ଭୁଲ୍ ମାଗିଲେ, କିନ୍ତୁ ଏବେବି ଝୁଲୁଛି ଖଣ୍ଡା : ଚାଲିଯିବ କି ମହାରଥୀଙ୍କ ଚାକିରି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଭୁଲ୍ ମାଗିଲେ, କିନ୍ତୁ ଏବେବି ଝୁଲୁଛି ଖଣ୍ଡା : ଚାଲିଯିବ କି ମହାରଥୀଙ୍କ ଚାକିରି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣିଥରେ ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ମାମଲାରେ ଅଡୁଆରେ ଫସିଛନ୍ତି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ। କାଳେ ଆଉଥରେ ଅସମୟରେ ଚଉକୀଟି ହଠାତ୍ ବିନା-ନୋଟିସ୍‌ରେ ଚାଲିଯିବ, ସେଇ ଭୟରେ ମହାରଥୀ ତରବର ହୋଇ ନିଜର ‘ଅମାନିଆ ତୁଣ୍ଡ’ ପାଇଁ ଭୁଲ୍ ମାଗିଦେଇଛନ୍ତି। ରାଜନୈତିକ ବିଶ୍ଳେଷକ ଆକଳନ କରୁଛନ୍ତି, ଏହାପରେ ବି ମହାରଥୀଙ୍କ ମନ୍ତ୍ରିପଦ ବିପଦମୁକ୍ତ ନୁହେଁ।

ବେବିନା ମୃତ୍ୟୁ ମାମଲାରେ ପ୍ରମାଣ ଅଭାବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ୍ କରିବା ପରେ, ଗଣମାଧ୍ୟମରେ ମହାରଥୀ ଦେଇଥିବା ‘ବଙ୍କାତେଢ଼ା’ ପ୍ରତିକ୍ରିୟା ତାଙ୍କୁ ଯେ ଏମିତି ତତ୍‌କ୍ଷଣାତ ବିପଦ ଭିତରକୁ ଟାଣିନେବ, ଏ କଥା ସେ ନିଜେବି ଭାବିନଥିଲେ। ୨୦୧୨ରେ ସେଇ ବେବିନା ଘଟଣା ହିଁ ତାଙ୍କ ମନ୍ତ୍ରୀ ଚାକିରିଟି ନେଇଥିଲା। ତେଣୁ ‘ଯାହା ପୁଅକୁ ସାପ କାମୁଡ଼ିଛି ତା ମାଆ ପାଳ ଦଉଡ଼ି ଦେଖିଲେ ବି ଡରେ’ ନ୍ୟାୟରେ, ମନ୍ତ୍ରୀ ମହାରଥୀ ତରବର ହେଇ ଭୁଲ୍ ମାଗିଦେଲେ।

ଆଜି ତାଙ୍କ ବିରୋଧରେ କଂଗ୍ରେସ ଦଳର ମହିଳାମାନେ ହିଁ ପ୍ରଥମେ ପ୍ରଦର୍ଶନ କରିଥିଲେ। ମହାରଥୀଙ୍କ ଘର ଆଗରେ ଆଜି ସକାଳୁ ଯେଉଁ ସିନ୍ ସୃଷ୍ଟି ହୋଇଥିଲା, ତାହା ଆଗକୁ ‘ମହାନାଟକ’ରେ ପରିଣତ ହେବାର ଆଶଙ୍କାକୁ ଏଡ଼େଇ ଦିଆଯାଇ ନପାରେ। କାରଣ ଆଗକୁ ନିର୍ବାଚନ। ଏମିତିକା ଇସ୍ୟୁକୁ ବିରୋଧୀ କେବେବି ହାତଛଡ଼ା କରିବେନି।

ଏହିଭଳି ଘଟଣା ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କାର୍ଯ୍ୟାନୁଷ୍ଠାନ ରେକର୍ଡ’ ଯାହା କହୁଛି, ଭୁଲ୍ ମାଗିଥିଲେ ବି ମହାରଥୀଙ୍କ ମନ୍ତ୍ରିପଦ ସୁରକ୍ଷିତ ନୁହେଁ। ଏବେ ନିର୍ବାଚନ ତାତି ଆରମ୍ଭ ହୋଇଯାଇଥିବାରୁ ନବୀନ ତାଙ୍କ ଧୋବଲା କୁର୍ତ୍ତାରେ ବୁନ୍ଦେ ବି ଛିଟା ଲଗେଇବାକୁ ଚାହୁଁନାହାଁନ୍ତି। ବିରୋଧୀ ହୁଏତ ଏ କଥାବି ଉଠେଇ ପାରନ୍ତି, ବେବିନାଙ୍କ ବିଷୟରେ ଏମିତି ଫୁଲାଫାଙ୍କିଆ ମନୋଭାବ ରଖୁଥିବା ଜଣେ ମନ୍ତ୍ରୀଙ୍କୁ ଏବେବି ନବୀନ ନିଜ କୋଳରେ ପୂରେଇ କେମିତି ରଖିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ। ତେଣୁ ନବୀନ କେଉଁ ମୁହୂର୍ତ୍ତରେ ମହାରଥୀଙ୍କ ମନ୍ତ୍ରୀ ଚଉକି ‘ଡିଲିଟ୍’ କରିଦେବେ ତାହା କେହି କହିପାରିବେ ନାହିଁ।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ମହରଥୀ ମୋଟ ୬ଥର ପିପିଲିରୁ ବିଧାୟକ ହେଇଛନ୍ତି। ୧୯୮୫ରେ ଜନତା ପାର୍ଟିରୁ, ୧୯୯୦ରେ ଜନତା ଦଳରୁ, ଆଉ ୨୦୦୦ରୁ ଲଗାତାର ୪ଥର ବିଜୁ ଜନତା ଦଳରୁ ସେ ପିପିଲି ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିଆସିଛନ୍ତି।

ମହାରଥୀଙ୍କ ‘ବଦନାମିଆ ଚେହେରା’ ବି ଅନେକ। ୨୦୧୪ ନଭେମ୍ବର ମାସରେ ସେ ବିଧାନସଭା ଭିତରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ। ସେହିପରି ଗତବର୍ଷ ଏପ୍ରିଲ ମାସରେ ଚାଷୀ ଆତ୍ମହତ୍ୟା ସଂପର୍କରେ ହାଲୁକା ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ।



from Odisha Reporter http://bit.ly/2Q6hYz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages