
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ଏକ ପ୍ରଭାବଶାଳୀ ପରିବାରର ଟ୍ରେଜେରୀ ଅର୍ଥାତ ତହବିଲ କୁଆଡ଼େ ଖଣି ଅଞ୍ଚଳର ଜଣେ ବିଧାୟକ ପାଲଟିଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଏକ ସଙ୍କଟ ମଧ୍ୟ ଦେଇ ସମ୍ପୃକ୍ତ ବିଧାୟକ ଗତି କରୁଥିବା ବେଳେ ତାଙ୍କ ସହ କୁଆଡ଼େ କଂଗ୍ରେସର ଏହି ପରିବାରର ଘନିଷ୍ଠ ସମ୍ପର୍କ ସ୍ଥାପନ ହୋଇଛିି। ଏବେ ବିଧାୟକ କୁଆଡ଼େ ପ୍ରତିମାସ ମୋଟା ଅଙ୍କର ଅର୍ଥ ଏହି କଂଗ୍ରେସ ନେତାଙ୍କୁ ଦେଉଛନ୍ତି।
ଚର୍ଚ୍ଚା ହେଉଛି, ବିଧାୟକ ଜଣକ ଏକ ବିବାଦରେ ଫସିଥିବାବେଳେ କୁଆଡ଼େ ଏହି କଂଗ୍ରେସ ପରିବାର ତାଙ୍କୁ ନୈତିକ ସମର୍ଥନ ଦେବାକୁ ଆଗେଇ ଆସିଥିଲା। ଏପରିକି ତାଙ୍କ ପୁଅର ଅସ୍ତ୍ରୋପଚାରଠୁ ଆରମ୍ଭ କରି ଅନ୍ୟାନ୍ୟ ପାରିବାରିକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇ ସେହି ବିଧାୟକଙ୍କ ଘନିଷ୍ଠ ହୋଇପାରିଥିଲା। ଏବେ କୁଆଡ଼େ ଏହି ବିଧାୟକଜଣକ କଥାକଥାକେ ସମ୍ପୃକ୍ତ କଂଗ୍ରେସ ନେତାଙ୍କୁ ଖୋଜୁଛନ୍ତି। ସେହି କଂଗ୍ରେସ ନେତାଙ୍କ ବିନା ପରାମର୍ଶରେ କୁଆଡ଼େ ଏହି ବିଧାୟକଜଣକ କିଛି ବଡ଼ କାମ କରିବାକୁ ଚାହୁଁନାହାନ୍ତି।
ଚର୍ଚ୍ଚା ହେଉଛି, ଏହି ବିଧାୟକ ଯେଉଁ ଜିଲ୍ଲାର ସେହି ଦାୟିତ୍ୱରେ ଥିବା କଂଗ୍ରେସ ନେତାଜଣକ କୁଆଡ଼େ ତାଙ୍କୁ ଆଗାମୀ ଦିନରେ କଂଗ୍ରେସ ଟିକେଟରେ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଅବଶ୍ୟ ଏହି ବିଧାୟକଙ୍କୁ ସିଧାସଳଖ ନହେଲେ ବି ପରୋକ୍ଷରେ ସମର୍ଥନ କରିବାକୁ ବିଜେଡି ସବୁବେଳେ ଗୋଡ଼ ଟେକି ବସିଛି। ବିଧାୟକଙ୍କ ପାଖରେ ଥିବା କୋଟିକୋଟି ଟଙ୍କା ଓ ଜିଲ୍ଲାରେ ଜନସମର୍ଥନ ପାଇଁ କୁଆଡ଼େ ବିଜେଡି କିଛି ମାତ୍ରାରେ ସେହି ଜିଲ୍ଲାରେ ତାଙ୍କ ଉପରେ ନିର୍ଭରଶୀଳ ରହୁଛି।
ଏହି ବିଧାୟକଙ୍କର ଘନିଷ୍ଠ ଥିବା ଜଣେ ବ୍ୟବସାୟୀଙ୍କ ମାଧ୍ୟମରେ କୁଆଡ଼େ ବିଜେଡି ସହ ତାଙ୍କର ଖାସ୍ ସମ୍ପର୍କ ରହିଛି। ମାତ୍ର ଯେଉଁଦିନଠୁ କଂଗ୍ରେସ ନେତାଙ୍କ ସହ ସମ୍ପୃକ୍ତ ବିଧାୟକଙ୍କ ଘନିଷ୍ଠତା ବଢ଼ିଲାଣି ସିଏ କୁଆଡ଼େ ଆଉ ବିଜେଡିକୁ ଡେଇଁବା ନାଁ ଧରୁନାହାନ୍ତି। ଓଲଟା ବିଜେଡି ଏବେ କୁଆଡ଼େ ସମ୍ପୃକ୍ତ ବିଧାୟକଙ୍କୁ କିଭଳି ଖୁସି କରିହେବ ସେହି ବାଟ ଖୋଜୁଛି।
ଚର୍ଚ୍ଚା ହେଉଛି, ଜିଲ୍ଲାରେ ନିର୍ବାଚନୀ ପାଣ୍ଠି କୁଆଡ଼େ ଏହି ବିଧାୟକଙ୍କ ସମ୍ମତି ବିନା ବିଜେଡିକୁ ମିଳେନି। ଆଉ ବିଧାୟକଙ୍କ ବ୍ୟବସାୟିକ ସହଯୋଗୀ ଥିବା ଅଣଓଡ଼ିଆ ବ୍ୟବସାୟୀ କୁଆଡ଼େ ବିଜେଡିର ଖାସ୍ ଲୋକଙ୍କ ଖାସ୍। ତେଣୁ ବିଜେଡି ପ୍ରୋତ୍ସାହନରେ ବିଧାୟକଜଣକ ନିଜର ବ୍ୟବସାୟିକ କାରବାରକୁ ବଢ଼ାଇ ଚାଲିଥିବାବେଳେ କଂଗ୍ରେସର ଏହି ଉପକୂଳ ନେତାଙ୍କୁ କୁଆଡ଼େ ସବୁପ୍ରକାରେ ସହଯୋଗର ହାତ ବଢ଼ାଇ ଚାଲିଥିବା ଚର୍ଚ୍ଚା ।
from Odisha Reporter https://ift.tt/2Onqixm
No comments:
Post a Comment