ଆମେରିକୀୟ ମିଶନାରୀଙ୍କୁ ଘୋଷାରି ନେଇ ହତ୍ୟା କଲେ ‘ସେଣ୍ଟିନେଲିଜ୍‌’ ସଂରକ୍ଷିତ ଜନଜାତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଆମେରିକୀୟ ମିଶନାରୀଙ୍କୁ ଘୋଷାରି ନେଇ ହତ୍ୟା କଲେ ‘ସେଣ୍ଟିନେଲିଜ୍‌’ ସଂରକ୍ଷିତ ଜନଜାତି ଲୋକେ

ଆଣ୍ଡାମାନ୍‌: ଧର୍ମ ପ୍ରଚାର ପାଇଁ ନିଷିଦ୍ଧ ତଥା ଅଗମ୍ୟ ଦ୍ୱୀପକୁ ଯିବାର ଦୁଃସାହସିକତା ଶେଷରେ କାଳ ପାଲଟିଛି। ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ଏକ ନିଷିଦ୍ଧ ଦ୍ୱୀପରେ ଏମିତି ଜଣେ ଆମେରିକୀୟ ଧର୍ମ ପ୍ରଚାରକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ଆଉ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ଦଶନ୍ଧି ଦଶନ୍ଧି ଧରି ବାହ୍ୟ ଜଗତରୁ ଦୂରେଇ ରହୁଥିବା ‘ସେଣ୍ଟିନେଲିଜ୍‌’ ସଂରକ୍ଷିତ ଜନଜାତି ସମୂହ।

ମୃତ ଆମେରିକୀୟଙ୍କ ନାମ ଜନ୍‌ ଆଲେନ୍‌ ଚାଉ ବୋଲି ଜଣାଯାଇଛି। ଉତ୍ତର ସେଣ୍ଟିନେଲ୍‌ ଦ୍ୱୀପରେ ଘଟିଥିବା ଏହି ହତ୍ୟାକାଣ୍ଡ ସହିତ ଜଡ଼ିତ ୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ମତ୍ସ୍ୟଜୀବୀମାନେ ଦେଇଥିବା ସୂଚନା ଅନୁଯାୟୀ, ଏହି ଜନଜାତି ଲୋକେ ପ୍ରଥମେ ତାଙ୍କ ଉପରେ ତୀର ମାଡ଼ କରିଥିଲେ ଏହା ପରେ ବେକରେ ରଶି ଲଗାଇ ଘୋଷାରି ଘୋଷାରି ନେଇଯାଇଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ଚାଉ ଜଣେ ମିଶନାରୀ ଯିଏକି ସେଣ୍ଟିନେଲିଜ୍‌ମାନଙ୍କ ଭେଟି ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବାର ଥିଲା। ଆଣ୍ଡାମାନ୍‌ ଶିଖା ନାମକ ସ୍ଥାନୀୟ ଏକ ଖବରକାଗଜ ଦେଇଥିବା ସୂଚନା ଅନୁଯାୟୀ, “ଚାଉ ଆଣ୍ଡାମାନ୍‌ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ୫ ଥର ଆସିଲେଣି। ସେଣ୍ଟିନେଲିଜ୍‌ଙ୍କୁ ଭେଟି ସେମାନଙ୍କର ଧର୍ମ ପରିବର୍ତ୍ତନ କରିବାପାଇଁ ତାଙ୍କର ଗଭୀର ଇଚ୍ଛା ଥିଲା।”

ଏହି ଖବରକାଗଜର ସୂଚନା ଅନୁଯାୟୀ ଗତ ୧୪ ତାରିଖରେ ସେଠାକୁ ଯିବାପାଇଁ ବିଫଳ ହେବାପରେ ଦୁଇ ଦିନ ପରେ ସେ କିଛି ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ସେଠାକୁ ଯାଇଥିଲେ। ତେବେ ଶେଷ ଖବର ସୁଦ୍ଧା ତାଙ୍କର ମୃତଦେହ ମଧ୍ୟ ଉଦ୍ଧାର ହୋଇପାରିନାହିଁ। ସେମାନେ ବାହାର ଲୋକଙ୍କୁ ପୂରାଇ ଦେଉନଥିବାରୁ ସେଠାରେ ହେଲିକପ୍ଟର ଲ୍ୟାଣ୍ଡ କରାଇବା ମଧ୍ୟ ଅସମ୍ଭବ।

ସେମାନଙ୍କ ସଂଖ୍ୟା ମାତ୍ର ୪୦ରୁ ୫୦ ଭିତରେ, ତେଣୁ ଏହି ଲୁପ୍ତପ୍ରାୟ ଜନଜାତିଙ୍କୁ ଭାରତ ସରକାର ସୁରକ୍ଷା ଯୋଗାଇ ଆସୁଛନ୍ତି। ସେମାନଙ୍କୁ ନା ଅଭିଯୁକ୍ତ ବୋଲି କୁହାଯାପାରିବ, ନା ସେମାନଙ୍କ ସହ ଯୋଗାଯୋଗ କରାଯାଇପାରିବ ନା ସେହି ଅଞ୍ଚଳକୁ କେହି ଯାଇପାରିବେ।

ସେମାନେ ଟଙ୍କାର ବ୍ୟବହାର ଜାଣନ୍ତି ନାହିଁ ଏବଂ ସେମାନଙ୍କର ଭିଡିଓ ନେବା ବେଆଇନ। ୨୦୧୭ ମସିହାରେ ସରକାର ସେମାନଙ୍କୁ ‘ଆଦିମ ଅଧିବାସୀ’ ବୋଲି ଆଖ୍ୟା ଦେଇଛନ୍ତି ଏବଂ ସେମାନଙ୍କର କୌଣସି ଭିଡିଓ ସୋଶାଲ ମିଡିଆ କିମ୍ବା ଇଣ୍ଟରନେଟ୍‌ରେ ଛଡ଼ାଯାଇ ପାରିବନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2QeGRMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages