
ନୂଆଦିଲ୍ଲୀ: ଏବେ ବ୍ୟବସାୟର ଟ୍ରେଣ୍ଡ ବଦଳିଛି। ଦୋକାନକୁ ଯାଇ ଜିନିଷ ଘରକୁ ଆଣିବାକୁ ଏବେ କାହା ପାଖରେ ଯେମିତି ସମୟ ନାହିଁ। ଫଳରେ ଅନ୍ଲାଇନ୍ ବ୍ୟବସାୟର ଚାହିଦା ବଢୁଛି। ଘରେ ବସି ନିଜ ଇଚ୍ଛା ମୁତାବକ ଖାଦ୍ୟ ତଥା ଆବଶ୍ୟକ ସାମଗ୍ରୀ ଲୋକେ ମଗାଇ ପାରୁଛନ୍ତି।
ଖାସ୍ କରି ଖାଦ୍ୟ ସାମଗ୍ରୀ ମଗାଇ ଖାଇବା ଆଜିକାଲିଆ ଗୋଟେ ଫ୍ୟାସ୍ନ ହୋଇଗଲାଣି। ହେଲେ ଥରେ ଭାବିଲେ ଦେଖି ଯଦି ଆପଣଙ୍କ ଘରକୁ ଖାଦ୍ୟ ଆଣି ଆସୁଥିବା ଡେଲିଭରୀ ବୟ୍ ଆପଣଙ୍କ ଖାଦ୍ୟ ଚୋରାଇ ଖାଇଦିଏ, ଆପଣ କ’ଣ କରିବେ?
ଆମ କଥା ପଢି ଆପଣ ଠୋ ଠୋ ହସୁଥିବେ। ଆଉ ଭାବୁଥିବେ ଏମିତି କ’ଣ କେବେ ହେଇପାରେ!
ହେଇପାରେ କ’ଣ ଆଜ୍ଞା, ହେଇଛି ପରା। ଅଷ୍ଟ୍ରେଲିଆର ଜଣେ ଗ୍ରାହକଙ୍କ ସହିତ ଏମିତି ହିଁ ହୋଇଛି। ଯାହା ସୋଶାଲ ମିଡିଆରେ ଏବେ ଭାଇରାଲ୍ ହେଲାଣି।
ଅଷ୍ଟ୍ରେଲିଆ ମେଲବର୍ଣ୍ଣର ଏକ ଗ୍ରାହକ ଅନ୍ଲାଇନ୍ ସାଇଟ୍ (Uber Eats)ରୁ ଫ୍ରେଞ୍ଚ୍ ଫ୍ରାଇଜ୍ ଅର୍ଡର କରିଥିଲେ। କିନ୍ତୁ ଗ୍ରାହକ ଜଣକ ଡେଲିଭରୀ ବ୍ୟାଗ୍ ଉଠାଇବା ପରେ ଖାଦ୍ୟର ଓଜନ ତାଙ୍କୁ କମ୍ ଲାଗିଥିଲା। ଏହାପରେ ସେ ତାଙ୍କ ଫାଟକ ସମ୍ମୁଖରେ ଥିବା ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ଚାହିଁଥିଲେ। ଏହାପରେ ସିସିଟିଭିର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।
ସିସିଟିଭିର ଫୁଟେଜ୍ ଅନୁସାରେ ପ୍ରଥମେ ଡେଲିଭରୀ ବୟ୍ ଜଣକ ଅର୍ଡର କରାଯାଇଥିବା ଖାଦ୍ୟ ଆଣି ଗ୍ରାହକଙ୍କ ଘରର କଲିଂ ବେଲ୍ ମାରିଥିଲେ। ଗ୍ରାହକ ଗେଟ୍ ଖୋଲିବା ପାଇଁ ବିଳମ୍ୱ କରିବାରୁ ଡେଲିଭରୀ ବୟ୍ ବ୍ୟାଗ୍ରୁ ଫ୍ରେଞ୍ଚ୍ ଫ୍ରାଇଜ୍ ଚିପସ୍ ବାହାର କରି ଖାଇବାକୁ ଲାଗିଲେ।
ସୋଶାଲ ମିଡିଆରେ ଏବି ଭିଡିଓଟି ଭାଇରାଲ୍ ହେବା ପରେ Uber Eats ପକ୍ଷରୁ କୁହାଯାଇଛି, ଡେଲିଭରୀ ବୟ୍ କମ୍ପାନୀର ଗାଇଡ୍ଲାଇନ୍ ଅନୁସାରେ କାର୍ଯ୍ୟ କରିଥାନ୍ତି। ଯଦି ତାଙ୍କ ଦ୍ୱାରା ଏପରି କୌଣସି ଭୁଲ୍ ହୋଇଛି, ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
from Odisha Reporter https://ift.tt/2pCQupC
No comments:
Post a Comment