
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତଙ୍କ ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲାମାନେ ସମାନ ବିଷୟ ପଢୁଛନ୍ତି।
ଫଳରେ ନୂଆ ନୂଆ ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଢ଼ାଞ୍ଚାରେ ଆସୁଛି। ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଛି ବୋଲି ସେମାନେ କହିଛନ୍ତି ।
ପ୍ରତି ୩ ବର୍ଷରେ ସିଲାବସ୍ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢ଼ନ୍ତେ ଏବଂ ଏହା ସେମାନଙ୍କ ଜ୍ଞାନବର୍ଦ୍ଧନରେ ସହାୟକ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି।
ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଭିନ୍ନ ମତ ପୋଷଣ କରିଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି-“୨୦୧୨ ମସିହାରେ ନବମ ଓ ୨୦୧୩ ମସିହାରେ ଦଶମ ଶ୍ରେଣୀ ସିଲାବସ୍ ପରିବର୍ତ୍ତନ କରାଯାଇଥିଲା। ଆଗକୁ ମ୍ୟାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ୩ ସେଟ୍ ବଦଳରେ ୪ ସେଟ୍ ପ୍ରଶ୍ନପତ୍ର ଆସିବ। ଏଥିଲାଗି ଅଧିକ ପ୍ରଶ୍ନ ଆବଶ୍ୟକ ପଡ଼ିବ । ତା’କୁ ଦୃଷ୍ଟିରେ ରଖି ସିଲାବସ୍ରେ ପରିବର୍ତ୍ତନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।”
୨୦୦୯ ନ୍ୟାସନାଲ୍ କରିକୁଲମ୍ ଫ୍ରେମ୍ଓ୍ୱର୍କ ପରିବର୍ତ୍ତନ ହୋଇଥିଲା। ତା’ପରଠାରୁ ଏଥିରେ ପରିବର୍ତ୍ତନ ହୋଇନାହିଁ। ସେହି ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଓଡ଼ିଶା ସିଲାବସ୍ରେ ପରିବର୍ତ୍ତନ କରିନଥିବା କୁହାଯାଉଛି। ତେବେ ନ୍ୟାସନାଲ କରିକୁଲମ୍ରେ ପରିବର୍ତ୍ତନ ନ ହେଲେ ମଧ୍ୟ ବିଷୟ ପରିବର୍ତ୍ତନରେ କୌଣସି ଅସୁବିଧା ନାହିଁ ବୋଲି ଶିକ୍ଷାବିତ୍ କହିଛନ୍ତି।
from Odisha Reporter https://ift.tt/2LOu2To
No comments:
Post a Comment