
ନୂଆପଡ଼ା (ମାୟାଧର ସରାଫ): ୧୮ ବର୍ଷ ବିତିଗଲାଣି, ହେଲେ ସରୁନି କାମ। ଏହାସହ ନିମ୍ନମାନର କାମ। ସ୍ଥିତି ଏବେ ଭୟାନକ। ଯେକୌଣସି ସମୟରେ ଦୁର୍ଘଟଣା ଘଟି ଚାଲିଯାଇ ପାରେ ହଜାର ହଜାର ଜୀବନ। ଏ ହେଉଛି ନୂଆପଡ଼ା ଜିଲ୍ଲାରେ ନିର୍ମାଣାଧୀନ ଲୋୟର୍ ଇନ୍ଦ୍ର ଜଳସେଚନ ପ୍ରକଳ୍ପ।
ଗୋଟିଏ ପଟେ କାମ ସରୁ ନଥିବା ବେଳେ ଅନ୍ୟପକ୍ଷେ ଉଠିଛି ନିମ୍ନମାନର କାମର ଅଭିଯୋଗ। ପ୍ରକଳ୍ପ କେଉଁଠି ଦବି ଯାଇଛି ତ ଆଉ କେଉଁଠି ସିମେଣ୍ଟ ଖସୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ପ୍ରକଳ୍ପର ମୁଖ୍ୟ ସ୍ପିଲ୍ ୱେ’ର ୧୦୦ ମିଟର ଦୂରରେ ଏକ ହିଡ଼ ଦବି ଯାଇଛି। ଏହାସହ ଏକାଧିକ ସ୍ଥାନରେ କଂକ୍ରିଟ ଖସିଯାଇଛି। ଖାଲି ସେତିକି ନୁହେଁ, ଡ୍ୟାମ୍ର ଭିତରପଟକୁ ଦିଆଯାଇଥିବା ପଥର ପ୍ୟାଚିଂ ବି ଅସ୍ୱାଭାବିକ ଭାବେ ଦବିବାରେ ଲାଗିଛି। ଡ୍ୟାମ୍ ମୁଖ୍ୟ ଅଂଶର ମାଟି ଦବିଯିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ନିମ୍ନମାନର କାମ ଯୋଗୁ ପ୍ରକଳ୍ପ ପ୍ରତି ବିପଦ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ସ୍ଥାନୀୟ ବାସିନ୍ଦା ସଞ୍ଜୟ ତିୱାରୀ କହିଛନ୍ତି, “୧୮ ବର୍ଷ ହୋଇଗଲା କାମ ସରିଲାଣି। ସ୍ପିଲ୍ ୱେ’ର ଦୁଇ ପଟେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ମାଟି ଧସି ଗଲାଣି। ଆରମ୍ଭରୁ ଦୁର୍ନୀତି କରିବାକୁ ଯେମିତି ଅଫିସରମାନେ ମନସ୍ଥ କରି ନେଇଛନ୍ତି।”
ଆଉ ଜଣେ ସ୍ଥାନୀୟ ବାସିନ୍ଦା ପରମାନନ୍ଦ ଭୋଇ କହିଛନ୍ତି, “୩ ଫୁଟ ପର୍ଯ୍ୟନ୍ତ ମାଟି ଦବି ସାରିଲାଣି। ଯଦି ଡ୍ୟାମ୍ ଭୁଶୁଡ଼ି ପଡ଼ିଲା ତେବେ ତଳିଆ ଅଞ୍ଚଳର ଲୋକଙ୍କ ଜୀବନ ଚାଲିଯିବ। ଉପର ମୁଣ୍ଡରେ ଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ମିଳିନାହିଁ। ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯାଉ।”
ଘାସିରାମ ମାଝୀ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଆଉ ୧୦ ଫୁଟ୍ର ପାଣି ରହିଲେ ଏହା ଭାଙ୍ଗିଯିବା ଆଶଙ୍କା ରହିଛି। ଯଦି ଏହା ଭାଙ୍ଗି ଗଲା, ତେବେ ତଳ ମୁଣ୍ଡରେ ରହୁଥିବା ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବ। ଏହି ନିମ୍ନମାନର କାମର ତଦନ୍ତ କରାଯାଉ। ଏପରି ନିମ୍ନମାନର କାମ ପାଇଁ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।”
ଅନ୍ୟପକ୍ଷରେ ନିମ୍ନମାନର କାମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଶ କୁମାର ନାଏକ। ସେ କହିଛନ୍ତି, “କିଛି ସ୍ଥାନରେ ଫାଟ ଦେଖାଦେଇଛି। ଏହାର ମରାମତି ପାଇଁ ପଦକ୍ଷେପ ନିଆଯାଉଛି। ଡ୍ୟାମ୍ ପ୍ରତି କୌଣସି ବିପଦ ନାହିଁ।”
from Odisha Reporter https://ift.tt/2OEa0QX
No comments:
Post a Comment