ସୋଶାଲ୍ ମିଡିଆର ଦାମ ହିରୋ: ଜାଣନ୍ତୁ ‘ଦାମୋଦର’ ଶବ୍ଦର ଅର୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ସୋଶାଲ୍ ମିଡିଆର ଦାମ ହିରୋ: ଜାଣନ୍ତୁ ‘ଦାମୋଦର’ ଶବ୍ଦର ଅର୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଅଭିଧାନରେ ‘ଦାମୋଦର’ ଶବ୍ଦଟି ହୁଏତ ଆପଣଙ୍କ ଦୃଷ୍ଟିଗୋଚର ହୋଇ ନଥାଇ ପାରେ। ହେଲେ ବ୍ୟାଖ୍ୟା କରିବାକୁ ଗଲେ ସନ୍ଧି ହୋଇଥିବା ଯୋଡିଏ ଶବ୍ଦ ଆପଣଙ୍କୁ ନିଶ୍ଚୟ ମିଳିଯିବ। ଦାମ+ଉଦର=ଦାମୋଦର। ‘ଦାମ’ର ଅର୍ଥ ‘ଦଉଡ଼ି’, ଆଉ ‘ଉଦର’ ଅର୍ଥାତ୍‌ ‘ପେଟ’। ଦ୍ୱାପରରେ ଭଗବାନ କୃଷ୍ଣଙ୍କୁ ମା’ ଯଶୋଦା ଦଉଡ଼ିରେ ବାନ୍ଧିପାରୁ ନଥିଲେ। କାରଣ ତାଙ୍କ ଅଣ୍ଟାକୁ ନିଅଣ୍ଟ ହେଉଥିଲା ଦଉଡ଼ି। ଆଉ ଏହି କାରଣରୁ କୃଷ୍ଣଙ୍କୁ ସମସ୍ତେ ଡାକୁଥିଲେ ଦାମୋଦର।

ଆପଣ ଭାବୁଥିବେ, ଆମେ ଆଜି ହଠାତ୍‌ କାହିଁକି କୃଷ୍ଣ କଥା କହିଲୁଣି ! ବାସ୍ତବରେ ଆମେ କୃଷ୍ଣଙ୍କର ଦାମୋଦର ପ୍ରସଙ୍ଗଟିକୁ ଉପଲକ୍ଷ୍ୟ କରି ଆପଣଙ୍କ ପାଖରେ କଥାଟିଏ କହିବାକୁ ଯାଉଛୁ। ହୁଏତ ଏହା ଶୁଣିବା ପରେ ଆପଣ କୁରୁଳି ଉଠିବେ।

ଲେଖାଟି ଆଗକୁ ବଢ଼ାଇବା ଆଗରୁ ଆମେ ପ୍ରଥମେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ପିତାଙ୍କ ଦୂରଦୃଷ୍ଟିକୁ ଶତଶତ ପ୍ରଣାମ କରିବୁ ଏଇଥିପାଇଁ ଯେ, ସେ ପୁଅର ନାଁଟି ବାଛି ବାଛି ଦେଇଥିଲେ ଦାମୋଦର। 

ଥରେ ଭାବିଲେ ଦେଖି ଦାମୋଦର କୃଷ୍ଣଙ୍କୁ ଯଶୋଦା ବାନ୍ଧିବାକୁ ସେଦିନ ଯେତିକି ହଟହଟା ହେଉଥିଲେ, ଆଜି ବି ଠିକ୍‌ ସେମିତି ଦାମୋଦର ରାଉତଙ୍କୁ ବାନ୍ଧିବାକୁ ହଟହଟା ହେଉଛି ବିଜେଡି। କାରଣ ଦାମୋଦର ଧରା ଦେଲେନି। ତାଙ୍କ ପାଇଁ କିଛି ଦଉଡ଼ି କାମ ଦେଲାନି ବୋଲି ଶେଷରେ ବହିଷ୍କାର କରି ଦିଆଗଲା। ପ୍ରକାରାନ୍ତରେ ଦେଖିଲେ ଦାମୋଦର ବାବୁଙ୍କ ହଟହଟିଆ ଗୁଣ ପାଇଁ ତାଙ୍କୁ ଦଳରେ ରଖି ମୁକାବିଲା କରିବା ଅପେକ୍ଷା ଦଳରୁ କାଢ଼ିଦେବାକୁ ଶ୍ରେୟଷ୍କର ମଣିଲେ ମୁଖିଆ।

ହେଲେ କୃଷ୍ଣବର୍ଣ୍ଣ ଦାମବାବୁ ଆଜି ବି ଚର୍ଚ୍ଚିତ। କଂଗ୍ରେସ ନେତା ସୁର ରାଉତରାୟଙ୍କ ଭାଷାରେ, ଦାମ ବାବୁଙ୍କୁ “ମାନିବାକୁ ପଡ଼ିବ”। ଯାହା କୁହନ୍ତୁ ତାଙ୍କ କଥାରେ ବାସ୍ତବରେ ଦାମ୍‌ ଅଛି। ନ ହେଲେ କ’ଣ ସେ ଏମିତି ଚର୍ଚ୍ଚିତ ହୁଅନ୍ତେ ନା କ’ଣ। ପଦ ଥାଉ କି ନ ଥାଉ, ନାଲିବତୀ ଜଳୁ କି ନ ଜଳୁ, ତାଙ୍କ ଦୁଆରେ ମିଡିଆ ଗାଡ଼ି ସବୁବେଳେ ହାଉଜାଉ।

ଖାଲି ଟିଭି କି ପ୍ରିଣ୍ଟ ମିଡିଆ ନୁହେଁ, ଏବେ ତ ସୋଶାଲ ମିଡିଆ ବି ତାଙ୍କ ନା ଜପୁଛି। ଦଳରୁ ବହିଷ୍କାର ହେବା ପରଠୁ, ଦାମଙ୍କ ନାଁରେ ଶତମୁଖ ହୋଇଉଠିଛି ଫେସ୍‌ବୁକ୍‌ ଆଉ whatsapp। ଯିଏ ଯାହା ପାଇଲା ଲେଖିଲା। ସେଥିରୁ କେଇଖଣ୍ଡ ଆମ ନଜରରେ ବି ପଡ଼ିଛି। ଆଉ ସେ ପୋଷ୍ଟଗୁଡ଼ିକରେ ଦାମଙ୍କ ହିରୋ ପଣିଆ ବାରି ହୋଇପଡୁଛି। 

କିଏ ଲେଖିଛି ଦାମଙ୍କ ତୁଣ୍ଡକୁ ଆଉ ସମ୍ଭାଳି ହେବନି, ତ ପୁଣି କିଏ ଲେଖିଲାଣି ବିଜେଡି ଜାଣିଜାଣି କୀଳକ ଆମନ୍ତ୍ରଣ କରିଛି। ଦାମଙ୍କ କଟୁକ୍ତି ପରେ ତାଙ୍କୁ ଦଳରୁ ବିଦା କରାଯାଇଥିବା ସମସ୍ତେ ଅନୁଭବ କରୁଥିଲେ ବି ତାଙ୍କ ନିର୍ଭୀକ ଗୁଣର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଲୋକେ। ଭୟ ନ କରି ରୋକଠୋକ୍‌ କଥା କହି ଦଳରୁ ବିଦା ହୋଇଥିଲେ ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଆଜି ବି କମିନି। ଅଧିକାଂଶ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ତାଙ୍କ ସପକ୍ଷରେ ଯୁକ୍ତି ରହିଛି।

ଆଉ ଏମିତି ବି କିଛି ଲୋକେ ଅଛନ୍ତି ଯେଉଁମାନେ ରାଜ୍ୟ ବିଜେଡିର B ଭାବେ ବୈଜୟନ୍ତ ଆଉ D ଭାବେ ଦାମୋଦରଙ୍କୁ କାଟି ବିଜେଡିରେ କେବଳ Jରେ ସୀମିତ ରହିଯାଇଛି ବୋଲି ଲେଖି କଟୁକ୍ତି ପ୍ରକାଶ କରିଛନ୍ତି। ଦୁହିଁଙ୍କ ଏକତ୍ର ବାର୍ତ୍ତାଳାପରୁ ରାଜ୍ୟ ରାଜନରୀତିର ନୂଆ ସମୀକରଣର ଗନ୍ଧ ମଧ୍ୟ ବାରିଛନ୍ତି ରାଜ୍ୟବାସୀ। ତେବେ ସେ ଯାହା ହେଉନା କାହିଁକି, ଏମିତି ଷ୍ଟାଟସ୍‌ ଅପଡେଟ୍‌ ପରେ ଜଣାପଡୁଛି ସତରେ ଦାମ ବାବୁଙ୍କ ଭଳି ହିରୋ ଓଡ଼ିଶା ରାଜନୀତିରେ ବିରଳ।



from Odisha Reporter https://ift.tt/2OnOY5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages