ମନୋଜ ଦାସଙ୍କ ଅନୁମତି ବିନା ତାଙ୍କ କାହାଣୀକୁ ନେଇ ଫିଲ୍ମ କରି ହଟହଟା ହେଲେ, କ୍ଷମା ମାଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ମନୋଜ ଦାସଙ୍କ ଅନୁମତି ବିନା ତାଙ୍କ କାହାଣୀକୁ ନେଇ ଫିଲ୍ମ କରି ହଟହଟା ହେଲେ, କ୍ଷମା ମାଗିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରମ୍ବାର ଦାବି ହୁଏ ଏବଂ ଭଲ ଫିଲ୍ମ ବାବଦରେ ଚର୍ଚ୍ଚା ସମୟରେ ପ୍ରସ୍ତାବ ଆସେ ନିଚ୍ଛକ ଓଡ଼ିଆ କାହାଣୀ ଏବଂ ପ୍ରସିଦ୍ଧ କଥାକାରମାନଙ୍କର ସ୍ୱକୀୟ କାହାଣୀକୁ ନେଇ ସିନେମା ହେଉ। ଏଥିରେ ଓଡ଼ିଆ ସିନେମା ରୁଦ୍ଧିମନ୍ତ ହେବା ସହିତ ନକଲ ଫିଲ୍ମ ବଦଳରେ ମୌଳିକ କାହାଣୀର ଫିଲ୍ମ ଦର୍ଶକଙ୍କୁ ପୁଣି ହଲ୍‌ମୁହାଁ କରିବ। କିନ୍ତୁ ଏହି ପ୍ରୟାସର ଏକ ବିକୃତ ରୂପ ଏବେ ସାମ୍ନାକୁ ଆସିଛି।

ସୁଵିଖ୍ୟାତ କଥାକାର ମନୋଜ ଦାସଙ୍କର ଅନ୍ୟତମ ଶ୍ରେଷ୍ଠ କାହାଣୀ ‘ଜହ୍ନ ରାତିର ସେତୁ’କୁ ନେଇ ତିଆରି ହୋଇଛି ଏକ ଫିଲ୍ମ। କିନ୍ତୁ ନିର୍ମାତା ମନୋଜ ଦାସଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକଙ୍କ କାହାଣୀକୁ ‘ମରିଚୀକା’ ନାମକ ଫିଲ୍ମରେ ରୂପାନ୍ତରିତ କରିଥିଲେ ମଧ୍ୟ ତାଙ୍କର ଅନୁମତି ନେବାକୁ ଉଚିତ ମଣିନାହାନ୍ତି ବୋଲି ଜଣାଯାଇଛି। ଏହି କାହାଣୀର ପିଣ୍ଡକୁ ଅକ୍ଷୁର୍ଣ୍ଣ ରଖି କାହାଣୀର ଚରିତ୍ରମାନଙ୍କୁ ଏବଂ ବାର୍ତ୍ତାକୁ କଦର୍ଥ କରି ଭିନ୍ନ ମୋଡ଼ ଦେଇଥିବାର ଅଭିଯୋଗ ଆସିଛି।

ଏହାକୁ ନେଇ ପ୍ରଥମେ ମନୋଜଙ୍କ ପାଠକ ଓ ପ୍ରଶଂସକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଏପରି ପ୍ରୟାସକୁ କଡ଼ା ସମାଲୋଚନା କରାଯାଉଛି।

ମନୋଜ ଦାସଙ୍କ କାହାଣୀ ‘ଜହ୍ନ ରାତିର ସେତୁ’ରେ ନିରୁତା ଏବଂ ନିଚ୍ଛକ ପ୍ରେମର କାହାଣୀ ରହିଥିବାବେଳେ ଏହି ଫିଲ୍ମରେ ସମାନ କାହାଣୀକୁ ଭିନ୍ନ ଭାବରେ ଚିତ୍ରାୟିତ କରାଯାଇଛି। ମୂଳ କାହାଣୀରେ ସେତୁକୁ ଆଳ କରି ଯୁବବୟସର ପ୍ରେମ କିଭଳି ବୟସର ଅପରାହ୍ଣରେ ମଧ୍ୟ ଶାଶ୍ୱତ ଏବଂ ସ୍ମୃତି ବିଜଡ଼ିତ ହୋଇ ରହିଥାଏ ତାହା ବର୍ଣ୍ଣନା କରିଥିଲେ କଥାକାର ଶ୍ରୀ ଦାସ। କିନ୍ତୁ ଫିଲ୍ମରେ ଏହାକୁ ମରିଚୀକା (Mirage-An illusion of love) ଭଳି ଏକ ନକାରାତ୍ମକ ଢଙ୍ଗରେ ରୂପାୟିତ କରାଯାଇଛି।

ମୂଳ କାହାଣୀ ମନୋଜ ଦାସଙ୍କ ସମସ୍ତ ସୃଷ୍ଟି ପରି ସରଳ, କିନ୍ତୁ ଫିଲ୍ମରେ ବ୍ୟବସାୟିକ ସିନେମା ସୁଲଭ ମସଲା ରହିଥିବାରୁ ମୂଳ କାହାଣୀ ପଢ଼ିଥିବା ପ୍ରଶଂସକଙ୍କୁ ଏହା ଖୁବ୍‌ ବାଧିଛି।

ଜଣେ ଶ୍ରେଷ୍ଠ ସ୍ରଷ୍ଟାଙ୍କ କାହାଣୀରେ ପରିବର୍ତ୍ତନ କରିବା ବହୁତ ବଡ଼ ଦୋଷ ହୋଇଥିବାବେଳେ କଥାକାରଙ୍କୁ ଉପଯୁକ୍ତ ଶ୍ରେୟଦେବାକୁ ନେଇ ମଧ୍ୟ ଏହି ଫିଲ୍ମ ନିର୍ମାତା କୁଣ୍ଠା ପ୍ରକାଶ କରିଛନ୍ତି। ଏହାର କାହାଣୀ ଏବଂ ନିର୍ଦ୍ଦେଶନା କ୍ଷେତ୍ରରେ ସୋମିଓ ନାମକ କେହି ବ୍ୟକ୍ତିଙ୍କ ନାମ ଏବଂ ପ୍ରଯୋଜନା ପାଇଁ କବିତା ପାତ୍ରଙ୍କ ନାମ ଉଲ୍ଲେଖ ରହିଛି। ଏପରିକି ସମ୍ପାଦନା ଓ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ପାଇଁ ମଧ୍ୟ ଯଥାରୀତି ବଡ଼ ବଡ଼ ଅକ୍ଷରରେ ସ୍ପଷ୍ଟଭାବେ ଶ୍ରେୟ ଦିଆଯାଇଛି। କିନ୍ତୁ ସବା ଶେଷରେ ମନୋଜ ଦାସଙ୍କ ନାମ ରହିଛି ଛୋଟ ଛୋଟ ଅକ୍ଷରରେ ‘Inspired from the story of Sir Manoj Das’ ବୋଲି ଉଲ୍ଲେଖ ରହିଛି, ଯାହାକି ଫିଲ୍ମ ସରିବା ବେଳକୁ ରହିଛି। ଅର୍ଥାତ ଦର୍ଶକଙ୍କ ଆଖିରେ ନ ପଡ଼ିବା ଭଳି ହୋଇଛି। କାହାଣୀ ହିଁ ଫିଲ୍ମର ଆତ୍ମା ହୋଇଥିବାବେଳେ ଏହାକୁ ଅଣଦେଖା କରିବାକୁ ନେଇ ମନୋଜ ଦାସ ଫ୍ୟାନ୍ସ ନାମରେ ଥିବା ସୋଶାଲ ମିଡିଆ ଗ୍ରୁପ୍‌ରେ ବିଭିନ୍ନ ବ୍ୟକ୍ତି ମତ ରଖିଛନ୍ତି।

ତେବେ ‘ଜହ୍ନ ରାତିର ସେତୁ’ର ମୂଳ କାହାଣୀକୁ ନେଇ ଆଗରୁ ୨୦୧୨ ମସିହାରେ ମଧ୍ୟ ଟେଲିଫିଲ୍ମ ନିର୍ମାଣ କରାଯାଇସାରିଛି। ଏହା ମନୋଜ ଦାସଙ୍କ ଜାଣତରେ ଏବଂ ଅନୁମତିରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିଲା ଏବଂ ଏଥିରେ ମୁଖ୍ୟ ଚରିତ୍ରରେ ପ୍ରଭଞ୍ଜନ ମିଶ୍ର ଅଭିନୟ କରିଥିଲେ। ଶ୍ରୀତମ ଦାସ ଏହାର ନିର୍ଦ୍ଦେଶନା ଦେଇଥିଲେ। ପ୍ରଭଞ୍ଜନ ମଧ୍ୟ ସୋଶାଲ ମିଡିଆରେ ‘ମରିଚୀକା’ ଫିଲ୍ମକୁ ନେଇ ନିଜ ମତ ରଖିଛନ୍ତି।

ଶେଷ ଖବର ସୁଦ୍ଧା ଫିଲ୍ମର ପ୍ରଯୋଜକ ତାଙ୍କ ଅଲକ୍ଷ୍ୟରେ ହୋଇଥିବା ଏହି ଭୁଲ୍‌ ପାଇଁ କ୍ଷମା ମାଗିଥିବା ଜଣାଯାଇଛି। ମୌଳିକ କାହାଣୀ ଉପରେ କାମ କରିବାକୁ ଇଚ୍ଛୁକ ଥିବା କିଛି ଯୁବ ବୟସର ପ୍ରତିଭାଙ୍କ ପ୍ରୟାସରେ ଏହା ନିର୍ମିତ ହୋଇଥିଲା ବୋଲି ସେ ମତ ରଖିବା ପରେ ସେ ଲିଖିତ ଆକାରରେ କ୍ଷମା ମାଗିବେ ବୋଲି ଜଣାଯାଇଛି। ମନୋଜ ଦାସଙ୍କ ପରି ଅନ୍ୟ ସମସ୍ତ ପ୍ରସିଦ୍ଧ ଲେଖକଙ୍କ କୃତିକୁ ନେଇ ଫିଲ୍ମ ହେଉ, କିନ୍ତୁ ଏ ଦିଗରେ ଆବଶ୍ୟକ ସୌଜନ୍ୟ ଏବଂ ମୌଳିକତା ବଜାୟ ରଖିବାକୁ ସିନେପ୍ରେମୀମାନେ ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/2RmT8Mp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages