ନିର୍ଦ୍ଦେଶକଙ୍କୁ କାହିଁକି ଗାଳି କଲେ ଅଭିନେତ୍ରୀ ଏଲ୍‌ସା ଘୋଷ୍? ବାସ୍ତବରେ ସୁଟିଂ ବେଳେ କିଛି ହୋଇଥିଲା କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ନିର୍ଦ୍ଦେଶକଙ୍କୁ କାହିଁକି ଗାଳି କଲେ ଅଭିନେତ୍ରୀ ଏଲ୍‌ସା ଘୋଷ୍? ବାସ୍ତବରେ ସୁଟିଂ ବେଳେ କିଛି ହୋଇଥିଲା କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ଅପ୍‌କମିଂ ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ସେହି ଫିଲ୍ମର ହିରୋଇନ୍ ଓ ନିର୍ଦ୍ଦେଶକଙ୍କ ଭିତରେ ପାଟିତୁଣ୍ଡ ଓ ହାତାହାତିକୁ ନେଇ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜୋର୍‌ଦାର୍ ଚର୍ଚ୍ଚା। କେଉଁ କାରଣରୁ ହିରୋଇନ୍ ଜଣକ ନିର୍ଦ୍ଦେଶକଙ୍କୁ ସର୍ବସମ୍ମୁଖରେ ଗାଳିଗୁଲଜ କଲେ ତାହା ଏବେବି ଅସ୍ପଷ୍ଟ। କେବଳ ସୋଶାଲ୍ ମିଡିଆରେ ବୁଲୁଥିବା ଘଟଣାବେଳର କିଛି ଭିଡିଓରୁ ଯାହାକିଛି ଅନୁମାନ କରିବା କଥା। ହେଲେ କେଉଁ କାରଣରୁ ବିବାଦର ସୂତ୍ରପାତ ହେଲା ତାହା ଧୀରେ ଧୀରେ ଜଣାପଡ଼ିଲାଣି।

ଏହି ଫିଲ୍ମଟିର ନାଁ ହେଲା ‘ତୁ ମୋ ସୁନା ଚଢ଼େଇ’। ଏହାର ଅଭିନେତ୍ରୀ ଏଲ୍‌ସା ଘୋଷ। ନିର୍ଦ୍ଦେଶକ ଦିଲୀପ ପଣ୍ଡା। ଭୁବନେଶ୍ୱରସ୍ଥିତ ‘ଆର୍ଯ୍ୟ ପ୍ୟାଲେସ୍‌’ ହୋଟେଲରେ ଗତକାଲି ସଂଧ୍ୟାରେ ଅଡ଼ିଓ ରିଲିଜ୍‌ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଫିଲ୍ମର ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ହିରୋ ହିରୋଇନ୍ ଏବଂ ଫିଲ୍ମ ସହ ଜଡ଼ିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଭିତରେ ଫିଲ୍ମ ସହ ଜଡ଼ିତ ବ୍ୟକ୍ତିଙ୍କୁ କିଛି କିଛି କହିବାକୁ ଡକା ଯାଇଥିଲା। ଯେତେବେଳେ ଅଭିନେତ୍ରୀ ଏଲ୍‌ସାଙ୍କ ପାଳି ପଡ଼ିଲା, ସେ ବୁଲେଇ ବାଙ୍କେଇ ଫିଲ୍ମକୁ ନେଇ ନିଜର ଅସନ୍ତୋଷ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ। ନିଜ ବକ୍ତବ୍ୟରେ ସେ କେବଳ ତାଙ୍କ ଭିଡିଓ ଏଡିଟରଙ୍କୁ ଧନ୍ୟବାଦ ଦେଇଥିଲେ। କହିଥିଲେ ଯେ, ତାଙ୍କରି ପାଇଁ ସେ ଏ ଫିଲ୍ମକୁ ଆସିଥିଲେ। ଶେଷରେ ସେ ନିର୍ଦ୍ଦେଶକଙ୍କୁ କୌଣସି ଧନ୍ୟବାଦ ନଦେଇ ତାଙ୍କ ବକ୍ତବ୍ୟ ସାରିଥିଲେ।

ଏଇଠୁ ହିଁ ଆରମ୍ଭ ହୋଇଥିଲା ବିବାଦ। ନିର୍ଦ୍ଦେଶକ ଦିଲୀପ ପଣ୍ଡା ଏଲ୍‌ସାଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହୋଇପଡ଼ିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏଲ୍‌ସାଙ୍କୁ ଇଙ୍ଗିତ କରି ନାନା କଥା କହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜାଣିବାକୁ ମିଳିଛି। ଏଲ୍‌ସାଙ୍କ ନାଁ ନନେଇ ସେ କାଳେ କହିଥିଲେ- ‘ଆମେ ଏକ ଥ୍ୟାଙ୍କ୍‌ ଲେସ୍‌ ଜବ୍‌ (ବେକାରିଆ କାମ)ରେ ହାତ ଦେଇଛୁ। ଯେଉଁଠି ଆର୍ଟିଷ୍ଟମାନେ ଆମକୁ ଧନ୍ୟବାଦ ଦେବାକୁ ବି ଭୁଲିଯାଆନ୍ତି।’

ଏହି କଥାକୁ ନେଇ ଏଲ୍‌ସା ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ଓ ମାଇକ୍ ନେଇ ଦିଲୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସବୁ ଆଣିଥିଲେ, ତାହା ପୁଣି ସମସ୍ତଙ୍କ ଆଗରେ, ସେଇ କାର୍ଯ୍ୟକ୍ରମ ମଂଚରେ। ନିର୍ଦ୍ଦେଶକ ଦିଲୀପ ପଣ୍ଡା ତାଙ୍କ ହାତରୁ ମାଇକ୍ରୋଫୋନ୍‌ ଛଡ଼ାଇ ନେବାକୁ ଉଦ୍ୟମ କଲାବେଳେ ଏଲ୍‌ସା ଓ ତାଙ୍କ ବାପା ଚିତ୍କାର କରି କହିଥିଲେ ‘ଡୋଣ୍ଟ ଟଚ୍ ଡୋଣ୍ଟ ଟଚ୍’।
ଏଲ୍‌ସା ରାଗିଯାଇ କହିଥିଲେ- “ସୁଟିଂ ମେଁ ମେରେ ସାଥ୍‌ କ୍ୟା ହୁଆ ବତାଉଁ?” ସୁଟିଂ ସମୟରେ ନିର୍ଦ୍ଦେଶକ ତାଙ୍କ ସହ କ’ଣ କରିଛନ୍ତି ସେ ସବୁ ଖୋଲିକି କହିଦେବେ ବୋଲି ଏଲ୍‌ସା ବାରମ୍ବାର ଧମକ୍‌ ଦେଇଥିଲେ। ଏଲ୍‌ସା ହିନ୍ଦିରେ କହିଥିଲେ- “ମୁଁ ତମ ସମ୍ପତ୍ତି ନୁହେଁ। ତୁମେ ପଶ୍ଚିମବଙ୍ଗରୁ ଅଭିନେତ୍ରୀ ଆଣୁଛ ଓ ଦୀର୍ଘଦିନ ଧରି ତାଙ୍କୁ ମାନସିକ ନିର୍ଯାତନା ଦେଉଛ।”

ପରେ ଏଲ୍‌ସା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ନିର୍ଦ୍ଦେଶକ ମତେ ପଚାରିଲେ, ତମେ କାହିଁକି ମତେ କ୍ରେଡିଟ୍ ନଦେଇ ଏଡିଟରଙ୍କୁ ଦେଲ। ଏହାର ପ୍ରକୃତ କାରଣ ମୁଁ କହିଦିଏ। ଦିଲୀପ ପଣ୍ଡା ମତେ ଯେତେବେଳେ ଏହି ଫିଲ୍ମ ପାଇଁ କହିଥିଲେ ମୁଁ ମନାକରି ଦେଇଥିଲି। କାରଣ ସେ ସମୟରେ ମୋର ଗୋଟେ ସାଉଥ୍ ଫିଲ୍ମ ଥିଲା। ସୁଟିଂ ପାଇଁ ମୋ ପାଖରେ ସମୟ ନଥିଲା। କିନ୍ତୁ ସେତେବେଳେ ଆମର ଯେଉଁ ଏଡିଟର ଦୁଇଜଣ ଥିଲେ, ସେମାନେ ମତେ ଫୋନ୍ କରି କନ୍‌ଭିନ୍ସ କରିଥିଲେ। କହିଥିଲେ ଏହା ଗୋଟେ ଭଲ ପ୍ରୋଜେକ୍ଟ, ଏଥିରେ ହିରୋଇନ୍ ହେଲେ ଆମକୁ ଭଲ ଲାଗିବ। ଏମାନଙ୍କ ପାଇଁ ହିଁ ମୁଁ ଏ ଫିଲ୍ମ କଲି। ମତେ କୁହନ୍ତୁ, କେଉଁ ନିର୍ଦ୍ଦେଶକ ତାଙ୍କ ହିରୋଇନ୍‌କୁ ସମସ୍ତଙ୍କ ଆଗରେ ଗାଳି ଦିଏ। ସମସ୍ତଙ୍କ ଆଗରେ କିଏ ହିରୋଇନ୍‌ଙ୍କୁ ଧମକ ଦିଏ। ସେ ନିର୍ଦ୍ଦେଶକ ସେଟ୍‌କୁ ଆସିବା ପରେ କେବେ ମତେ ପଚାରନ୍ତି ବି ନାହିଁ। ସେ ମୋଠାରୁ କେମିତି ଅଭିନୟ ଚାହୁଁଛନ୍ତି ସେ ବିଷୟ ସେ କେବେ କହନ୍ତିନି। ତାଙ୍କ ଆସିଷ୍ଟାଣ୍ଟଙ୍କୁ ପଠେଇ ଦିଅନ୍ତି। ଫିଲ୍ମରେ ମୋର ୪ଟି ଗୀତ ରହିବ ବୋଲି ସେ ମତେ କନ୍‌ଫାର୍ମ କରିଥିଲେ। କିନ୍ତୁ ସେଥିରୁ ଗୋଟେ କମର୍ସିଆଲ୍ ଗୀତ କାଟିକି ସେ ଅନ୍ୟଜଣେ ହିରୋଇନ୍‌କୁ ଦେଇଦେଲେ। କ୍ଲାଇମାକ୍ସ ସିନ୍ କାଟିଦେଲେ। ଷ୍ଟୋରି କମ୍ପ୍ରମାଇଜ୍ କଲେ। ପୂରା ବଦଳେଇ ଦେଲେ। ତାଙ୍କ ପାଖରେ ମିନିମମ୍‌ ସେନ୍ସ ନାହିଁ, ଜଣେ ଝିଅକୁ କେମିତି ସମ୍ମାନ ଦିଆଯାଏ। କେମିତି ଜଣେ ଝିଅ ସହ କଥାବାର୍ତ୍ତା କରାଯାଏ। ତେଣୁ କେଉଁ ଆଧାରରେ ମୁଁ ଦିଲୀପ ପଣ୍ଡାଙ୍କୁ ସମ୍ମାନ ଦେବି। ସେ ମତେ ନିଶାଗ୍ରସ୍ତ ଅବସ୍ଥାରେ ମେକପ୍‌ ରୁମ୍‌ରେ ଗାଳି ଦେଲେ। ମୋ ବାପାଙ୍କୁ ବି ଗାଳି ଦେଲେ। ମତେ ସେ ଛୁଇଁବାକୁ ଚେଷ୍ଟା କରୁଥିଲେ।’

ତେବେ ଏପରି ଘଟଣା ପଛର ପ୍ରକୃତ କାରଣ କ’ଣ ତାହା ଧୀରେ ଧୀରେ ପଦାକୁ ଆସିବ ବୋଲି ଆଶା କରାଯାଉଛି। ଏ ସଂପର୍କରେ ନିର୍ଦ୍ଦେଶକ ତାଙ୍କ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏଲ୍‌ସା ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି। ସେ ଏବେ ସୁଟିଂ ପାଇଁ ଓଡ଼ିଶା ବାହାରକୁ ଯାଇଛନ୍ତି। ତେବେ ସଂପର୍କରେ ଦିଲୀପ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2K5dreI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages