
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୮ବର୍ଷ ଶାସନରେ ରହି ବିଜେଡି କ’ଣ ଓଡ଼ିଶା ଲୋକଙ୍କୁ ପୋକ-ମାଛି ବୋଲି ଭାବୁଛି ? ସବୁବେଳେ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାରେ ଲାଗିଛି। ଗୋଟିଏ ମିଛକୁ ଲୁଚାଇବାକୁ ଯାଇ ବାରମ୍ବାର ମିଛ କହିବାରେ ବିଜେଡି ସରକାର ଓସ୍ତାଦ ହୋଇଗଲାଣି ବୋଲି ବିଜେପି ଅଭିଯୋଗ କରିଛି।
କେନ୍ଦ୍ରୀୟ ସଂସ୍ଥାରେ ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ରାଜ୍ୟରେ ଥିବା କେନ୍ଦ୍ରୀୟ ପିଏସୟୁ ଅଫିସ ଆଗରେ ୩ଦିନିଆ ବିକ୍ଷୋଭ ଘୋଷଣାକୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି। ରାଜ୍ୟ ମୁଖ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେଡି ସରକାର ୪୫୦ କୋଟି ଟଙ୍କା ବ୍ୟୟବରାଦ କରି ବିଜୁ ଯୁବ ବାହିନୀ ନାଁରେ ରାଜ୍ୟରେ ମଦୁଆ ଓ ଗୁଣ୍ଡାବାହିନୀ ସୃଷ୍ଟି କରିଛନ୍ତି।
ଶ୍ରୀ ବକ୍ସିପାତ୍ର କହିଛନ୍ତି। “ରାଜ୍ୟ ସରକାରଙ୍କ ଦାୟିତ୍ଵ ହେଲା ରୋଜଗାର ନାଁରେ ଓଡ଼ିଶାର ଯୁବକମାନଙ୍କୁ ମଦୁଆ ଓ ଗୁଣ୍ଡା କରିବେ। ଆଉ କେନ୍ଦ୍ର ସରକାରର ଦାୟିତ୍ୱ ହେଉଛି ରାଜ୍ୟ ସରକାର କୌଣସି ସହାୟତା ନକଲେ ମଧ୍ୟ ରୋଜଗାରର ବ୍ୟବସ୍ଥା କରାଇ ଦେବା। ଏମାନେ ତା’ହେଲେ ୧୮ବର୍ଷ ହେଲା ଶାସନରେ ରହିବେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଡଙ୍କାରୀ ପାହାଡ଼କୁ ଲୁଟିବା ପାଇଁ ତୈଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ଜାଗା ଦେଉନାହାନ୍ତି। ଏନଟିପିସି-ଟିଟିପିଏସର ପ୍ରୋଜେକ୍ଟ ନିର୍ମାଣ ପାଇଁ ୧୦ହଜାର କୋଟି ଟଙ୍କା ବ୍ୟୟ ପାଇଁ ସମସ୍ତ ପ୍ରକାରର କ୍ଲିଅରାନ୍ସ ସତ୍ତ୍ୱେ ରାଜ୍ୟ ସରକାର ଏହାର ଉଦଘାଟନ କରାଇ ଦେଉନାହାନ୍ତି। ୨୦୦୮ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ମେଣ୍ଟ ସରକାରରେ ଶିଳ୍ପ ମନ୍ତ୍ରୀ ଥିବାବେଳେ ୯୦% ଅଣକୁଶଳୀ, ୬୦% ଅର୍ଦ୍ଧକୁଶଳୀ ଓ ୩୦% କୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଯୁବକଯୁବତୀମାନେ ରାଜ୍ୟରେ ସ୍ଥାପିତ ହେବାକୁ ଥିବା ଶିଳ୍ପ କାରଖାନାରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାକୁ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ କିଏ ମନା କରିଛି?”
ସେ କହିଛନ୍ତି, “ଓଡ଼ିଶାରେ ଇଣ୍ଡଷ୍ଟ୍ରିଆଲ କନକ୍ଲେଭ ହେବ ବୋଲି ତା’ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି, ଏହି ପ୍ରସଙ୍ଗକୁ ଚର୍ଚ୍ଚାରେ ରଖିବା ପାଇଁ। ସବୁକଥାରେ ରାଜନୀତି କରିବାର ଅଭ୍ୟାସ ଅଛି ବୋଲି ଲୋକଙ୍କୁ ମିଛ କଥା ଯାହାପାରିବେ କହିବେ। ରାଜ୍ୟରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ କେତେଜଣ ପଞ୍ଜିକୃତ ହୋଇଛନ୍ତି ଓ କେତେଜଣ ଓଡ଼ିଶା ସରକାରଙ୍କ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି, ତା’ର ତଥ୍ୟ ସରକାର ଦେଇପାରିବେ? କୋଇଲା ଖଣିରେ ଏମସିଏଲ ସହଯୋଗ କଲା ନାହିଁ ବୋଲି ୩୧୬ଦିନ ବନ୍ଦ କରି ରଖିଲେ। ଏଥିପାଇଁ ରାଜ୍ୟ ରାଜକୋଷକୁ ୮୯୦ କୋଟି ଟଙ୍କା କ୍ଷତି ମଧ୍ୟ ସହିବାକୁ ପଡ଼ିଲା। ଏଥିପାଇଁ କ’ଣ ରାଜ୍ୟ ସରକାର କ’ଣ ଉତ୍ତରଦାୟୀ ନୁହେଁ? ରାଜ୍ୟରେ ଭିତ୍ତିଭୂମି ପ୍ରସ୍ତୁତ ହେଲେ ହିଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିନ୍ତୁ ରାଜ୍ୟ ସରକାର ଭିତ୍ତିଭୂମି ତିଆରି କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି, ଜମି ଅଧିଗ୍ରହଣ ହେଉନି। ରେଳ ଲାଇନ ହେଲେ ତ ରୋଜଗାର ସୃଷ୍ଟି ହେବ। ସଡ଼କ ନିର୍ମାଣ ହେଲେ ତ ଶିଳ୍ପ ସ୍ଥାପନ ହେବ, ବିଦ୍ୟୁତ ସଂଯୋଗ ହେଲେ କାରଖାନା ଚାଲିବ।” ନବୀନବାବୁଙ୍କ ସରକାର ବା ମୁଖପାତ୍ରଙ୍କର କ’ଣ ଏତିକି ସାମାନ୍ୟ ଜ୍ଞାନ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
“ଓଡ଼ିଶାରେ ବାହାରକୁ ସବୁଠୁ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଶୀର୍ଷରେ ରହିଛି। ଏପରିକି ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଯେତିକି ଲୋକ ବାହାରେ ଦାଦନ ଖଟୁଛନ୍ତି ତା’ଠୁ ଅଧିକ ଗଞ୍ଜାମର ଲୋକମାନେ ଦାଦନ ଖଟିବାକୁ ଯାଇଛନ୍ତି। ଏଥିପାଇଁ କ’ଣ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ନୁହନ୍ତି? ଏବେ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏ ସରକାର ଦଳୀୟ କର୍ମୀ ଓ ନେତାଙ୍କ ପକେଟ ଗରମ କରିବାକୁ ଆମ ଗାଁ ଆମ ବିକାଶ ଭଳି ଯୋଜନା ଓ ଟେଣ୍ଡର ଫିକ୍ସିକୁ ଆଇନଗତ କରିଦେଇଛି” ବୋଲି ସେ କହିଛନ୍ତି।
ରାଜ୍ୟରେ ଗତ ୧୮ବର୍ଷର ଶାସନ କାଳରେ କେତେ ଶିଳ୍ପ ସ୍ଥାପନ ହୋଇଛି, କେତେ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିଛି, କେଉଁ ଶିଳ୍ପର ସ୍ଥିତି କ’ଣ, କେତେ ଓଡ଼ିଆ ଉଦ୍ୟୋଗୀ ସୃଷ୍ଟି ହୋଇଛନ୍ତି ଓ ସରକାର ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତା’ର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ବିଜେପି ଦାବି କରିଛି।
from Odisha Reporter https://ift.tt/2zsd34S
No comments:
Post a Comment