ନିଜଆଡ଼ୁ ଡାକି ଫଟୋ ଉଠେଇଲେ, ପ୍ରତିଶ୍ରୁତି ଦେଇ ଭୁଲିଗଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ନିଜଆଡ଼ୁ ଡାକି ଫଟୋ ଉଠେଇଲେ, ପ୍ରତିଶ୍ରୁତି ଦେଇ ଭୁଲିଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଛି। ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରାଚୀନ କଳାକୁ ବଞ୍ଚାଇ ରଖିବା ପାଇଁ ଅକୁଣ୍ଠିତ ପ୍ରୟାସ ହେଉଥିବା ବିଭିନ୍ନ ବିଜ୍ଞାପନ ଏବଂ ବିଶେଷ କାର୍ଯ୍ୟକ୍ରମରେ ସମସ୍ତେ ଦେଖିବାକୁ ପାଇଥିବେ। କିନ୍ତୁ ବାସ୍ତବରେ ଏହା କେତେଦୂର ତୃଣମୂଳ ସ୍ତରରେ ପହଞ୍ଚିଛି, ତାହାର ଏକ ନମୁନା ଦେଖିବାକୁ ମିଳିଛି ପଟ୍ଟଚିତ୍ର ଶିଳ୍ପୀ, ଯୁବ ୱିକିପେଡିଆ ଲେଖକ ତଥା ବୃତ୍ତଚିତ୍ର ନିର୍ମାତା ପ୍ରତୀକ ପଟ୍ଟନାୟକଙ୍କ କ୍ଷେତ୍ରରେ। ଏହି ୧୮ ବର୍ଷ ବୟସର ପ୍ରତିଭାଙ୍କୁ ସହଯୋଗର ହାତ ବଢ଼ାଇବେ କହି ୪ ମାସ ହେଲା ଭୁଲିଯାଇଥିବା ନବୀନଙ୍କୁ ଏକ ଖୋଲାଚିଠିରେ ଏକଥା ମନେ ପକାଇ ଦେଇଛନ୍ତି ପ୍ରତୀକ।

ଗଞ୍ଜାମ ଜିଲ୍ଲାର ଲୁପ୍ତପ୍ରାୟ କଳା ‘ପ୍ରହ୍ଲାଦ ନୃତ୍ୟ’ ଉପରେ ପ୍ରତୀକ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ଏବଂ ଏହାର କିଛି ଝଲକ୍‌ ମଧ୍ୟ ସେ ଟ୍ୱିଟରରେ ଅପ୍‌ଲୋଡ୍‌ କରିଥିଲେ। ଏହା ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନଜରକୁ ଆସିଥିଲା ଏବଂ ସେଥିପାଇଁ ପ୍ରତୀକଙ୍କୁ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ଜୁନ୍‌ ମାସ ୧୮ ତାରିଖରେ ତାଙ୍କ କାର୍ଯ୍ୟାଳୟକୁ ଡକାଇଥିଲେ। ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତୀକଙ୍କ ପ୍ରୟାସକୁ ନବୀନ ଭୂରିଭୂରି ପ୍ରଶଂସା କରିଥିଲେ ଏବଂ ତାଙ୍କର ଏହି ପ୍ରୟାସକୁ ସମର୍ଥନ ଜଣାଇବାକୁ ଆଶ୍ୱାସନା ଦେଇଥିଲେ। ଏନେଇ ହସ ହସ ମୁହଁରେ ଏକ ଫଟୋ ସହିତ ଟ୍ୱିଟ୍‌ ମଧ୍ୟ କରାଯାଇଥିଲା, ଯାହାକି ସେ ସମୟରେ ଓଡ଼ିଆ ଟ୍ୱିଟାଳୀମାନଙ୍କ ମଧ୍ୟରେ ନବୀନଙ୍କର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲା।

ଏହା ପ୍ରାୟ ଏକ ମାସ ପରେ ପ୍ରତୀକ ବିଧି ମୁତାବକ ଓଡ଼ିଶାର ଲୁପ୍ତପ୍ରାୟ କଳାସମଗ୍ରର ଡକ୍ୟୁମେଣ୍ଟେସନ୍‌ ପାଇଁ ସଂସ୍କୃତି ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ୪ ମାସ ପୂରିବାକୁ ଆଉ ସପ୍ତାହେ ଥିଲେ ମଧ୍ୟ କୌଣସି ଚିଠି, ଫୋନ୍‌କଲ୍‌ ଏବଂ ଅନ୍ୟ କିଛି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଖୋଲା ଚିଠିରେ ଉଲ୍ଲେଖ କରିଛନ୍ତି, “ଏହା ପରେ ସରକାରଙ୍କ ପକ୍ଷରୁ କୌଣସି ମଧ୍ୟ ପ୍ରତିକ୍ରିୟା ଆସିନାହିଁ। ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ିଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ଏପରିକି ଆପଣ ଯାହା ସହିତ ଯୋଗାଯୋଗ କରିବାକୁ କହିଥିଲେ ସେମାନେ ମଧ୍ୟ କିଛି ଉତ୍ତର ରଖିନାହାନ୍ତି।”

ଏଥିରେ ପ୍ରତୀକ ଆହୁରି ମଧ୍ୟ ଲେଖିଛନ୍ତି, “ମୁଁ କେବଳ ଲୋପ ପାଇଯାଉଥିବା ଓଡ଼ିଆ ନୃତ୍ୟକଳା ପାଇଁ ଏହି କାମ କରିବାକୁ ଚାହୁଁଥିଲି। ଆପଣଙ୍କ ପକ୍ଷରୁ ଯଦି କିଛି ସାହାଯ୍ୟ ମିଳିବନି ମୁଁ ଅଟକିଯିବିନି, ବରଂ ପୂର୍ବବତ୍‌ ନିଜ କ୍ଷମତାରେ କାମ ଚାଲୁ ରଖିବି। ଯଦି ଆପଣ ସତରେ ବିଶ୍ୱାସ ରଖୁଥିବେ ଲୋକକଳା ପ୍ରତି ତ୍ୱରିତ ଦୃଷ୍ଟି ଦେବା ଜରୁରୀ, ନିଜ ପ୍ରତିଶ୍ରୁତି ପୂରଣ କରିବେ ବୋଲି ଆଶା।”

 

କ’ଣ କୁହନ୍ତି ଅନ୍ୟମାନେ

ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ କହିବା ଅନୁଯାୟୀ, “କେହି କେଉଁଠି ସଫଳତା ପାଇଲେ କିମ୍ବା ପରିଚିତି ପାଇଲେ ଆମ ସରକାର ତୁରନ୍ତ ପ୍ରତିଶ୍ରୁତି ଦେଇଦିଅନ୍ତି। କିନ୍ତୁ ପ୍ରକୃତରେ ଏହା କାର୍ଯ୍ୟକାରୀ ହେବା ଆଗରୁ ଅନେକ ପାମ୍ପଡ଼ ବେଲିବାକୁ ପଡ଼େ। ଏହା କେବଳ ପ୍ରତୀକଙ୍କ କ୍ଷେତ୍ରରେ ଯେ ହୋଇଛି ତାହା ନୁହେଁ। ପୂର୍ବରୁ କ୍ରୀଡ଼ା ପ୍ରତିଭା ଦୂତୀ ଚାନ୍ଦ ଏବଂ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି। ପଦ୍ମଶ୍ରୀ ସୁଦର୍ଶନଙ୍କ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଜମି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବାର ପ୍ରାୟ ୨ ବର୍ଷ ଦୌଡ଼ାଦୌଡ଼ି ପରେ ଯାଇ ତାହା ସମ୍ଭବ ହୋଇପାରିଥିଲା। ତେଣୁ ପ୍ରକୃତରେ ଲୋକକଳାକୁ ବଞ୍ଚାଇବା ପାଇଁ ନୁହେଁ, ବରଂ ନିଜକୁ ଓଡ଼ିଆ ପ୍ରାଣ ବୋଲି ଦେଖାଇ ହେବାର ପ୍ରୟାସ ପରି ମନେ ହେଉଛି। ପ୍ରତୀକଙ୍କୁ ନିଜଆଡ଼ୁ ଡକାଇବା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ସମସ୍ତ ଅଧିକାରୀ ଏ ବାବଦରେ ଅବଗତ ଥିଲେ। କିନ୍ତୁ ଏତେଦିନ ଧରି କୌଣସି ପ୍ରତିକ୍ରିୟା ନରଖିବା ପାଇଁ ସରକାର, ମୁଖ୍ୟମନ୍ତ୍ରୀ ଏବଂ ସଂଶ୍ଲିଷ୍ଟ ଅଧିକାରୀମାନେ ସମସ୍ତେ ସମାନ ପରିମାଣର ଦାୟୀ।”

ସେହିଭଳି ବୃତ୍ତଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ କହିଛନ୍ତି, “ଜଣେ କଳାକାର ଏସବୁରୁ ଊର୍ଦ୍ଧ୍ୱରେ ରହିବା ଠିକ୍‌ ହୋଇଥାନ୍ତା। ଆଗକୁ ନିର୍ବାଚନ ସମୟ ଆସୁଥିବାରୁ ମୌଖିକ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ହୁଏତ ବିଭାଗ ପଛଘୁଞ୍ଚା ଦେଇଥିବ। ସରକାରୀ କାର୍ଯ୍ୟ କାଗଜପତ୍ରରେ ହେଉଥିବାରୁ ବିଳମ୍ବ ସ୍ୱାଭାବିକ। ତେଣୁ ତରତର ହୋଇ ପ୍ରତିକ୍ରିୟା ନରଖି ଅପେକ୍ଷା କରିବାର ଥିଲା।”



from Odisha Reporter https://ift.tt/2F2SOkA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages