
ଗୁଆହାଟୀ: ଗତକାଲି ସନ୍ଧ୍ୟାରେ ଆସାମର ତିନ୍ସୁକିଆ ଜିଲ୍ଲାରେ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ୍ (ଉଲ୍ଫା) ଉଗ୍ରବାଦୀମାନେ ୫ ବଙ୍ଗଳାଭାଷୀ ଲୋକଙ୍କୁ ହତ୍ୟା କରିବାପରେ ଏହି ଅଞ୍ଚଳ ସମେତ ଆସାମ ମ୍ୟାଁମାର ସୀମାରେ ବ୍ୟାପକ ସେନା ଅପରେସନ୍ ଆରମ୍ଭ ହୋଇଛି। ଏହା ଉଲ୍ଫା ଇଣ୍ଡିପେଣ୍ଡେଣ୍ଟ ବା ପରେଶ ବରୁଆ ଗୋଷ୍ଠୀ ପକ୍ଷରୁ ସଂଘଟିତ ଆକ୍ରମଣ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କୁ ଖେରବାରି ବିଶନ୍ବାରି ଅଞ୍ଚଳରୁ ଉଠାଇନେଇ ଲୋହିତ ନଦୀକୂଳରେ ହତ୍ୟା କରାଯାଇଥିଲା।
୫ ମୃତ ବ୍ୟକ୍ତିଙ୍କ ନାମ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବଲ ବିଶ୍ୱାସ, ଧନଞ୍ଜୟ ନାମସୁଦ୍ରା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ବଙ୍ଗଳାଭାଷୀ ହୋଇଥିବାରୁ ଆସାମ ମୂଳବାସିନ୍ଦାଙ୍କ ପାଇଁ ଲଢ଼େଇ କରୁଥିବା ଉଲ୍ଫା ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡକୁ ବିରୋଧ କରିବା ପାଇଁ ବଙ୍ଗାଳୀ ସଂଗଠନଗୁଡ଼ିକ ପକ୍ଷରୁ ତିନ୍ସୁକିଆରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ଏବଂ ଆଜି ତାଙ୍କ ରାଜ୍ୟରେ ମଧ୍ୟ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରାମାନ ଆୟୋଜନ କରାଯିବ ବୋଲି କହିଛନ୍ତି।
ଉଗ୍ରବାଦୀଙ୍କ ଏଭଳି କାଣ୍ଡ ପରେ ରାଜଧାନୀ ଗୁଆହାଟୀଠାରୁ ୫୦୦ କିଲୋମିଟର ଦୂର ଏହି ସ୍ଥାନରେ ଆସାମ ପୁଲିସ ମୁଖ୍ୟ କୁଳଧର ସାଇକିଆଙ୍କ ସମେତ କିଛି ବରିଷ୍ଠ ପୁଲିସ୍ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନ ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ସେନା ପକ୍ଷରୁ ଅପରେସନ୍ ଆରମ୍ଭ ହୋଇସାରିଛି। ଅନ୍ୟପକ୍ଷରେ ଆସାମ ରାଇଫଲ୍ସ ଭାରତ-ମ୍ୟାଁମାର ସୀମାରେ ଛାନ୍ଭିନ୍ ଆରମ୍ଭ କରିଛି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନ୍ୱାଲ୍ ତୁରନ୍ତ ଦୁଇ ମନ୍ତ୍ରୀ କେଶବ ମହାନ୍ତ ଓ ତପନ୍ କୁମାର ଗୋଗୋଇ ଏବଂ ଡିଜିପି ଓ ଏଡିଜିପିଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଅନ୍ୟଭାଷାଭାଷୀଙ୍କୁ ଉଲ୍ଫା ବହୁଦିନଧରି ଟାର୍ଗେଟ୍ କରିଆସିଛି ଏବଂ ଅକ୍ଟୋବର ୧୩ ତାରିଖରେ ଉଲ୍ଫା ସଂରଚିତ ଏକ ଆକ୍ରମଣରେ ୪ ଜଣ ବଙ୍ଗଳାଭାଷୀ ହତ ହୋଇଥିଲେ। ହିନ୍ଦୁ ବଙ୍ଗାଳୀମାନେ ଆସାମ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣନ୍ତି।
from Odisha Reporter https://ift.tt/2QbRFbl
No comments:
Post a Comment