ଧାଡ଼ି ଦର୍ଶନ ବ୍ୟବସ୍ଥା ଫେଲ୍‌: ନିୟମ ସଂଶୋଧନ କଲା ମନ୍ଦିର ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଧାଡ଼ି ଦର୍ଶନ ବ୍ୟବସ୍ଥା ଫେଲ୍‌: ନିୟମ ସଂଶୋଧନ କଲା ମନ୍ଦିର ପ୍ରଶାସନ

puri

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବହୁଚର୍ଚ୍ଚିତ ଧାଡ଼ି ଦର୍ଶନରେ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଛନ୍ତି ଭକ୍ତ। ଏପରି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ନିଜ ଗୋଡ଼ ପଛକୁ ନେଇଛି ଓ ନିୟମରେ ସଂଶୋଧନ କରିଛନ୍ତି।
ବହୁ ବିବାଦ ଓ ବିରୋଧ ସତ୍ତ୍ୱେ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା। ହେଲେ ପ୍ରଥମରୁ ଦେଖିବାକୁ ମିଳିଥିଲା ବିଭ୍ରାଟ। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ମୁତାବକ, ଆଜିଠୁ କେବଳ ସିଂହଦ୍ୱାର ବାଟ ଦେଇ ଭକ୍ତଙ୍କୁ ଛଡ଼ା ଯିବାର ବ୍ୟବସ୍ଥା ହୋଇଥିଲା। ଅନ୍ୟ ୩ ଦ୍ୱାରରେ ପ୍ରବେଶ କଟକଣା ଯୋଗୁ ଭୋର ୫ଟା ବେଳକୁ ଶହ ଶହ ଭକ୍ତ ସିଂହଦ୍ୱାର ଆଗରେ ଲାଇନ୍ ଲଗାଇ ଛିଡ଼ା ହୋଇଥିଲେ।
ସେପଟେ ଲମ୍ବା ଧାଡ଼ି ଦେଖି ଅନେକ ଦିବ୍ୟାଙ୍ଗ, ବୃଦ୍ଧ ଓ ଅସୁସ୍ଥ ଭକ୍ତ ବ୍ୟାରିକେଡ୍ ବାହାରେ ଛିଡ଼ା ହୋଇ ରହିଥିଲେ। ଭୋର ସାଢ଼େ ୫ଟା ସମୟରେ ସିଂହଦ୍ୱାର ଖୋଲିବା ମାତ୍ରେ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ଭକ୍ତ।
କେବଳ ସେତିକି ନୁହେଁ, ଏହି ସମୟରେ କିଛି ଭିଆଇପି ଭକ୍ତଙ୍କୁ ପୁଲିସ ବାଟ କଢ଼େଇ ନେବାରୁ ଭକ୍ତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଜଣେ ମହିଳା ଭକ୍ତ କହିଛନ୍ତି, “ଆମେ ସକାଳୁ ଆସିଥିଲୁ ଆଳତୀ ଦେଖିବାକୁ। ବହୁତ ଭିଡ଼ ଥିବାରୁ ଯାଇପାରି ନଥିଲୁ।”
ଅନ୍ୟ ଜଣେ ଭକ୍ତ କହିଛନ୍ତି, “ଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନର ଆବଶ୍ୟକତା ନାହିଁ। ଏଟା କ’ଣ ମ୍ୟୁଜିୟମ୍‌ ହୋଇଛି, ଲୋକେ ଲାଇନ୍‌ ଦେଇ ଯିବେ। ଏହାକୁ ଘୋର ବିରୋଧ କରାଯିବ।”
ଶାସ୍ତ୍ର ଅନୁସାରେ ଶ୍ରୀମନ୍ଦିର ୪ ଦ୍ୱାରକୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଭାବେ ବିବେଚନା କରାଯାଏ। ତା’ସହ ୨୨ ପାହାଚର ବି ବିଶେଷତ୍ୱ ରହିଛି। ତେବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାରଣରୁ ଭକ୍ତମାନଙ୍କୁ ଅନ୍ୟ ଦ୍ୱାର ଦେଇ ଛଡ଼ା ନଯିବା ଓ ୨୨ ପାହଚକୁ ଖୋଳି ଦିଆଯିବା ସହ ସେଠାରେ ଶ୍ରାଦ୍ଧ କ୍ରିୟାରେ ଅସୁବିଧା ସୃଷ୍ଟି ହେବାରୁ ତେଜିଛି ଅସନ୍ତୋଷ।
ସୁପ୍ରିମକୋର୍ଟଙ୍କ ଆଦେଶକୁ କଦର୍ଥ କରି ଶ୍ରୀମନ୍ଦିର ସଂସ୍କାର ନାଁରେ ଭକ୍ତଙ୍କ ଆବେଗ ଓ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରାଯାଉଥିବା କହିଛନ୍ତି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ସମ୍ପାଦକ କାଶୀନାଥ ଖୁଣ୍ଟିଆ।
ପୁରୀ ଜିଲ୍ଲାପାଳ କହିଛନ୍ତି, “ବ୍ୟବସ୍ଥା ନୂଆ। ତ୍ରୁଟି ସୁଧାରି ଆଗକୁ ବଢ଼ିବାକୁ ହେବ।”
ସେପଟେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ ସହ ଅନ୍ୟ କେତେକ ସମସ୍ୟାକୁ ନେଇ ଆସନ୍ତା ୩ରେ ପୁରୀ ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା।
ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ପରେ ତୁରନ୍ତ କେତେକ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ମହାପ୍ରସାଦ ପାଇଁ ଆଉ ଲମ୍ବା ଧାଡ଼ିରେ ଠିଆ ହେବେନି ଭକ୍ତ। ଉତ୍ତର ଦ୍ୱାର ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ ଆଣିପାରିବେ। ଏହାସହ ଦର୍ଶନ ପାଇଁ ସ୍ଥାନୀୟ ବାସିନ୍ଦା, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, “ବର୍ତ୍ତମାନ ଶୃଙ୍ଖଳିତ ଭାବେ ଧାଡ଼ି ଦର୍ଶନ ଚାଲିଛି। ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ତେଣୁ ବର୍ତ୍ତମାନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ସପ୍ତାହକୁ ଥରେ କିମ୍ବା ଦୁଇ ଥର କରାଯିବ। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯିବ।”



from Odisha Reporter https://ift.tt/2NSrhWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages