ଦେଲେ ଡମ୍ବରୁଧର । ତା’ ଉପର ତା’ ଉପର ପାଳି କରି ପିଟି ଚାଲିଲେ ଦୁଇ ଦୁଇଟି ଅମଣିଷ। ମିଠି ଛଟପଟ ହେଉଥାଏ ଆଉ ତା ପିଠି ଉପରେ ପାହାର ବସୁଥାଏ। ୧୫ ମିନିଟ୍ କାଳ ଛଟପଟ ହୋଇ ମିଠିର ପ୍ରାଣ ଚାଲିଗଲା, ଆଉ ଦୂର ହୋଇଗଲା ‘କୁକୁର କାମୁଡ଼ା’ ଆଉ ‘ଜଳାତଙ୍କ’ ଭୟ। ପାଖରେ ତା’ର ତିନି ତିନିଟା ଛୁଆ ହାଉଳି ଖାଉଥା’ନ୍ତି। କିନ୍ତୁ ସେମାନେ ବି କ’ଣ କରିପାରିବେ। ଯିଏ ମା’ କ୍ଷୀର ଛଡ଼ା ଆଉ କିଛି ଜାଣି ନାହାନ୍ତି ସେମାନେ ବା କ’ଣ କରିପାରିଥା’ନ୍ତେ!

ଦି’ ଦି’ ଟା ପଥର ହୃଦୟ। କେମିତି ହାତ ଗଲା ନିରୀହ ଜୀବଟାକୁ ମାରିବାକୁ। ମିଠି ଚାହିଁଥିଲେ ସେ ଜାଗା ଛାଡ଼ି ପଳାଇ ଯାଇଥା’ନ୍ତା। କିନ୍ତୁ ସେ ଜାଗା ଛାଡ଼ି ଗଲାନି କି ହଲିଲା ନାହିଁ। ସମ୍ଭବତଃ ତା ପାଖରେ ତା’ ଛୁଆ ଥିଲେ।

ଗାଁର ସ୍ତ୍ରୀ ଲୋକମାନେ ଘରୁ ବାହାରି ଆସି ଉଭୟଙ୍କୁ ଗାଳିଦେଲେ। କିନ୍ତୁ ମନେ ମନେ ଭାରି ଖୁସି ହେଉଥିଲେ ଦୁଇ ଦୁଇ ଜଣ ବଡ଼ ସମାଜସେବୀ ଗାଁ’ରୁ ଜଳାତଙ୍କ ଭୟ ଦୂର କରିଦେଇ। ଦି ଜଣ ଯାକ ମିଶି ମିଠିର ମୃତଦେହକୁ ନେଇ ଗାଁ ମଶାଣିରେ ଫିଙ୍ଗି ଦେଇଆସିଲେ।

ପ୍ରଶାନ୍ତ ବହୁ ଚେଷ୍ଟା କଲା ଛୁଆ ତିନିଟାକୁ ବଞ୍ଚାଇବାକୁ। ଘରୁ ଚାଉଳ ଚୋରି କରି ନେଇ ଗାଁ ଦୋକାନରେ ବିକିଦେଲା ଆଉ ବଡ଼ ବିସ୍କୁଟ୍‌ ପ୍ୟାକେଟ୍‌ଟା କିଣି ତାଙ୍କୁ ନଡ଼ିଆ ଷଢ଼େଇରେ ଖାଇବାକୁ ଦେଲା। ହେଲେ ମା’ କ୍ଷୀର ନ ପାଇ ତିନି ତିନିଟା ଛୁଆ ଧୀରେ ଧୀରେ ଦୁର୍ବଳ ହୋଇପଡ଼ିଲେ। ଆଉ ସପ୍ତାହକ ଭିତରେ ସେମାନେ ବି ମରିଗଲେ।

ମିଠିର ସଂସାର ସରିଗଲା। ପ୍ରଶାନ୍ତ ମନେ ମନେ ବହୁତ ଭାଙ୍ଗିପଡ଼ିଲା ଆଉ କହୁଥିଲା ବାପା କିଛି ଠିକ୍‌ କଲେ ନାହିଁ। ସେଇ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା। ପ୍ରଶାନ୍ତର ପାଠ ପଢାରେ ମନ ଲାଗିଲା ନାହିଁ।କ୍ଲାସ୍‌ରେ ଫାଷ୍ଟ ହେଉଥିବା ପ୍ରଶାନ୍ତକୁ ଏତେ ବଡ଼ ମାନସିକ ଆଘାତ ଲାଗିଲା ଯେ ସେ ମାଟ୍ରିକ୍‌ ରେଜଲଟ୍ ବହୁତ ଖରାପ କଲା। କିନ୍ତୁ ମିଠି ପାଇଁ ଯେ ପ୍ରଶାନ୍ତର ରେଜଲ୍ଟ ଖରାପ ହେଲା ଏ କଥା ସେ ଆଉ କାହାକୁ କହିପାରିଲା ନାହିଁ।

ପ୍ରଶାନ୍ତକୁ ଭଲ କଲେଜରେ ସିଟ୍‌ ବି ମିଳିଲା ନାହିଁ। ମିଠି ଦୁଃଖରେ ମ୍ରିୟମାଣ ହୋଇ ଖରାପ ହୋଇଗଲା ପ୍ରଶାନ୍ତର କ୍ୟାରିଅର। ତଥାପି ସଂଘର୍ଷ କରି ପ୍ରଶାନ୍ତ କୌଣସି ଉପାୟରେ ସ୍ନାତକୋତ୍ତର ସାରି ଘରୋଇ କମ୍ପାନୀରେ ଚାକିରି କଲା।

ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ…

ୟା ଭିତରେ ୨୫ ବର୍ଷ ବିତିଗଲା। ପ୍ରସନ୍ନ କି ଡମ୍ବରୁଧରଙ୍କ ଦେହରେ ଯେମିତି ଆଉ ସେ ଉଦ୍ଦାମତା ନାହିଁ। ବଳ ବୟସ ଗଲା ପରେ ସବୁ ଯେମିତି ସ୍ଥାଣୁ ହୋଇଯାଇଛି। ପ୍ରସନ୍ନ କ୍ୟାନ୍‌ସର ସହ ଲଢ଼ୁଛନ୍ତି। ପତ୍ନୀଙ୍କ ଅବସ୍ଥା ବି ଆହୁରି ସଂଗୀନ।ପେଟରେ ଅଲସର ହୋଇ ଶଯ୍ୟାଶାୟୀ,ଜମିବାଡ଼ି ବିକ୍ରି ହୋଇଗଲଣି,ଖାଲି ମଶାଣି ଯିବା ବାକି ଅଛି।

ଡମ୍ବରୁଧର ବି ନାନାବ୍ୟାଧିରେ ସଢ଼ୁଛନ୍ତି ଦଶ ବର୍ଷ ହେଲାଣି। ଯେତେ ଔଷଧ ଖାଇଲେ ବି ଦେହ ଭଲ ହେଉନି। ମିଠିକୁ ମାରି ତିନି ତିନିଟା ଛୁଆଙ୍କ ମୁହଁରୁ ମା’ କ୍ଷୀର ଛଡ଼ାଇ ନେଇଥିଲେ ଡମ୍ବରୁଧର। ଏବେ ପରିଣତ ବୟସରେ ତାଙ୍କ ପେଟକୁ ଦାନା ଯାଉନି। ନାନା ରୋଗ ହୋଇଥିବାରୁ ଖାଇବା ପିଇବାରେ ପ୍ରତିବନ୍ଧକ। ଦେହ କଙ୍କାଳସାର ହୋଇଗଲାଣି।

ଥରେ ପୁଅ ପ୍ରଶାନ୍ତକୁ ଡାକି ଡମ୍ବରୁଧର କହିଲେ,‘ରୋଗଗ୍ରସ୍ତ ହେବା ପରେ ଜୀବନଟା ତ ବଞ୍ଚି ଥାଉ ଥାଉ ମରିଯାଇଛି। ପୁଅ ପ୍ରଶାନ୍ତ କହିଲା, ‘ବାପା ଆଜି ତୁମେ ଯେଉଁ ଦଣ୍ଡ ଭୋଗୁଛ, କାହିଁକି ଜାଣିଛ? ଡମ୍ବରୁଧର ପୁଅ ପ୍ରଶାନ୍ତର ମନର କଥା କହିଲେ, ‘ହଁ ତୁ ସେଇ ୧୯୯୩ ମସିହା କଥା କହୁଛୁ…ମୁଁ ଜାଣିଛି…ତୋ କଥା ନ ମାନି ମୁଁ ଆଉ ପ୍ରସନ୍ନ କୁକୁରଟାକୁ ପିଟି ପିଟି ମାରିଦେଇଥିଲୁ। ସେଇ କଥା ତ ?’

ପ୍ରଶାନ୍ତ କହିଲା, ହଁ ବାପା।’ ଡମ୍ବରୁଧର କହିଲେ, ‘ମୁଁ ଜାଣିଛି, ଜୀବନରେ ଗୋଟିଏ ବଡ଼ ଭୁଲ୍‌ କରିଛି। ଅନେକ ଭୁଲ୍‌ ଭିତରେ ସେଇଟା ସବୁଠୁ ବଡ଼ ଭୁଲ୍‌। ପ୍ରଶାନ୍ତ କହିଲା ‘ବାପା ସେ ଦଣ୍ଡ କିଏ ଭୋଗିବ? ଡମ୍ବରୁଧର କହିଲେ, ‘ମୁଁ ତ ଭୋଗୁଛି।’ ପ୍ରଶାନ୍ତ କହିଲା, ‘ଯାହା ହେଉ… ବାପା ପଶ୍ଚାତାପ କରିଛ…. ଜାଣିଛ! ତୁମେ ଏକା ନୁହଁ, ମୁଁ ବି ତୁମର ସେହି କର୍ମଫଳରେ ଭାଗୀଦାର ହୋଇଛି। କାରଣ ମୁଁ ସେହି ଘଟଣା ଆଜି ପର୍ଯ୍ୟନ୍ତ ଭୁଲିପାରୁନି।….. ଗୋଟିଏ କଥା କହୁଛି….. ଭୁଲ୍‌ ବୁଝିବ ନାହିଁ…. ସେହି ମିଠି ପାଇଁ ମୁଁ ବରବାଦ୍ ହୋଇଯାଇଛି। ୨୫ ବର୍ଷ ଧରି ଖାଲି ମୁଁ ଜଳୁଛି। ମୁଁ ତୁମର ସେହି କ୍ରୁ ରୂପ ଦେଖିବା ପରେ ନିଜକୁ ଧିକ୍କାର କରେ, କାହିଁ ମୁଁ ତୁମର ପୁଅ ହୋଇ ଜନ୍ମ ହୋଇଥିଲି। ଉତ୍ତର ଦେଇପାରିବ?…. ମିଠି ଯଦି ତୁମ ଝିଅ ହୋଇଥା’ନ୍ତା ? ଆଉ ସେ ପିଲା ଜନ୍ମ କରି ବାୟାଣୀ ହୋଇଯାଇଥା’ନ୍ତା ? ତେବେ ତୁମେ କ’ଣ ତାକୁ ଗାଁ ରାସ୍ତାରେ ପିଟି ପିଟି ମାରି ଦେଇଥା’ନ୍ତ?’

ବାପ ପୁଅଙ୍କ ଆଖିରେ ଲୁହ। ଡମ୍ବରୁଧରଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। କହିଲେ, ଆଜିଠାରୁ ‘ମୋ ଦଣ୍ଡ ଆହୁରି ବଢ଼ିଗଲା, ନିଜ ଝିଅକୁ ହତ୍ୟା କରିବାର ଅପରାଧ।’

ଏହି ଗଳ୍ପର ସାରମର୍ମ ହେଉଛି, ଆପଣ ଯଦି ଏକ ଭୁଲ୍‌ କରିଛନ୍ତି, ଆଉ ତାହା ଅକ୍ଷମଣୀୟ ତେବେ ସାତ ଜନ୍ମଯାଏ ଏକା ଆପଣ ନୁହନ୍ତି ଆପଣଙ୍କ ରକ୍ତ ମାଂସର ଭାଗୀଦାର ହୋଇଥିବା ସବୁ ଅଂଶ ତାହା ଅଳ୍ପେ ବହୁତ ଭୋଗିବେ। ଏହା ଏକ ଅବିଶ୍ୱସନୀୟ ଧ୍ରୁବସତ୍ୟ। ସମାଜରେ ପାପର ଭାର ଯେମିତି ବଢ଼ିଛି ସେଥିରୁ ପାଠକେ ସବୁ ବୁଝିଯିବେ।

ଜାପାନର ଜଣେ ଦାର୍ଶନିକ ଓ ବୌଦ୍ଧ ସଂସ୍କାରକ ଏ ନେଇ ଏକ ମହତ୍ତ୍ୱପୂର୍ଣ୍ଣ କଥା ଲେଖିଛନ୍ତି:

The greatest evil among evils produces consequences that not only affect the perpetrators personally but extend to their sons, their grandsons and so on down to their seventh generation.

And the same is true of the greatest good among good.

– NICHIREN



from Odisha Reporter https://ift.tt/2DQ3VNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages