
ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ଯୌନ ଶୋଷଣ ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ଏହି ଘଟଣା ଘଟୁଛି, ସେହି ଅନୁସାରେ ଥାନାରେ ଅଭିଯୋଗ ହେଉନାହିଁ। କାରଣ ହେଉଛି, ପିଲାଙ୍କ ଭବିଷ୍ୟତ ଓ ଲୋକ ଲଜ୍ଜାକୁ ଡରି ଅଭିଭାବକମାନେ ଚୁପ ରହିବାକୁ ଉଚିତ୍ ମଣୁଛନ୍ତି।
ଯଦି ଆଖପାଖରେ କି ଆପଣଙ୍କ ନିଜ ପିଲା ଏମିତି କିଛି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି କିମ୍ବା ହୋଇଛନ୍ତି, ଅତ୍ୟନ୍ତ ଗୋପନୀୟ ଭାବେ ଏନେଇ ଏବେ ଅଭିଯୋଗ କରିହେବ। ଏଥିପାଇଁ କେନ୍ଦ୍ର ସରକାର ଏକ ୱେବସାଇଟ୍ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍ରେ ଆପଣ ଅଭିଯୋଗ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାମାନଙ୍କ ଉପରେ ହେଉଥିବା ଏଭଳି ବ୍ୟଭିଚାରର ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା କରାଯାଇଛି।
କେନ୍ଦ୍ର ସରକାର ଆରମ୍ଭ କରିଥିବା ଏହି ପୋର୍ଟାଲରେ ଯେ କେହି ବି ପିଲାମାନଙ୍କ ପ୍ରତି ହେଉଥିବା ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଅଭିଯୋଗ କରିପାରିବେ। ଏହି ୱେବସାଇଟ୍ର ନାଁ ‘Cybercrime.gov.in’ ରଖାଯାଇଛି।
ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ମଦନ ଏମ୍. ଓବରୟ କହିଛନ୍ତି, “ଏହି ପୋର୍ଟାଲ କେବଳ ପୀଡ଼ିତ ଓ ଅଭିଯୋଗକାରୀଙ୍କ କାମରେ ଆସିବ ତାହା ନୁହେଁ। ଏହା ସାମାଜିକ ସଂଗଠନ ଓ ସାଧାରଣ ନାଗରିକଙ୍କୁ ମଧ୍ୟ ସହଯୋଗ କରିବ। ଏଥିରେ ଶିଶୁ ନିର୍ଯାତନା, ଶିଶୁଙ୍କ ପ୍ରତି ଦୁର୍ବ୍ୟବହାର ଓ ଶିଶୁଙ୍କୁ ଦୁଷ୍କର୍ମ ପରି ଘଟଣାରେ ବେନାମୀ ଅଭିଯୋଗ କରିହେବ।”
ସେ ଆହୁରି କହିଛନ୍ତି, “ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ସାଇବର୍ ଅପରାଧରେ ଅଙ୍କୁଶ ଲଗାଇବାକୁ ପୋର୍ଟାଲ ସୁବିଧାଜନକ ଓ ଏହା ଉପଯୋଗ ଅନୁକୁଳ। ଏଥିରେ ଅଭିଯୋଗକାରୀଙ୍କ କୌଣସି ସୂଚନା ରହିବ ନାହିଁ।”
ଅଭିଯୋଗକାରୀ ପୁଲିସକୁ ସହଯୋଗ କରିବାକୁ ଆପତ୍ତିଜନକ ସାମଗ୍ରୀ କିମ୍ବା ଏହାର URL ୱେବସାଇଟ୍ରେ ଅପ୍ଲୋଡ କରିପାରିବେ।
ପୋର୍ଟାଲରେ ମାଧ୍ୟମରେ ପଞ୍ଜିକୃତ ଅଭିଯୋଗ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସକୁ ଜଣାଇ ଦିଆଯିବ। ଏହାପରେ ପୁଲିସ ଏହାର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୀଡ଼ିତ କିମ୍ବା ଅଭିଯୋଗକାରୀ ନିଜ ମୋବାଇଲ୍ରେ ‘Reports and track’ ବିକଳ୍ପ ଜରିଆରେ ନିଜ ଅଭିଯୋଗ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଜାଣିପାରିବେ।
from Odisha Reporter https://ift.tt/2NZ05VU
No comments:
Post a Comment