
ଏଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ଦୃଢ଼ ସ୍ଥିତିରେ ରହିଛି ଭାରତ। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩୨୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୪ ୱିକେଟ୍ ହରାଇ ୧୦୪ ରନ୍ କରିଛି। ଆସନ୍ତାକାଲି ମ୍ୟାଚ୍ର ଅନ୍ତିମ ଦିନ। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଆହୁରି ୨୧୯ ରନ୍ ଦରକାର।
ଅନ୍ୟପକ୍ଷରେ ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ୬ଟି ୱିକେଟ୍ ନେବାକୁ ପଡ଼ିବ। ଏଣୁ କାଲି ମ୍ୟାଚ୍ ଆହୁରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଭାରତ ଆଜି ତାର ଦ୍ୱିତୀୟ ଇନିଂସ୍ରେ ୩୦୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ସହିତ କଙ୍ଗାରୁ ଦଳ ପାଇଁ ୩୨୩ ରନ୍ ବିଜୟ ଲକ୍ଷ୍ୟ ଛାଡ଼ିଥିଲା। କାରଣ ପ୍ରଥମ ଇନିଂସ୍ରେ ବିରାଟ ବାହିନୀ ୧୫ ରନ୍ର ଅଗ୍ରଣୀ ଲାଭ କରିଥିଲେ।
୩୨୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍କୁ ୧୧.୬ ଓଭରରେ ପ୍ରଥମ ଝଟକା ଲାଗିଥିଲା। ୧୧ ରନ୍ କରି ଓପନର୍ ଆରୋନ୍ ଫିଞ୍ଚ୍ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍ରେ ସେ ୱିକେଟ୍ କିପର ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସ୍ରେ ଖାତା ଖୋଲି ପାରି ନଥିବା ଫିଞ୍ଚ୍ ଏଥର ବି ଫେଲ୍ ମାରିଥିଲେ।
୧୬.୨ ଓଭରରେ ଘରୋଇ ଦଳକୁ ଦ୍ୱିତୀୟ ଝଟକା ଲାଗିଥିଲା ଯେତେବେଳେ ମାର୍କସ୍ ହ୍ୟାରିସ୍ ଆଉଟ୍ ହୋଇଥିଲେ। ସେ ୨୬ ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲ୍ରେ ୱିକେଟ୍ କିପର୍ ଋଷଭ ପନ୍ଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ ଉସ୍ମାନ୍ ଖ୍ୱାଜା ଓ ଶନ୍ ମାର୍ଶ ପାଳି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଏଥିରେ ମାର୍ଶ ସଫଳ ହୋଇଥିଲେ, କିନ୍ତୁ ଉସ୍ମାନ୍ ଫେଲ୍ ମାରିଥିଲେ। ୨୩.୩ ଓଭରରେ ସେ ଅଶ୍ୱିନ୍ଙ୍କ ଶିକାର ହୋଇଥିଲେ ଏବଂ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍କୁ ଲେଉଟି ଯାଇଥିଲେ।
ପିଟର ହ୍ୟାଣ୍ଡସ୍କମ୍ବ ବି ବିଶେଷ କିଛି କରି ପାରିଲେ ନାହିଁ। ୪୦ଟି ବଲ୍ ଖେଳି ୧୪ ରନ୍ କରି ସେ ଶାମିଙ୍କ ଶିକାର ହୋଇଥିଲେ।
ଶନ୍ ମାର୍ଶ ଓ ଟ୍ରାଭିସ୍ ହେଡ୍ କ୍ରିଜ୍ରେ ଅଛନ୍ତି। ସେମାନେ କାଲି ପାଳିକୁ ଆଗକୁ ନେବେ। ଟ୍ରାଭିସ୍ ହେଡ୍ ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ସର୍ବାଧିକ ୭୨ ରନ୍ କରିଥିଲେ। ତେଣୁ ତାଙ୍କ ୱିକେଟ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଶନ୍ ଓ ହେଡ୍ଙ୍କ ୱିକେଟ୍ ଭାରତୀୟ ବୋଲର ଯେତେ ଶୀଘ୍ର ନେବେ ସେତେ ଭଲ।
ଭାରତ ପକ୍ଷରୁ ଅଶ୍ୱିନ ଓ ଶାମି ଦୁଇଟି ଲେଖାଏ ୱିକେଟ୍ ନେଇଛନ୍ତି।
from Odisha Reporter https://ift.tt/2EdlDse
No comments:
Post a Comment