
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ନକ୍ସଲମାନେ ରକ୍ତର ହୋଲି ଖେଳିଛନ୍ତି। ନକ୍ସଲ ପ୍ରବଣ ଦାନ୍ତେୱାଡା ଜିଲ୍ଲା ବାଚେଲିରେ ଆଜି ମାଓବାଦୀମାନେ ପୁଣିଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ସିଆଇଏସ୍ଏଫ୍ ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟ ଦୁଇ ଜଣ ସିଆଇଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବାଚେଲି ସ୍ଥିତ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆସନ୍ତା ୧୨ ତାରିଖରେ ଏଠାରେ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ସ୍ଥାନରେ ସିଆଇଏସ୍ଏଫ୍ ଯବାନମାନେ ମୁତୟନ ହୋଇଥିଲେ। ତେବେ ଡ୍ୟୁଟି ସରିବା ପରେ କିଛି ଯବାନ କେରାଣ୍ଡୁଲ ଦାନ୍ତେୱାଡା ମାକେର୍ଟରୁ ସଉଦା ନେଇ ଏକ ବସ୍ରେ କ୍ୟାମ୍ପକୁ ଫେରୁଥିବା ବେଳେ ପୂର୍ବରୁ ବାଚେଲି ରାସ୍ତାରେ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସ୍ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଜଣେ ଯବାନଙ୍କ ସହିତ ବସ୍ର ଡ୍ରାଇଭର, କଣ୍ଡକ୍ଟର ଓ ଜଣେ କ୍ଲିନରଙ୍କ ମୃତ୍ୟୁ ଘଟିଥିବା ଦାନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲବ କହିଛନ୍ତି।
ଏହି ଘଟଣା ପୂର୍ବରୁ ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଯେଉଁଥିରେ ୪ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ସେହିପରି ଅକ୍ଟୋବର ୩୦ରେ ଦାନ୍ତେୱାଡାରେ ହୋଇଥିବା ଆମ୍ବୁସ୍ରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2Dsj1qX
No comments:
Post a Comment