
ନୂଆଦିଲ୍ଲୀ: ବିହାରର କିଛି ଶେଲଟର ହୋମରେ ଅନ୍ତେବାସୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ ବିହାରରେ ଥିବା ସମସ୍ତ ଶେଲଟର ହୋମରେ ସିବିଆଇ ତଦନ୍ତ ହେବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିହାର ସରକାର ଜୋରଦାର ବିରୋଧ କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ କୌଣସି ଯୁକ୍ତି ଗ୍ରହଣ କରିନାହାନ୍ତି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏଭଳି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, “ ଶେଲଟର ହୋମ ଗୁଡ଼ିକରେ ଶିଶୁମାନଙ୍କୁ ଯୌନ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି। ତେଣୁ ଏହାର ତଦନ୍ତ ସିବିଆଇ କରି ସତ୍ୟାସତ୍ୟ ପଦାକୁ ଆଣୁ। ଏଥିସହ ଶେଲଟର ହୋମରେ ଆଉ କିଛି ଅନିୟମିତତା ରହିଛି କି ନାହିଁ, ସିବିଆଇ ତଦନ୍ତ ହେଲେ ସେଗୁଡ଼ିକ ମଧ୍ୟ ସାମ୍ନାକୁ ଆସିପାରିବ। ବର୍ତ୍ତମାନ ବିହାରରେ ୧୧୦ଟି ଶେଲଟର ହୋମ ଥିବା ବେଳେ ଏଠାରେ କିପରି କାର୍ଯ୍ୟ ଚାଲିଛି, ତାହା ସମସ୍ତେ ଜାଣିବା ଦରକାର। ସିବିଆଇ ଏହାର ତଦନ୍ତ କରିବ କି ନାହିଁ ସେକଥା ୫ ମିନିଟ୍ରେ ଜଣାଉ।” ସିବିଆଇ ଏହାର ତଦନ୍ତ କରିବାକୁ ରାଜି ହେବା ପରେ ସୁପ୍ରିମକୋର୍ଟ ଏହାକୁ ସବୁଜ ସଙ୍କେତ ଦେଇଥିଲେ।
ପୂର୍ବରୁ ସିବିଆଇ ମୁଜାଫରପୁର ସମେତ ଅନ୍ୟ ୧୭ଟି ଶେଲଟର ହୋମରେ ଚାଲିଥିବା କେଳେଙ୍କାରୀର ତଦନ୍ତ କରୁଛି। ଏବେ ସବୁ ଶେଲଟର ହୋମର ତଦନ୍ତ ଆରମ୍ଭ କରିବ।
ଏହି ନିର୍ଦ୍ଦେଶ ବେଳେ ବିହାର ସରକାର ଏହାର ପ୍ରତିବାଦ କରିଥିଲେ। ଯେଉଁ ସବୁ ଶେଲଟର ହୋମରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ ହୋଇଥିଲା, ତା’ର ତଦନ୍ତ ଚାଲିଛି। ଆସନ୍ତା ୧୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ମଧ୍ୟ ଦାଖଲ କରାଯିବ ବୋଲି ବିହାର ସରକାର କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ କୌଣସି ଯୁକ୍ତି ଶୁଣି ନଥିଲେ।
from Odisha Reporter https://ift.tt/2zz59rk
No comments:
Post a Comment