
ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ୍ କ୍ରିକେଟ୍ ବିଜେତା ଭାରତୀୟ ଦଳର କୋଚ୍ ଗ୍ୟାରି କିର୍ଷ୍ଟେନ୍ ପୁଣି ଥରେ ଭାରତର କୋଚ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଏଥର ମହିଳା କ୍ରିକେଟ୍ ଦଳକୁ ଏହି ସୁଯୋଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୧ ମସିହାରେ ଭାରତ ଦ୍ୱିତୀୟ ଥରପାଇଁ ବିଶ୍ୱକପ୍ ଜିତିଥିବା ସମୟରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଥିଲେ ଏବଂ ଗ୍ୟାରୀ ଥିଲେ କୋଚ୍।
ସେ ବର୍ତ୍ତମାନ ମହିଳା କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ନବେ ଦଶକରେ ଦକ୍ଷିର ଆଫ୍ରିକା ପାଇଁ ଅନେକ ସଫଳ ଇନିଂସ୍ ଖେଳି ୧୪ ହଜାର ରନ୍ କରିପାରିଥିଲେ। ଏଥିରେ ୩୪ଟି ଶତକ ମଧ୍ୟ ସାମିଲ୍ ରହିଛି। ତାଙ୍କର ଅନୁଭୂତି ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ବେଶ୍ ଉପାଦେୟ ହେବ କୁହାଯାଉଛି।
ସୂଚନାଯୋଗ୍ୟ ଯେ, ମହିଳା କ୍ରିକେଟ୍ ଟି୨୦ ବିଶ୍ୱକପ୍ର ସେମିଫାଇନାଲ୍ ମ୍ୟାଚ୍ରେ ବରିଷ୍ଠ ଖେଳାଳି ମିତାଲି ରାଜ୍ଙ୍କୁ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚରୁ ବାଦ୍ ଦିଆଯିବାପରେ ଭାରତର ଶୋଚନୀୟ ପରାଜୟ ଘଟିଥିଲା। ଏହା ପଛରେ କୋଚ୍ ରମେଶ ପାୱାର୍ଙ୍କ ହାତ ଥିବା ଚର୍ଚ୍ଚା ହେବାପରେ ବିବାଦ ଜୋର ଧରିଥିଲା। ସେ ଅଧିନାୟକ ହରମନ୍ପ୍ରୀତ୍ କୌର ଏବଂ ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ସମର୍ଥନ ଯୋଗାଉଥିବାର ଅଭିଯୋଗ ଆସିବାପରେ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କର ଚୁକ୍ତି ମିଆଦ ସରିବା ପରେ ନୂତନ କୋଚ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ପାୱାର ପୁଣିଥରେ ଆବେଦନ କରିପାରିବେ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଗ୍ୟାରୀଙ୍କ ଆବେଦନକୁ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସକାରାତ୍ମକ ସୂଚନା ଦିଆଯାଇଛି।
from Odisha Reporter https://ift.tt/2CfSWdb
No comments:
Post a Comment