
ମେଲବର୍ଣ୍ଣ: କିଛି ସମୟ ପାଇଁ ବର୍ଷା ବାଧା ସାଜିଥିଲା, କିନ୍ତୁ ଭାରତର ବିଜୟ ରଥକୁ ଅଟକାଇ ପାରିଲା ନାହିଁ। ମ୍ୟାଚ୍ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଭାରତ କଙ୍ଗାରୁ ଟିମ୍ର ବାକି ଦୁଇଟି ୱିକେଟ୍ ନେଇ ମେଲବର୍ଣ୍ଣ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜିତି ଯାଇଛି। ଦଳ ଅଷ୍ଟ୍ରେଲିଆକୁ ୧୩୭ ରନ୍ରେ ପରାସ୍ତ କରିଛି। ଆଉ ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚ୍ରେ ୯ଟି ୱିକେଟ୍ ନେଇଥିବା ଯଶପ୍ରୀତ୍ ବୁମ୍ରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଛି।
୩୭ ବର୍ଷ ପରେ ଭାରତ ମେଲବର୍ଣ୍ଣରେ ଟେଷ୍ଟ୍ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୧୯୮୧ ମସିହାରେ ଭାରତ ଏଠାରେ ଜିତିଥିଲା। ସେହିପରି ଅଷ୍ଟ୍ରେଲିଆ ମାଟିରେ ଏହାକୁ ମିଶାଇ ଭାରତ ମୋଟ୍ ୭ଟି ଟେଷ୍ଟ୍ ମ୍ୟାଚ୍ରେ ବିଜୟୀ ହୋଇଛି।
ବର୍ଷା ଯୋଗୁ ଆଜି ପଞ୍ଚମ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆ ବିଜୟ ପାଇଁ ୧୪୧ ରନ୍ ଦରକାର କରୁଥିବା ବେଳେ ଭାରତ ମାତ୍ର ଦୁଇଟି ୱିକେଟ୍ ଆବଶ୍ୟକ କରୁଥିଲା।
ଗତକାଲି ୬୧ ରନ୍ କରି ଅପରାଜିତ ଥିବା ପ୍ୟାଟ୍ କମିନ୍ସ ଓ ୬ ରନ୍ କରି ଅପରାଜିତ ଥିବା ନେଥନ ଲିଅନ ଆଜି ଅସମାପ୍ତ ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଗତକାଲି ଭାରତର ବିଜୟରେ ବିଳମ୍ବ ଘଟାଇଥିବା କମିନ୍ସ ଆଜି ଆଉ ଅଧିକ ସମୟ ଧରି ବାଧା ଦେଇ ପାରି ନଥିଲେ। ଆଜି ମାତ୍ର ୧୧ଟି ବଲ୍ର ସମ୍ମୁଖୀନ ହେବାକୁ ସେ ସମର୍ଥ ହୋଇଥିଲେ। ୮୮.୨ ଓଭରରେ ଯଶପ୍ରୀତ୍ ବୁମ୍ରାଙ୍କ ଏକ ବଲ୍ରେ ସେ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୧୪ଟି ବଲ୍ରେ ୬୩ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ସେ ଆଉଟ୍ ହେବା ପରେ ନେଥନ ଲିଅନ ମଧ୍ୟ ଅଧିକ ସମୟ ରହିପାରି ନଥିଲେ। ୮୯.୩ ଓଭରରେ ସେ ଈଶାନ୍ତ ଶର୍ମାଙ୍କ ଶିକାର ହୋଇଥିଲେ। ୱିକେଟ୍ କିପର ଋଷଭ ପନ୍ତଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ଗତକାଲି ନେଥନ୍ ୬ ରନ୍ କରିଥିବା ବେଳେ ଆଜି ବ୍ୟକ୍ତିଗତ ଖାତାରେ ଆଉ କେବଳ ଗୋଟିଏ ରନ୍ ଯୋଡ଼ି ପାରିଥିଲେ।
ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଈଶାନ୍ତ ଶର୍ମା ଓ ମହମ୍ମଦ ଶାମୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
from Odisha Reporter http://bit.ly/2VpWb9o
No comments:
Post a Comment