
ବାଲେଶ୍ୱର (ରଣଜିତ ପାକଳ): ୪ ଦିନ ତଳେ ଘରୁ ନିଖୋଜ ହୋଇଯାଇଥିଲେ ଜଣେ ବଧୂ। ପରିବାର ଓ ବାପଘର ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ଆଜି ରେଲୱେ ଟ୍ରାକ୍ରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଏପରିକି ସେହି ଟ୍ରାକ୍ରୁ ଜଣେ ଯୁବକଙ୍କୁ ମଧ୍ୟ ରେଲୱେ ପୁଲିସ ଉଦ୍ଧାର କରିଛି। ଉଭୟଙ୍କୁ ମେଡିକାଲ୍ରେ ଚିକିତ୍ସା ଚାଲିଥିବା ବେଳେ ଯୁବକ ଚମ୍ପଟ ମାରିଛି। ତେବେ ମେଡିକାଲ୍ରୁ ଚମ୍ପଟ ମାରିଥିବା ଯୁବକ କିଏ?
ପୂରା ଘଟଣା ଏମିତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗଙ୍ଗାଧରପୁର ଗାଁର ଚିତ୍ତ ରଞ୍ଜନ ସାହୁ ଗତବର୍ଷ ନଭେମ୍ୱର ୭ ତାରିଖରେ ବସ୍ତା ଥାନା ପାଉଁସକୁଲି ଗାଁର ନଖି(ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ବାଲିଆପାଳର ଜଗନ୍ନାଥ ମନ୍ଦିରରେ ହୋଇଥିଲା। ବିବାହ ପରେ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିଥିଲା। ଚିତ୍ତ ଭୁବନେଶ୍ୱରରେ ଏକ ଫର୍ଣ୍ଣିଚର କମ୍ପାନୀରେ କାମ କରୁଥିବା ବେଳେ ସ୍ତ୍ରୀ ନଖି ଗାଁରେ ରହୁଥିଲେ।
ଗତ ଗୁରୁବାର ନଖି ଘରୁ କୁଆଡ଼େ ଚାଲିଯାଇ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଚିତ୍ତ ଭୁବନେଶ୍ୱରରୁ ଗାଁକୁ ଫେରି ସ୍ତ୍ରୀକୁ ଖୋଜାଖୋଜି କରିଥିଲେ। ସବୁଆଡୁ ନିରାଶ ହୋଇ ଚିତ୍ତ ଥାନାରେ ଅଭିଯୋଗ କରିଥିଲେ। ଏପରିକି ନଖିଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ।
ଆଜି ଗୁଡିଖାଲ ରେଲେୱ ବ୍ରିଜ ପାଖ ଟ୍ରାକ୍ରେ ନଖି ଓ ଜଣେ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନଖିଙ୍କ ଡାହାଣ ଗୋଡ଼ ଜଙ୍ଘଠାରୁ କଟି ଯାଇଥିଲା। ସେ (ନଖି) ଓ ସମ୍ପୃକ୍ତ ଯୁବକ ଚେତା ହରାଇ ଟ୍ରାକ୍ରେ ପଡ଼ିଥିବା ଦେଖି ସିଂଲା ଥାନା ବନ୍ତୁଳି ଗାଁର ଜଣେ ଲୋକ ରେଲୱେ ପୁଲିସକୁ ଖବର ଦେଇଥିଲା। ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ସମ୍ପୃକ୍ତ ଆହତ ଯୁବକ ସେଠାରୁ ଚମ୍ପଟ ମାରିଥିଲା।
ଅନ୍ୟପକ୍ଷରେ ନଖିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ସେଠାରୁ ତାଙ୍କ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ନଖିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ନଖି ଟ୍ରାକ୍କୁ କେମିତି ଗଲେ ଓ ଅନ୍ୟ ଜଣେ ଯୁବକ କିଏ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2PWBIKl
No comments:
Post a Comment