
ନୂଆଦିଲ୍ଲୀ: ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଦ୍ରୁତ ୧୦୦୦ ରନ୍ ସଂଗ୍ରହ କରିବାର ରେକର୍ଡ ବିରାଟଙ୍କ ନାଁରେ ଥିଲା। ତେବେ ରବିବାର ବାବର ତାଙ୍କର ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଗତକାଲି ଦୁବାଇରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ବାବର ଇନିଂସ୍ ଓପନ୍ କରିଥିଲେ। ସେ ୫୮ଟି ବଲ୍ରୁ ୭୯ ରନ୍ କରିଥିଲେ। ତେବେ ୪୮ ରନ୍ କରିଥିବା ବେଳେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୧୦୦୦ ରନ୍ ପୂରଣ କରିଥିଲେ। ତା’ସହିତ ସେ ବିରାଟଙ୍କ ରେକର୍ଡ ଭାଙ୍ଗି ଥିଲେ।
ବିରାଟ ୨୭ଟି ଇନିଂସ୍ରୁ ୧୦୦୦ ରନ୍ ସଂଗ୍ରହ କରିଥିବା ବେଳେ ବାବର ୨୬ଟି ଇନିଂସରେ ୧୦୦୦ ରନ୍ ପୂରଣ କରିଥିଲେ।
ସୂଚନାଯୋଗ୍ୟ, ପାକିସ୍ତାନ ଗତକାଲି ମ୍ୟାଚ୍ ଜିତିବା ସହିତ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ହରାଇ ସିରିଜ୍ ପୋଛି ନେଇଥିଲା। ଗତକାଲି ପାକିସ୍ତାନ ୨୦ ଓଭରରେ ୩ ୱିକେଟ୍ ହରାଇ ୧୬୬ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୧୬.୫ ଓଭରରେ ୧୧୯ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା।
from Odisha Reporter https://ift.tt/2JED0Tv
No comments:
Post a Comment