ଆଜି ସର୍ଦ୍ଦାର ପଟେଲ୍‌ଙ୍କ ଜନ୍ମଦିନ: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଆଜି ସର୍ଦ୍ଦାର ପଟେଲ୍‌ଙ୍କ ଜନ୍ମଦିନ: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ

ଆଲେଖ୍ୟ: ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ

୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଥିଲା ଏକ ସଙ୍କଟମୟ ସମୟ। ଔପନିବେଶିକ ଶାସନର ଅନ୍ତଃ ନିଶ୍ଚିତ ଥିଲା ଓ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା। କିନ୍ତୁ ଯାହା ଅନିଶ୍ଚିତ ଥିଲା, ତାହା ହେଉଛି ଭାରତର ଗୋଟିଏରୁ ଅଧିକ ବିଭାଜନ ହେବ ନାହିଁ ତ? ଦରଦାମ ବଢ଼ୁଥିଲା, ଖାଦ୍ୟାଭାବ ଅତି ସାଧାରଣ କଥା ଥିଲା। କିନ୍ତୁ ଏସବୁର ଊର୍ଦ୍ଧ୍ୱରେ ଭାରତର ଏକ ଅଖଣ୍ଡତା ପ୍ରତି ଗମ୍ଭୀର ଚାପ ରହିଥିଲା।

ଏହିପରି ପରିସ୍ଥିତିରେ ଜୁନ୍‌ ୧୯୪୭ରେ କାର୍ଯ୍ୟକ୍ଷମ ହେଲା ‘ସ୍ୱରାଷ୍ଟ୍ର ବିଭାଗ’।

ଏହି ବିଭାଗର ପ୍ରମୁଖ ଲକ୍ଷ୍ୟ ମଧ୍ୟରେ ଥିଲା, ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟ ସହ ଭାରତର ସମ୍ପର୍କ ବିଷୟରେ ଆଲୋଚନାକୁ ତ୍ୱରାନ୍ୱିତ କରିବା। ଏହି ରାଜ୍ୟଗୁଡ଼ିକ ଆକାର, ଜନସଂଖ୍ୟା, ପ୍ରାକୃତିକ ବୈଶିଷ୍ଟ୍ୟ ଓ ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଅତ୍ୟନ୍ତ ବିବିଧ ଥିଲେ। ଏହି ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲ୍‌ଙ୍କ ପ୍ରତି ମହାତ୍ମାଗାନ୍ଧୀଙ୍କ ଏକ ବକ୍ତବ୍ୟ ଥିଲା- ‘ରାଜ୍ୟଗୁଡ଼ିକର ସମସ୍ୟା ଏତେ ଜଟିଳ ଯେ, କେବଳ ଆପଣ ହିଁ ଏହାର ସମାଧାନ କରିପାରିବେ।’

ଏହାପରେ ସର୍ଦ୍ଦାର ପଟେଲ୍ ନିଜର କାର୍ଯ୍ୟକୁ ତ୍ରୁଟିଶୂନ୍ୟ, ଦୃଢ଼ ଓ ଦକ୍ଷତାର ସହ କରିବା ଲାଗି ଆଗେଇ ଆସିଲେ। ସମୟ କମ୍ ଥିଲା ଏବଂ କାର୍ଯ୍ୟର ପରିମାଣ ଅତି ବ୍ୟାପକ ଥିଲା। କିନ୍ତୁ ସେ ସାଧାରଣ ବ୍ୟକ୍ତି ନଥିଲେ। ଥିଲେ ସର୍ଦ୍ଦାର ପଟେଲ। ଯିଏ କି ନିଜ ରାଷ୍ଟ୍ରର ସମ୍ମାନକୁ ତଳେ ପକାଇ ନଦେବା ଲାଗି ପ୍ରତିବଦ୍ଧ ଥିଲେ। ଗୋଟିଏ ପରେ ଗୋଟିଏ ଛୋଟବଡ଼ ରାଜତନ୍ତ୍ର ତଥା ଗଡ଼ଜାତ ଶାସନାଧୀନ ରାଜ୍ୟ ସହିତ ସେ ଓ ତାଙ୍କ ଟିମ୍ ଆଲୋଚନା ଜାରି ରଖିଲେ ଏବଂ ଏହା ସୁନିଶ୍ଚିତ କଲେ ଯେ, ଏସବୁ ରାଜ୍ୟ ଯେପରି ସ୍ୱାଧୀନ ଭାରତର ଅଂଶବିଶେଷ ହୋଇପାରିବେ।

ଆଜି ଭାରତର ଯେଉଁ ମାନଚିତ୍ର ଆପଣମାନେ ଦେଖିପାରୁଛନ୍ତି, ତାହା କେବଳ ସର୍ଦ୍ଦାର ପଟେଲଙ୍କ ନିରନ୍ତର ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି। ସ୍ୱାଧୀନତା ହାସଲ ପରେ, ଭିପି ମେନନ୍ ପ୍ରଶାସନିକ ସେବାରୁ ଅବସର ନେବାକୁ ଇଚ୍ଛାବ୍ୟକ୍ତ କଲେ। ହେଲେ ସର୍ଦ୍ଦାର ପଟେଲ ତାଙ୍କୁ କହିଲେ, ଏହା ନା ବିଶ୍ରାମ ନେବାର ସମୟ ନା ଅବସର ନେବାର। ଏପରି ଥିଲା ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଂକଳ୍ପ। ଭିପି ମେନନଙ୍କୁ ସ୍ୱରାଷ୍ଟ୍ର ବିଭାଗର ସଚିବ କରାଗଲା।

ତାଙ୍କର ପୁସ୍ତକ “ଦି ଷ୍ଟୋରୀ ଅଫ୍ ଦି ଇଣ୍ଟିଗ୍ରେସନ୍ ଅଫ୍ ଇଣ୍ଡିଆନ୍‌ ଷ୍ଟେଟ୍‌ସ”ରେ ସେ ଲେଖିଛନ୍ତି କିପରି ଭାବେ ସର୍ଦ୍ଦାର ପଟେଲ୍ ନେତୃତ୍ୱ ନେଇଥିଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମ୍‌କୁ ଅଧ୍ୟବସାୟର ସହ କାର୍ଯ୍ୟ କରିବା ଲାଗି ଅନୁପ୍ରାଣିତ କରିଥିଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତର ଲୋକମାନଙ୍କ ସ୍ୱାର୍ଥ ସହ କୌଣସି ପ୍ରକାରେ ସାଲିସ୍‌ କରାଯିବ ନାହିଁ। ଏହାକୁ ସର୍ଦ୍ଦାର ପଟେଲ ସ୍ପଷ୍ଟ ଭାବେ ପ୍ରଥମରେ ଓ ପ୍ରମୁଖତାର ସହ ଉପସ୍ଥାପନ କରୁଥିଲେ।

୧୫ ଅଗଷ୍ଟ ୧୯୪୭ରେ ଆମେ ଏକ ନୂତନ ଭାଗ୍ୟର ଉଦୟକୁ ପାଳନ କରୁଥିଲୁ ସିନା, ରାଷ୍ଟ୍ର ନିର୍ମାଣ କାର୍ଯ୍ୟ କିନ୍ତୁ ସମ୍ପୂର୍ଣ୍ଣ ହୋଇନଥିଲା। ସ୍ୱାଧୀନ ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ସର୍ଦ୍ଦାର ପଟେଲ୍‌ ପ୍ରଥମେ ଏକ ପ୍ରଶାସନିକ ବ୍ୟବସ୍ଥା ପାଇଁ ମଂଚ ପ୍ରସ୍ତୁତ କରିଥିଲେ। ସର୍ଦ୍ଦାର ପଟେଲ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ। ପ୍ରଶାସନିକ କ୍ଷେତ୍ରରେ ତାଙ୍କର ନିଜସ୍ୱ ଅଭିଜ୍ଞତା, ବିଶେଷ କରି ୧୯୨୦ରେ ସେ ଯେତେବେଳେ ଅହମ୍ମଦାବାଦ ପୌର ପାଳିକାର ପ୍ରଶାସକ ଥିଲେ, ସ୍ୱାଧୀନ ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଙ୍କର ସେହି ଅଭିଜ୍ଞତା ବିଶେଷ ଭାବେ କାମରେ ଆସିଥିଲା।

ଅହମ୍ମଦାବାଦରେ ଥିବା ସମୟରେ ସେ ସହରର ସ୍ୱଚ୍ଛତାକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେ ସାରା ସହରରେ ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲେ। ସଡ଼କ, ବିଦ୍ୟୁତ୍‌କରଣ ଏବଂ ଶିକ୍ଷା ଭଳି ସହରାଚଂଳ ଭିତ୍ତିଭୂମିର ଅନ୍ୟ ଦିଗ ପ୍ରତି ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଆଜି ଭାରତ ଯଦି ନିଜର ଉଜ୍ଜ୍ୱଳ ସମବାୟ କ୍ଷେତ୍ରକୁ ନେଇ ଗର୍ବ କରୁଥାଏ, ଏହାର ଅଧିକାଂଶ ଶ୍ରେୟ ସର୍ଦ୍ଦାର ପଟେଲଙ୍କୁ ହିଁ ଯିବ। ସ୍ଥାନୀୟ ଲୋକ, ବିଶେଷ କରି ମହିଳାମାନଙ୍କୁ ସଶକ୍ତ କରିବା ଲାଗି ତାଙ୍କ ଦୂରଦୃଷ୍ଟିର ମୂଳଦୁଆ ଉପରେ “ଅମୂଲ” ଭଳି ସମବାୟ ସଂସ୍ଥା ଜନ୍ମ ନେଇଥିଲା। ସର୍ଦ୍ଦାର ପଟେଲ ହିଁ ‘ସମବାୟ ଗୃହ ନିର୍ମାଣ ସମିତି’ର ବିଚାରଧାରାକୁ ଲୋକପ୍ରିୟ କରିଥିଲେ, ଯାହା ଅନେକଙ୍କ ପାଇଁ ବାସ ଯୋଗାଇ ଦେଇଥିଲା।

ସର୍ଦ୍ଦାର ପଟେଲଙ୍କର ଦୁଇଟି ବିଶେଷତ୍ୱ ଥିଲା- ବିଶ୍ୱାସ ଏବଂ ସଚ୍ଚୋଟ ପଣିଆ। ଭାରତର କୃଷକମାନେ ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ସେ ନିଜେ ଜଣେ କୃଷକର ପୁତ୍ର ଥିଲେ, ଯିଏ ବର୍ଦ୍ଦୋଲୀ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ। ଶ୍ରମିକ ଶ୍ରେଣୀର ଲୋକମାନେ ତାଙ୍କଠାରେ ଆଶାର କିରଣ ଦେଖିପାରିଥିଲେ। ବ୍ୟବସାୟୀ ଏବଂ ଶିଳ୍ପପତି ସର୍ଦ୍ଦାର ପଟେଲଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ, କାରଣ ସେମାନେ ତାଙ୍କଠାରେ ଏକ ବଳିଷ୍ଠ ବ୍ୟକ୍ତିତ୍ୱକୁ ଦେଖିପାରୁଥିଲେ, ଯାହାଙ୍କର ଭାରତୀୟ ଅର୍ଥନୀତି ଓ ଶିଳ୍ପକୁ ଆଗେଇ ନେବାର ଦୂରଦୃଷ୍ଟି ଥିଲା।

ତାଙ୍କର ରାଜନୈତିକ ସହଯୋଗୀମାନେ ମଧ୍ୟ ତାଙ୍କୁ ବିଶ୍ୱାସ କରୁଥିଲେ। ଆଚାର୍ଯ୍ୟ କୃପାଳିନୀ ମତବ୍ୟକ୍ତ କରିଥିଲେ ଯେ, ସେମାନେ ଯେତେବେଳେ କୌଣସି ସମସ୍ୟାରେ ପଡୁଥିଲେ ଏବଂ ଯଦି ବାପୁଙ୍କ ପରାମର୍ଶ ମିଳିପାରୁ ନଥିଲା, ସେମାନେ ସର୍ଦ୍ଦାର ପଟେଲଙ୍କ ନିକଟକୁ ଯାଉଥିଲେ। ୧୯୪୭ରେ ଯେତେବେଳେ ରାଜନୈତିକ ଆଲୋଚନା ଶୀର୍ଷରେ ରହିଥିଲା, ସରୋଜିନୀ ନାଇଡ଼ୁ କହିଥିଲେ ଯେ, ସର୍ଦ୍ଦାର ପଟେଲ ନିଷ୍ପତ୍ତି ନେବାରେ ଧୂରନ୍ଧର ଏବଂ ଯେମିତି ହେଲେ କାର୍ଯ୍ୟ ସଂପନ୍ନ କରୁଥିବା ଜଣେ ବଳିଷ୍ଠ ବ୍ୟକ୍ତି।

ସର୍ଦ୍ଦାରଜୀଙ୍କୁ ସମସ୍ତେ ତାଙ୍କୁ ବିଶ୍ୱାସ କରୁଥିଲେ, ତାଙ୍କର ସିଧାକଥା ଓ କାର୍ଯ୍ୟ ପାଇଁ। ଜାତି, ବର୍ଣ୍ଣ, ଧର୍ମ, ବିଶ୍ୱାସ ଓ ବୟସ ନିର୍ବିଶେଷରେ ସେ ସମସ୍ତଙ୍କ ପାଖରେ ସମ୍ମାନର ପାତ୍ର ଥିଲେ। ଚଳିତ ବର୍ଷର ସର୍ଦ୍ଦାର ପଟେଲ ଜୟନ୍ତୀ ଆହୁରି ସ୍ୱତନ୍ତ୍ର ହୋଇପାରିଛି। ୧୩୦ କୋଟି ଭାରତୀୟଙ୍କ ଶୁଭକାମନା ସହିତ ‘ଷ୍ଟେଚ୍ୟୁ ଅଫ୍‌ ୟୁନିଟି’ ଆଜି ଉଦ୍ଘାଟନ ହେଉଛି। ନର୍ମଦା ନଦୀ କୂଳରେ ନିର୍ମିତ ସର୍ଦ୍ଦାର ପଟେଲ୍‌ଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ସାରା ବିଶ୍ୱରେ ସର୍ବୋଚ୍ଚ। ‘ଧରିତ୍ରୀ ପୁତ୍ର’ ସର୍ଦ୍ଦାର ପଟେଲ୍‌ ନଭଶ୍ଚୁମ୍ଭୀ ଭାବେ ଦଣ୍ଡାୟମାନ ହୋଇ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ ଏବଂ ଆମକୁ ପ୍ରେରଣା ଦେବେ।

ସର୍ଦ୍ଦାର ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ଏହି ବିଶାଳ ପ୍ରତିମୂର୍ତ୍ତିକୁ ବାସ୍ତବ ରୂପ ଦେବା ଲାଗି, ଦିନରାତି କାର୍ଯ୍ୟ କରିଥିବା ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମୋର ୩୧ ଅକ୍ଟୋବର ୨୦୧୩ କଥା ମନେ ପଡ଼ିଯାଉଛି। ଯେତେବେଳେ ଆମେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ରେକର୍ଡ ସମୟ ମଧ୍ୟରେ ଏତେ ଉଚ୍ଚ ସ୍ତରର ପ୍ରକଳ୍ପ ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବେ ଗର୍ବ ଅନୁଭବ କରୁଥିବେ। ଆଗାମୀ ଦିନରେ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ଦେଖି ଆସିବାକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି।

‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ଉଭୟ ହୃଦୟର ଏକତା ଏବଂ ଆମ ମାତୃଭୂମିର ଭୌଗୋଳିକ ଅଖଣ୍ଡତାର ପ୍ରତୀକ। ଏହା ଆମକୁ ମନେପକାଇ ଦେବ ଯେ, ବିଭାଜିତ ଭାବେ ଆମେ ଆମ ନିଜକୁ ମଧ୍ୟ ମୁକାବିଲା କରିପାରିବା ନାହିଁ। ଏକତ୍ରିତ ଭାବେ ଆମେ ସାରା ବିଶ୍ୱକୁ ସମ୍ମୁଖୀନ ହୋଇପାରିବା ଏବଂ ଅଭିବୃଦ୍ଧି ଓ ସମୃଦ୍ଧିର ନୂତନ ଉଚ୍ଚତାକୁ ଛୁଇଁପାରିବା।

ସାମ୍ରାଜ୍ୟବାଦର ଇତିହାସକୁ ଧ୍ୱସ୍ତ କରିଦେବା ଏବଂ ରାଷ୍ଟ୍ରବାଦର ଜୀବନଶକ୍ତି ସହିତ ଅଖଣ୍ଡ ଭୂଭାଗର ନିର୍ମାଣ କରିବା ଲାଗି ସର୍ଦ୍ଦାର ପଟେଲ ଆଶ୍ଚର୍ଯ୍ୟଜନକ ଗତିରେ କାର୍ଯ୍ୟ କରିଥିଲେ। ସେ ଭାରତକୁ ଖଣ୍ଡ-ବିଖଣ୍ଡ ହେବା ଭଳି ପରିସ୍ଥିତିରୁ ବଂଚାଇଥିଲେ ଏବଂ ଜାତୀୟ ଢାଂଚା ସହ ଏହାର ଦୁର୍ବଳତମ ଭାଗକୁ ମଧ୍ୟ ମିଶାଇଥିଲେ।

ଆଜି ଆମେ ୧୩୦ କୋଟି ଭାରତୀୟ ଏକ ନୂତନ ଭାରତ ନିର୍ମାଣ କରିବା ଲାଗି କାନ୍ଧ ସହ କାନ୍ଧ ମିଳାଇ ଆଗକୁ ବଢ଼ୁଛୁ। ସର୍ଦ୍ଦାର ପଟେଲ ଯେପରି ଚାହୁଁଥିଲେ, ବିନା ଦୁର୍ନୀତି ଓ ପ୍ରିୟପ୍ରୀତିରେ ଯେପରି ବିକାଶର ଫଳ ସବୁଠୁ ଦୁର୍ବଳ ନାଗରିକ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା ଲାଗି ପ୍ରତିଟି ନିଷ୍ପତ୍ତି ନିଆଯାଉଛି।

(ସୌଜନ୍ୟ: ପିଆଇବି, ଓଡ଼ିଶା)



from Odisha Reporter https://ift.tt/2OfhENp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages