
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିବାର୍ଚନ ପାଇଁ କଂଗ୍ରେସ୍ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ବ୍ୟସ୍ତ ଥିବା ବେଳେ ଦଳକୁ ଜୋର୍ ଝଟକା ଦେଇଛନ୍ତି ବରିଷ୍ଠ ନେତା ତଥା କୋରାପୁଟ ବିଧାୟକ କୃଷ୍ଣ ସଗରିଆ। ଆଜି ସେ ପିସିସି ସାଧାରଣ ସମ୍ପାଦକ ପଦ ଛାଡ଼ିବା ସହ ପିସିସି ସଭାପତିଙ୍କ ନେତୃତ୍ୱକୁ ଚାଲେଞ୍ଜ କରିଛନ୍ତି।
ଶାସକ ବିଜେଡି ଓ ମୋଦି ଲହରିକୁ ରୋକିବା ପାଇଁ ଦଳ ପ୍ରସ୍ତୁତ କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପିଇସି ବୈଠକରେ ଆଜି ୪୪ ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି ଦଳ। ହେଲେ ଏହି ସମୟରେ ସଗରିଆ ପିସିସି ସାଧାରଣ ସମ୍ପାଦକ ପଦ ଛାଡ଼ିବା ଦଳ ପାଇଁ ଚିନ୍ତା ବଢ଼ାଇ ଦେଇଛି।
ଚକ୍ରାନ୍ତ କରି ତାଙ୍କୁ ପିସିସି ଏସ୍ସି ସେଲ୍ ଅଧ୍ୟକ୍ଷ ପଦରୁ ବାହାର କରାଯାଇ ଅପମାନିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସଗରିଆ।
ସେ କହିଛନ୍ତି, “ବର୍ତ୍ତମାନ ଦଳ ଠିକ୍ ଭାବେ ଚାଲିନାହିଁ। ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ କାମ ଦଳରେ ଚାଲିଛି। ତେଣୁ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛି। ହେଲେ ଦଳରେ ରହିବି।”
ଏହାସହ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଖୋଲାଖୋଲି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି, “ପିସିସି ସଭାପତି ପ୍ରକୃତରେ କଂଗ୍ରେସର ସଂଗଠନ ଚାହୁଁଛନ୍ତି ନା ନିଜର ବ୍ୟକ୍ତିଗତ ସଂଗଠନ ଦଳ ଭିତରେ ବଢ଼ାଇବାକୁ ଚାହୁଁଛନ୍ତି।”
ଅନ୍ୟପକ୍ଷରେ ଶ୍ରୀ ସଗରିଆଙ୍କୁ ମନାଇବାକୁ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, “କୃଷ୍ଣ ଭାଇଙ୍କ ସହ ଆଲୋଚନା ହେବ। ଯାହାବି ତାଙ୍କର ଅଭିଯୋଗ ରହିଛି ତାକୁ ଦୂର କରିବା ପାଇଁ ପ୍ରଦେଶ କଂଗ୍ରେସ୍ କମିଟି ଆପ୍ରାଣ ଉଦ୍ୟମ କରିବ। ମୋର ଆଶା ଓ ବିଶ୍ୱାସ ସବୁକିଛି ଠିକ୍ ହୋଇଯିବ।”
from Odisha Reporter https://ift.tt/2RfVu0c
No comments:
Post a Comment