
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଲରାଉଣ୍ଡର ସୂର୍ଯ୍ୟକାନ୍ତ ପ୍ରଧାନ ଓ ଓପନର୍ ଅନୁରାଗ ଷଡ଼ଙ୍ଗୀଙ୍କ ଲଢ଼ୁଆ ଅର୍ଦ୍ଧଶତକକୁ ଆଧାର କରି ଝାରଖଣ୍ଡ ବିପକ୍ଷରେ ଓଡ଼ିଶା ପ୍ରଥମ ଇନିଂସ୍ରେ ଗୁରୁତ୍ୱପୂର୍ଣ୍ଣ ୨୯ର ଅଗ୍ରଣୀ ହାସଲ କରିଛି। ଝାରଖଣ୍ଡ ପ୍ରଥମ ଇନିଂସ୍ରେ ୧୭୧ ରନ୍ କରିଥିବା ବେଳେ ଓଡ଼ିଶା ୨୦୧ରେ ଅଲଆଉଟ୍ ହୋଇଯାଇଛି।
ଏହାର ଜବାବରେ ଝାରଖଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସ୍ରେ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି। ଫଳରେ ଦଳ ୭୮ ରନ୍ର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ସୌରଭ ତିୱାରୀ ୨୨ ଓ ଇଶାଙ୍କ ଜାଗି ୨୯ ରନ୍ କରି ଅପରାଜିତ ରହିଥିଲେ।
ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଦୁଇଟି ୱିକେଟ୍ ନେଇଥିବା ବେଳେ ଧୀରଜ ସିଂହ ଗୋଟିଏ ୱିକେଟ୍ ପାଇଛନ୍ତି।
ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ଗତକାଲିର ୨୭ ରନ୍ରୁ ଇନିଂସ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ବିପ୍ଲବ ସାମନ୍ତ ରାୟ ଓ ଅନୁରାଗ ଷଡ଼ଙ୍ଗୀ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ତେବେ ଦଳୀୟ ସ୍କୋର ୫୭ ଥିବା ବେଳେ ୨୭ ରନ୍ କରିଥିବା ବିପ୍ଳବ ଝାରଖଣ୍ଡର ଆଶିଷ କୁମାରଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହାପରେ ଅଭିଷେକ ରାଉତ ଅପରାଜିତ ଅନୁରାଗଙ୍କ ସହ ମିଶି ରନ୍ ଗତିକୁ ବଢ଼ାଇଥିଲେ। ଇତି ମଧ୍ୟରେ ଅନୁରାଗ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅଭିଷେକ ୩୭ ରନ୍ କରି ରାହୁଲ ଶୁକ୍ଳାଙ୍କ ବଲ୍ରେ ଆଉଟ୍ ହୋଇଯାଇଥିଲେ।
ସୁଜିତ ଲେଙ୍କା ମାତ୍ର ୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅନୁରାଗ ମଧ୍ୟ ଦଳୀୟ ସ୍କୋର ୧୭୬ ଥିବା ବେଳେ ବ୍ୟକ୍ତିଗତ ୫୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଗୋଟିଏ ପଟେ ୱିକେଟ୍ ଖସୁଥିଲେ ହେଁ ସୂର୍ଯ୍ୟକାନ୍ତ ପ୍ରଧାନ ଚତାକର୍ଷକ ଶଟ୍ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୪ ରନ୍ କରି ଶେଷ ବ୍ୟାଟସ୍ମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ।
ଝାରଖଣ୍ଡ ପକ୍ଷରୁ ରାହୁଲ ଶୁକ୍ଳା, ବରୁଣ ଅରୁନ, ରାହୁଲ ପ୍ରସାଦ ଓ ଅଙ୍କୁଲ ରୟ ୨ଟି ଲେଖାଏ ୱିକେଟ୍ ପାଇଥିବା ବେଳେ ଆଶିଷ କୁମାର ଗୋଟିଏ ୱିକେଟ୍ ପାଇଥିଲେ।
ଝାରଖଣ୍ଡ ଦ୍ୱିତୀୟ ଇନିଂସ୍ରେ ଜବରଦସ୍ତ ଆରମ୍ଭ କରିଥିଲେ। କୁମାର ଦେଓବ୍ରତ ଓ ନଜିମ ସିଦ୍ଦିକ୍ ପ୍ରଥମ ୱିକେଟ୍ ପାଇଁ ୫୩ ରନ୍ର ଭାଗୀଦାରି କରିଥିଲେ। ତେବେ ନଜିମ(୧୬)ଙ୍କୁ ରାଜେଶ ମହାନ୍ତି ଆଉଟ୍ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ୩ ରନ୍ କରିଥିବା ଉତ୍କର୍ଷ ସିଂହଙ୍କୁ ଧୀରଜ ଆଉଟ୍ କରିଥିଲେ। ଦଳୀୟ ସ୍କୋର ୫୮ ଥିବା ବେଳେ ୩୭ ରନ୍ କରିଥିବା କୁମାରଙ୍କୁ ରାଜେଶ ମହାନ୍ତ ଆଉଟ୍ କରି ନିଜର ଦ୍ୱିତୀୟ ୱିକେଟ୍ ପାଇଥିଲେ। କିନ୍ତୁ ୪ର୍ଥ ୱିକେଟ୍ ପାଇଁ ସୌରଭ ତିୱାରୀ ଏବଂ ଇଶାଙ୍କ ଜାଗି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶା ବୋଲରଙ୍କୁ ଆଉ କୌଣସି କ୍ଷତି ଘଟାଇବାକୁ ସୁଯୋଗ ଦେଇ ନଥିଲେ।
from Odisha Reporter https://ift.tt/2rrVSgi
No comments:
Post a Comment