
ଅନୁଗୋଳ(ଓଡ଼ିଶା ରିପୋର୍ଟର): ତିନି ଦିନ, ତିନି ରାତି ଏକ କରିଦେଲେ। ନାକେଦମ ହୋଇଗଲେ ବନ ବିଭାଗ କର୍ମଚାରୀ ଓ ଟ୍ରାଙ୍କୁଲାଇଜ୍ ଟିମ୍। କେବଳ ମଣିଷ ଖିଆ ବାଘୁଣୀକୁ ସୁନ୍ଦରୀକୁ ଧରିବାକୁ। ହେଲେ କିଛି ଲାଭ ହେଲା ନାହିଁ। ସମସ୍ତଙ୍କୁ ଚକମା ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲି ଯାଉଛି ସୁନ୍ଦରୀ।
ଏବେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ପ୍ରଶାସନ ଅଧିକ ଏକ୍ସପର୍ଟ ଟିମ୍ର ସହଯୋଗ ନେବାକୁ ପ୍ରୟାସ ଆରମ୍ଭ କରିଛି। ମଧ୍ୟପ୍ରଦେଶର କାହ୍ନା ଓ ପୁଞ୍ଚରୁ ୨ଟି ଟ୍ରାଙ୍କୁଲାଇଜେସନ୍ ଟିମ୍ ସାତକୋଶିଆ ଗସ୍ତରେ ଆସୁଛନ୍ତି। ଏମାନେ ଓଡ଼ିଶାର ଟିମ୍ ସହ ମିଶି ‘ମିଶନ ଟ୍ରାଙ୍କୁଲାଇଜ୍’କୁ ଶେଷ କରିବାକୁ ଉଦ୍ୟମ କରିବେ। ଏନେଇ ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।
ଏବେ ସାତକୋଶିଆର ବାଘମୁଣ୍ଡା ନିକଟବର୍ତ୍ତୀ ଛାଞ୍ଚୁଣିଆ ଜଙ୍ଗଲରେ ସୁନ୍ଦରୀ ଲୁଚି ବୁଲୁଥିବା ସୂଚନା ମିଳିଛି। ବଡ଼ି ଭୋରରୁ ବନ ବିଭାଗ କର୍ମଚାରୀ ଓ ପୁଲିସ୍ ଉକ୍ତ ଅଞ୍ଚଳକୁ ଜଗି ରହିଥିଲେ ମଧ୍ୟ ସୁନ୍ଦରୀକୁ କାବୁ କରିବାକୁ ସଫଳ ହୋଇ ପାରୁନାହାନ୍ତି।
ବାଘୁଣୀ ସୁନ୍ଦରକୁ ଧରିବାରେ ଯେତିକି ବିଳମ୍ବ ହେଉଛି, ସେତିକି ଭୟଭୀତ ହୋଇପଡ଼ୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଲୋକେ ଘରୁ ବାହାରୁ ନାହାନ୍ତି। ଏପରିକି ଗାଈଗୋରୁଙ୍କୁ ମଧ୍ୟ ପଦାକୁ ଛାଡୁ ନାହାନ୍ତି।
ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇ ଯାଇଛି କହିଲେ ଭୁଲ ହେବ ନାହିଁ। ପୂଜା ଛୁଟି ପରେ ସ୍କୁଲ ଖୋଲିଛି। ହେଲେ ସୁନ୍ଦରୀ ଭୟ ଏତେ ଘାରିଛି ଯେ, ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି।
from Odisha Reporter https://ift.tt/2qdPicQ
No comments:
Post a Comment