
ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଁ ଶୁଣାଣି କରିବେ। ଆଜି ସୁପ୍ରିମକୋର୍ଟ ଏ କଥା କହିଛନ୍ତି। ଏହି ମାମଲାକୁ ୫ ଜଣିଆ ବୃହତ ବେଞ୍ଚକୁ ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ଆସନ୍ତା ଅକ୍ଟୋବର ୨୯ରୁ ମାମଲାର ନିୟମିତ ଶୁଣାଣି ଆରମ୍ଭ ହେବ ।
ମସଜିଦ୍ରେ ନମାଜ ପାଠ ଇସ୍ଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଞ୍ଚକୁ ପଠାଇବାକୁ ହୋଇଥିଲା ଆବେଦନ। ଏହି ମାମଲାରେ ପୁନର୍ବିଚାରର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୧୯୯୪ରେ ଇସମାଇଲ ଫାରୁକି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ କୌଣସି ସ୍ଥାନରେ ନମାଜ ପାଠ କରାଯାଇ ପାରିବ। ଏଥିପାଇଁ ମସଜିଦ୍ ଜରୁରୀ ନୁହେଁ। ତେବେ ତିନିଜଣିଆ ଖଣ୍ଡପୀଠର ଜଣେ ବିଚାରପତି ଏହା ସହ ଏକମତ ହୋଇନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ,ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ବିରୋଧରେ ମୁସଲିମ୍ ସମୁଦାୟ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଯିବା ପରେ ୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଅଯୋଧ୍ୟାର ବିବାଦୀୟ ଜମିକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ୩ ଭାଗରେ ବିଭକ୍ତ କରିଥିଲେ।
ଏହାର ପ୍ରମୁଖ ଅଂଶ ହିନ୍ଦୁଙ୍କ ଭାଗରେ ପଡ଼ିଥିଲା। ଏହି ରାୟର ପ୍ରତିବାଦ କରି ଉଭୟ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଷୋଡ଼ଶ ଶତାବ୍ଦୀରେ ନିର୍ମିତ ବାବ୍ରି ମସଜିଦ୍କୁ ୧୯୯୨ ମସିହା ଡିସେମ୍ବର 6 ତାରିଖରେ କରସେବକମାନେ ଭାଙ୍ଗି ଦେଇଥିଲେ। କରସେବକଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ଅଯୋଧ୍ୟାରେ ପୂର୍ବରୁ ଥିବା ରାମ ମନ୍ଦିରଙ୍କୁ ଭଙ୍ଗାଯାଇ ଏଠାରେ ମସଜିଦ୍ ଗଢ଼ି ଉଠିଥିଲା। ତେଣୁ ଏଠାରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ୍। ଯାହାକୁ ନେଇ ପରବର୍ତ୍ତୀ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ହେବା ସହ ଦୀର୍ଘ ବର୍ଷ ଧରି କୋର୍ଟରେ ମାମଲା ରହି ଆସିଛି।
from Odisha Reporter https://ift.tt/2OXDaHP
No comments:
Post a Comment