
ସଞ୍ଚୟ ଏକ ଭଲ ଅଭ୍ୟାସ। ସ୍ୱୀକୃତିପ୍ରାପ୍ତ ଆର୍ଥିକ ପରାମର୍ଶଦାତାଙ୍କ ମତ ଅନୁସାରେ ନିୟମିତ ଓ ଶୃଙ୍ଖଳିତ ଭାବେ ସଞ୍ଚୟ କଲେ ଆମେ ଆମ ଜୀବନର ସର୍ବାଧିକ ଆର୍ଥିକ ଲକ୍ଷ୍ୟ ହାସଲ କରି ପାରିବା।
ଆର୍ଥିକ ଲକ୍ଷ୍ୟ କ’ଣ?
କାର୍ କିଣିବା, ପୁଅ ଝିଅଙ୍କ ଉଚ୍ଚଶିକ୍ଷା, ବାହାଘର, ନୂତନ ଘର ନିର୍ମାଣ, ଅବସର ସମୟରେ ଭ୍ରମଣ କରିବା ଆଦି ଆପଣଙ୍କ ଜୀବନର ଏକ ଏକ ଲକ୍ଷ୍ୟ। ଏଥିପାଇଁ ଏକକାଳୀନ ବଡ଼ ପରିମାଣର ଟଙ୍କା ଅବଶ୍ୟକ ପଡିଥାଏ। ତେଣୁ ଏହାକୁ ଆର୍ଥିକ ଲକ୍ଷ୍ୟ କୁହାଯାଇପାରେ।
ଆର୍ଥିକ ଲକ୍ଷ୍ୟ ହାସଲ କରିବେ କିପରି?
ଅନେକେ ଭାବନ୍ତି ଆଜିର ଜୀବନ ଆଜି ଜିଇଁବା, କାଲିକୁ କିଏ ଦେଖିଛି? ଆଧୁନିକ ଅର୍ଥନୀତି ଶାସ୍ତ୍ରର ଜନକ ଜନ୍ ମିନାର୍ଡ କେନ୍ସ କହିଥିଲେ, ଫ୍ୟୁଚର ଇଜ୍ ଅନସର୍ଟନ ଅର୍ଥାତ ଭବିଷ୍ୟତ ଅନିଶ୍ଚିତ। କିନ୍ତୁ ଯଦି ତାହା ଶତ ପ୍ରତିଶତ ସତ ହୋଇଥାନ୍ତା, ତେବେ ହୁଏତ କେହି ଜୀବନରେ ସଞ୍ଚୟ କରନ୍ତେନି। ଯାହା ରୋଜଗାର କରନ୍ତେ ତାହା ଖାଇ ପିଇ ପାର୍ କରିଦିଅନ୍ତେ।
କିନ୍ତୁ ଜୀବନରେ ସଞ୍ଚୟର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ସଞ୍ଚୟ ନିହାତି ଆବଶ୍ୟକ। ନଚେତ ଦରକାର ବେଳେ ନିଜ ହାତରେ ପଇସା ନ ଥିଲେ ଅନ୍ୟ ପାଖରେ ହାତ ପାତିବାକୁ ପଡିବ। ସିଧା କହିଲେ ଋଣ କରିବାକୁ ପଡିବ। ବଡ଼ବଡ଼ ଶିଳ୍ପପତି, ବ୍ୟବସାୟୀମାନଙ୍କ କ୍ଷେତ୍ରରେ ଏହା ଗ୍ରହଣୀୟ ହୋଇପାରେ। କାରଣ ସେମାନଙ୍କୁ ବୃହତ ପରିମାଣରେ ପୁଞ୍ଜି ଆବଶ୍ୟକ ଏବଂ ସେମାନଙ୍କ ପାଇଁ ବିଭିନ୍ନ ବ୍ୟାଙ୍କ ତଥା ଆର୍ଥିକ ପ୍ରତିଷ୍ଠାନ ଋଣ ଦେବା ପାଇଁ ଅନାଇ ବସିଛନ୍ତି।
କିନ୍ତୁ ବ୍ୟକ୍ତିଗତ ଜୀବନ କ୍ଷେତ୍ରରେ ନିଜ ଝିଅ ବାହାଘର, ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା ଏବଂ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଟଙ୍କା କିଏ ଦେବ? ଏଥିପାଇଁ ଋଣ ଉପରେ ନିର୍ଭର କରିବା ମୁର୍ଖତା। ତେଣୁ ସବୁ ଦୃଷ୍ଟିରୁ ପରେ ଋଣ କରିବା ଅପେକ୍ଷା ଏବେଠାରୁ ସଞ୍ଚୟ କରିବା ଭଲ ।
ଏଠାରେ ପଢନ୍ତୁ ସଞ୍ଚୟ କରିବାର ୧୦ ପ୍ରମୁଖ କାରଣ
୧- ସଞ୍ଚୟ କରିବା ଦ୍ବାରା ଆପଣ ନିଜର ଆର୍ଥିକ ସ୍ବାଧୀନତା ହାସଲ କରି ପାରିବେ।
୨- ଅବସରକାଳୀନ ପାଣ୍ଠିଗଠନ କରିପାରିବେ। ଫଳରେ ସେ ସମୟରେ କାମ ନ କଲେ ମଧ୍ୟ ଘରେ ବସି ଖାଇ ପାରିବେ।
୩- ସୁନ୍ଦର ଘରଟିଏ ନିର୍ମାଣ କରିପାରିବେ।
୪- ଆମୋଦପ୍ରମୋଦ ପାଇଁ ବିଦେଶ ଭ୍ରମଣ କରି ପାରିବେ।
୫- ପୁଅଝିଅଙ୍କ ପାଠପଢା ଖର୍ଚ୍ଚ ତଥା ବିବାହ ଖର୍ଚ୍ଚ ତୁଲାଇ ପାରିବେ।
୬-ସଞ୍ଚୟ କରିଥିଲେ ଜରୁରିକାଳୀନ ସମୟରେ କାହାପାଖରେ ହାତ ପାତିବେନି।
୭- ବର୍ତ୍ତମାନ କିଛି ଅର୍ଥ ସଞ୍ଚୟ କରିଥିଲେ ପରବର୍ତ୍ତୀ ସମୟରେ ଅଧିକ ଉପାର୍ଜନ ପାଇଁ ଏହାକୁ ନିବେଶ କରି ଅଧିକ ସମ୍ପତ୍ତି ସୃଷ୍ଟି କରିପାରିବେ।
୮-ଆର୍ଥିକ ସଙ୍କଟ ସମୟରେ ନିଜକୁ ସୁରକ୍ଷିତ ରଖିପାରିବେ।
୯- ସଞ୍ଚୟ କଲେ ସଞ୍ଚୟ ଭଳି ଏକ ଭଲ ଅଭ୍ୟାସ ଆରମ୍ଭ କରିବେ।
୧୦- ମାନସିକ ଶାନ୍ତି ଅନୁଭବ କରିବେ।
from Odisha Reporter https://ift.tt/2y8sbUo
No comments:
Post a Comment