
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “କ୍ରୀଡ଼ା ସଚିବ ବିଶାଲ ଦେବ ଭୁଲ୍ ମାଗନ୍ତୁ। ନହେଲେ ଆଗାମୀ ଦିନରେ ତାଙ୍କ ଘରେ ପଶି ପଣ୍ଡା ମାଡ଼ କରିବୁ।” ଆଜି ଏପରି ଚେତାବନୀ ଦେଇଛି ଯୁବ ଓ ଛାତ୍ର କଂଗ୍ରେସ।
କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ବଦଳି ପାଇଁ ଓ ଦୁର୍ବ୍ୟବହାର କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୁଲ୍ ମାଗିବା ଦାବିରେ ଆଜି ଭୁବନେଶ୍ୱରର ରୁପାଲି ଛକରେ ଏକତ୍ର ହୋଇଥିଲେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ। ପରେ ସେମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଶାଲ ଦେବାଙ୍କ କ୍ୱାର୍ଟର୍ସ ଘେରାଉ କରିବା ପାଇଁ ଯାଉଥିଲେ। ଏହିସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ୍ କର୍ମଚାରୀ ସେମାନଙ୍କୁ ଅଟକାଇଥିଲା। ଫଳରେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କହିବାକୁ ଗଲେ କିଛି ସମୟ ପାଇଁ ରୁପାଲି ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା।
ସେହିପରି ବିଶାଲ ଦେବଙ୍କ ବହିଷ୍କାର ଦାବିରେ ଚାନ୍ଦବାଲିରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ତହସିଲ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ବିଶାଲଙ୍କୁ ବହିଷ୍କାର କରିବା ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
କଂଗ୍ରେସ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ କହିଛନ୍ତି-“କ୍ରୀଡ଼ା ସଚିବ ବିଶାଲ ଦେବ ହକି ବିଶ୍ୱକପ୍ ପାଇଁ ଟିକେଟ୍ରେ ବ୍ୟାପକ ଅନିୟମିତତା କରିଛନ୍ତି। ଫଳରେ କ୍ରୀଡ଼ାପ୍ରେମୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ କରିବାରୁ ବିଶାଲ ଦେବ ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଛନ୍ତି। ସେ ଏପରି କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରିଛନ୍ତି। ଏପରି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ।”
ଓଟିଭି ପ୍ରତିନିଧିଙ୍କ ପ୍ରତି କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାକୁ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ନିନ୍ଦା କରିଛନ୍ତି। ଅମଲାଙ୍କ ବେଖାତିର ମନୋଭାବକୁ ବିରୋଧ କରିବା ପାଇଁ ସାମ୍ବାଦିକମାନଙ୍କୁ ଏକଜୁଟ ହେବାକୁ ସେ ଆହ୍ୱାନ କରିଛନ୍ତି।
ଗତକାଲି କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଚ୍ୟାମ୍ବରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଓଟିଭି ଟିମ୍ ଯାଇଥିଲା। ତେବେ କ୍ରୀଡ଼ା ସଚିବ ଓଟିଭି ପ୍ରତିନିଧିଙ୍କୁ ଚ୍ୟାମ୍ବର ଛାଡ଼ି ଚାଲିଯିବାକୁ କହିବା ସହିତ ବୁମ୍ ଠେଲି ଦେଇଥିଲେ। ଏହା ସହିତ ଓଟିଭି ପ୍ରତିନିଧି ଚ୍ୟାମ୍ବର ନଛାଡ଼ିଲା ପର୍ଯ୍ୟନ୍ତ କିଛି କହିବେ ନାହିଁ ବୋଲି କହିଥିଲେ।
ଆହୁରି ପଢ଼ନ୍ତୁ- କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ
from Odisha Reporter https://ift.tt/2DD1lrY
No comments:
Post a Comment