
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ଧାର ହୋଇସାରିଥିଲା। ବସ୍ ଜଗତପୁର ଅତିକ୍ରମ କରି ସାରିଥିଲା। ଆଉ କେଇ ମିନିଟ୍ ପରେ ଗନ୍ତବ୍ୟସ୍ଥଳ କଟକ ବସ୍ଷ୍ଟାଣ୍ଡରେ ପହଞ୍ଚି ଥାଆନ୍ତା। ତା’ ପୂର୍ବରୁ କିଏ ଶିଖରପୁରରେ ଓହ୍ଲାଇ ଥାଆନ୍ତା ତ କିଏ ଓଏମ୍ପିରେ। ଆଉ କେହି ଲିଙ୍କ୍ ରୋଡ୍ରେ ଓହ୍ଲାଇ ଭୁବନେଶ୍ୱର ପାଇଁ ବସ୍ ଧରି ଥାଆନ୍ତେ। ନିଜ ନିଜ ଷ୍ଟପେଜ୍ରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ସମସ୍ତ ଯାତ୍ରୀ। ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା।
ବସ୍ଟି ମହାନଦୀ ପୋଲ ଅତିକ୍ରମ କରୁଥିବା ବେଳେ ଏକ ମଇଁଷିକୁ ଧକ୍କା ଦେଇ ନଦୀ ମଧ୍ୟକୁ ଖସି ପଡ଼ିଥିଲା। ଭାଗ୍ୟ ଭଲ ବସ୍ଟି ଯେଉଁଠି ପଡ଼ିଲା ସେଠି ପାଣି ନଥିଲା। ହେଲେ ୩୦ ଫୁଟ୍ ଉଚ୍ଚରୁ ଦ୍ରୁତଗାମୀ ବସ୍ଟିଏ ତଳକୁ ପଡ଼ିଲେ ଅବସ୍ଥା କ’ଣ ହୋଇପାରେ, ତାହା ସମସ୍ତେ ଅନୁମାନ କରିପାରିବେ। ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅନ୍ଧାର ଯୋଗୁ ଓ ନଦୀର ଦୁଇ କଡ଼ରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ତେବେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଉଦ୍ଧାର କାର୍ଯ୍ୟ ସାରିବା ପାଇଁ ପ୍ରୟାସ କରାଯାଇଥିଲା।
ଗତକାଲି ଅନ୍ଧାର ଯୋଗୁ ଦୁର୍ଘଟଣାଗ୍ରସ୍ତ ବସ୍ଟି ଠିକ୍ ଭାବେ ଦେଖାଯାଉ ନଥିଲା। ତେଣୁ ଦୁର୍ଘଟଣାର ଭୟାବହତାକୁ କେବଳ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗା ଯାଇଥିଲା। ତେବେ ରାତି ପାହିବା କ୍ଷଣି ଚିତ୍ର ସ୍ପଷ୍ଟ ହୋଇଗଲା।
ମହାନଦୀ ପୋଲ ତଳେ ଦୁର୍ଘଟଣାଗ୍ରସ୍ତ ବସ୍କୁ ଦେଖିଲେ ଦେହ ଶୀତେଇ ଯିବ। ବସ୍ର ସମ୍ମୁଖ ଭାଗ ଆଉ କିଛି ନାହିଁ। ପୂରା ଚୂନା ହୋଇଯାଇଛି। ଆଗ ଚକ ଦୁଇଟି ପୂରା ଫାଟି ଯାଇଛି। ଏଣେତେଣେ ବିଛେଇ ହୋଇ ପଡ଼ିଛି ପାଣି ବୋତଲ। ବସ୍ ଭିତରେ ଓ ବାହରେ ପଡ଼ିଛି ଚପଲ। କେହି କେହି ଯାତ୍ରୀ ସାଙ୍ଗରେ ନେଇ ଆସୁଥିବା ଖାଦ୍ୟ ପୁଡ଼ିଆ ବି ପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ବସ୍କୁ ଦେଖିବା ପାଇଁ ଆଜି ମହାନଦୀ ପୋଲ ଉପରେ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମୁହଁରେ ଏକ ନିରାଶଭାବ ଛାଇ ରହିଥିଲା। ସମସ୍ତେ ବୋଧେ ଦୁର୍ଘଟଣାଗ୍ରସ୍ତ ବସ୍ଟିକୁ ଦେଖି ଅନୁମାନ ଲଗାଇବାକୁ ଚେଷ୍ଟା କରୁଥିଲେ, ଯେତେବେଳେ ତାହା ପୋଲ ତଳକୁ ପଡ଼ୁଥିବ, କ୍ଷଣିକ ପାଇଁ ହେଉ ପଛେ, ଯାତ୍ରୀଙ୍କ ମନରେ କି ପ୍ରକାର ଭୟ ଜାତ ହୋଇଥିବ। କାରଣ ଏସବୁ ଆଖି ପିଛୁଳାକେ ଘଟି ଯାଇଥିଲା। ଅଧିକ ସମୟ ଭୟଭୀତ ହୋଇ ରହିବାର ବେଳ ହିଁ ନଥିଲା।
ନିର୍ଜୀବ ବସ୍ଟି, ଯାହା ଗତକାଲି ପର୍ଯ୍ୟନ୍ତ ଘୁଁ ଘୁଁ ଗର୍ଜନ କରି ତାଳଚେରରୁ କଟକ ମଧ୍ୟରେ ଯାତାୟତ କରୁଥିଲା, ତାହା ଶବ୍ଦହୀନ ହୋଇ ପଡ଼ିରହିଛି ମହାନଦୀ ବାଲିରେ। ଆଉ ସେହିସବୁ ଘର କାନ୍ଦବୋବାଳିରେ ଫାଟି ପଡ଼ୁଛି, ଯାହାର ସଦସ୍ୟ ଗତକାଲି ଆଖି ବୁଜିଛନ୍ତି। କିଏ ଅଧ୍ୟାପକ ପୁଅ ହରାଇଛି ତ କିଏ ଇଞ୍ଜିନିୟରିଂ ପଢୁଥିବା ପୁଅକୁ ହରାଇଛି। ଅନ୍ୟପକ୍ଷରେ ଆଶା ଓ ଆଶଙ୍କାର ଭିତରେ କଟକ ବଡ଼ ମେଡିକାଲରେ ଅପେକ୍ଷା କରି ରହିଛନ୍ତି ସଙ୍କଟାପନ୍ନ ଅବସ୍ଥାରେ ଥିବା ସେହି ସାତଜଣ ଯାତ୍ରୀଙ୍କ ପରିବାର ଲୋକେ।
from Odisha Reporter https://ift.tt/2qZ6LWG
No comments:
Post a Comment