ବକ୍ସିଂ ଡେ’ ଟେଷ୍ଟ୍‌: ରାହୁଲ୍‌ ଓ ବିଜୟ ବାଦ୍‌, ନୂଆ ଓପନର୍‌ଙ୍କୁ ନେଇ ଖେଳିବ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ବକ୍ସିଂ ଡେ’ ଟେଷ୍ଟ୍‌: ରାହୁଲ୍‌ ଓ ବିଜୟ ବାଦ୍‌, ନୂଆ ଓପନର୍‌ଙ୍କୁ ନେଇ ଖେଳିବ ଟିମ୍‌ ଇଣ୍ଡିଆ

ମେଲବର୍ଣ: ବକ୍ସିଂ ଡେ’ରେ ଆରମ୍ଭ ହେଉଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆରୁ ଦୁଇ ନିୟମିତ ଓପନର୍‌ ମୁରଲୀ ବିଜୟ ଓ ଲୋକେଶ୍‌ ରାହୁଲ୍‌ ବାଦ୍‌ ପଡ଼ିଛନ୍ତି। ଗତ ୮ଟି ଇନିଂସ୍‌ରେ ଉଭୟଙ୍କ ବ୍ୟାଟ୍‌ରୁ ମାତ୍ର ୯୭ ରନ୍‌ ସଂଗ୍ରହ ହୋଇଥିବାରୁ ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ(ଏମ୍‌ସିଜି)ରେ ହେବାକୁ ଥିବା ସିରିଜ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଟିମ୍‌ ମ୍ୟାନେଜ୍‌ମେଣ୍ଟ୍‌ ଏହି ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ରାହୁଲ୍‌ ଓ ବିଜୟଙ୍କ ସ୍ଥାନରେ ନବାଗତ ମୟଙ୍କ ଅଗ୍ରୱାଲ୍‌ ଟେଷ୍ଟ୍‌ ପଦାର୍ପଣ କରିବେ ଏବଂ ତାଙ୍କ ସହ ଅନ୍ୟତମ ଯୁବ ତାରକା ହନୁମା ବିହାରୀ ବ୍ୟାଟିଂ ପଦୋନ୍ନତି ପାଇ ପାଳି ଆରମ୍ଭ କରିବେ।

ସେହିଭଳି ତୃତୀୟ ଟେଷ୍ଟ୍‌ ପାଇଁ ଆହତ ସମସ୍ୟାରୁ ମୁକୁଳି ରୋହିତ୍ ଶର୍ମା ଦଳକୁ ଫେରିଛନ୍ତି। ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍‌କୁ ଦୃଢ଼ତା ଓ ଗଭୀରତା ଦେବା ପାଇଁ ରୋହିତ୍ ମଧ୍ୟକ୍ରମ(୬ ନମ୍ବରରେ) ଖେଳିବେ। ତେବେ ପର୍ଥ ଟେଷ୍ଟ୍‌ ଖେଳିଥିବା ଦ୍ରୁତ୍ ବୋଲର୍‌ ଉମେଶ୍ ଯାଦବ୍‌ଙ୍କ ବଦଳରେ ରବିନ୍ଦ୍ରନ ଅଶ୍ୱିନ୍‌ ଫିଟ୍‌ ନ ଥିବାରୁ ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କୁ ଦଳୀୟ ଥିଙ୍କ୍‌ଟ୍ୟାଙ୍କ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ କରିଛି। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ଖେଳିବା ବିଳମ୍ବିତ ହୋଇଛି। ତୃତୀୟ ଟେଷ୍ଟ ଜିତିବା ପାଇଁ ଅଧିନାୟକ ବିରାଟ୍ କୋହଲି ସମ୍ଭବତଃ ବ୍ୟାଟିଂକୁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ଦେଇ ୪ ଜଣିଆ ବୋଲିଂ ଆକ୍ରମଣ ଉପରେ ଭରସା ରଖିଛନ୍ତି।

ଅନ୍ୟପକ୍ଷରେ ସିରିଜ୍‌ରେ ନିୟନ୍ତ୍ରଣ ପାଇଁ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଫଳାଫଳ ଆଶା ରଖିଥିବା ଘରୋଇ କଙ୍ଗାରୁ ଦଳ ଆଉଟ୍‌ ଅଫ୍ ଫର୍ମ ପିଟର୍‌ ହ୍ୟାଣ୍ଡସ୍କମ୍ବଙ୍କୁ ଚୂଡ଼ାନ୍ତ ଏକଦାଶରୁ ବାଦ୍ ଦେଇ ତାଙ୍କ ସ୍ଥାନରେ ମାର୍ଶ ଭ୍ରାତା ଅଲରାଉଣ୍ଡର୍‌ ମିସେଲ୍‌ ମାର୍ଶ୍‌ଙ୍କୁ ଡାକିଛି। ମଧ୍ୟକ୍ରମରେ ବ୍ୟାଟିଂ ଦୃଢ଼ତା ସାଙ୍ଗକୁ ମିସେଲ୍‌ଙ୍କ ଉପଯୋଗୀ ଦ୍ରୁତ ବୋଲିଂ ଦଳୀୟ ସନ୍ତୁଳନକୁ ଶିଖରରେ ରଖିବ। ତେବେ ଫର୍ମରେ ନ ଥିବା ଦିନିକିଆ ଓ ଟି-ଟ୍ୱେଣ୍ଟି ବିଶେଷଜ୍ଞ ତଥା ଓପନର୍‌ ଆରୋନ୍‌ ଫିଞ୍ଚ୍‌ଙ୍କ ଉପରେ ଅଷ୍ଟ୍ରେଲୀୟ ଟିମ୍ ମ୍ୟାନେଜ୍‌ମେଣ୍ଟ୍‌ ପୁନଃଭରସା ରଖିଛି।

ମେଲବର୍ଣ୍ଣର ପିଚ୍‌ରେ ପାରମ୍ପରିକ ନିର୍ଜୀବ ସ୍ୱଭାବ ବଦଳରେ ଏଥର ଘାସ ଥିବାରୁ ଏହା ପ୍ରଥମରୁ ଦ୍ରୁତ ବୋଲିଂକୁ ସହାୟକ ହେବା ଆଶା କରାଯାଉଛି। ତେବେ ବର୍ଡର୍-ଗାଭାସ୍କର ଟ୍ରଫି ବଜାୟ ରଖିବାକୁ ହେଲେ ବିରାଟ୍‌ କୋହଲିଙ୍କ ଟିମ୍ ଇଣ୍ଡିଆ ପର୍ଥ ଟେଷ୍ଟ୍‌ ପରାଜୟକୁ ମନରୁ କାଢ଼ି ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡ଼ିବ।

ଟିମ୍ ଇଣ୍ଡିଆ: ମୟଙ୍କ ଅଗ୍ରୱାଲ୍‌, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି(ଅ), ଅଜିଙ୍କ୍ୟ ରାହାଣେ, ରୋହିତ୍‌ ଶର୍ମା, ରିଷଭ ପନ୍ତ(ୱି), ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଯଶପ୍ରୀତ୍‌ ବୁମ୍ରା।   

ଟିମ୍‌ ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍‌, ମାର୍କସ୍‌ ହ୍ୟାରିସ୍‌, ଉସ୍‌ମାନ୍ ଖୱାଜା, ଶନ୍‌ ମାର୍ଶ, ଟ୍ରାଭିସ୍ ହେଡ୍‌, ମିସେଲ୍‌ ମାର୍ଶ, ଟିମ୍‌ ପେନ୍‌(ଅଧିନାୟକ,ୱିକେଟ କିପର), ପ୍ୟାଟ୍‌ କମିନ୍‌ସ୍‌, ମିସେଲ୍‌ ଷ୍ଟାର୍କ, ନେଥନ୍‌ ଲାୟନ୍‌, ଜୋଶ୍ ହେଜେଲ୍‌ଉଡ୍‌।

 



from Odisha Reporter http://bit.ly/2LB4871

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages