
ରାଇରଙ୍ଗପୁର (ରାଜେଶ କୁମା ଶର୍ମା): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗାଁ ନିକଟରେ ଏନ୍ଏଚ୍-୨୨୦ କଡ଼ରେ ଜଣେ ଯୁବକଙ୍କୁ ମାରି ପୋଡ଼ି ଦେବା ଘଟଣାର ପର୍ଦ୍ଦାଫାଶ୍ କରିଛି ପୁଲିସ୍। ମୃତକଙ୍କ ପରିଚୟ ମିଳିଥିବା ବେଳେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।
ମୃତ ଯୁବକଙ୍କ ନାଁ କୃଷ୍ଣା ଦାସ (୨୭)। ତାଙ୍କ ଘର ଝରଖଣ୍ଡର ଜାମେସେଦପୁରର ଆଦିତ୍ୟପୁର ଥାନା ଅନ୍ତର୍ଗତ ଦିନ୍ଦଲୀ ବସ୍ତିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କର ଚାରି ଜଣ ପଡ଼ୋଶୀ ଯୁବକ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଗତ ୯ ତାରିଖରେ ରାତିରେ କୃଷ୍ଣାଙ୍କୁ ଅପହରଣ କରିଥିଲେ। ସେମାନେ ତାଙ୍କୁ ଜାମ୍ସେଦପୁରରୁ ରାଇରଙ୍ଗପୁର ଆଣିବା ବାଟରେ ପଥରରେ ଛେଚି ହତ୍ୟା କରିଥିଲେ। ଏହା ପରେ ରାତି ପ୍ରାୟ ୩ଟା ୩୦ ବେଳେ ଦାଣ୍ଡବୋଷ ଗାଁରେ ଜାତୀୟ ରାଜପଥ କଡ଼ରେ ଅମଳ ହେବାକୁ ଥିବା ଏକ ଧାନ ବିଡ଼ା ଗଦାରେ କୃଷ୍ଣାଙ୍କ ମୃତଦେହ ରଖି ପୋଡ଼ି ଦେଇଥିଲେ।
ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ଦାସକୁ ପୁଲିସ୍ ଗିରଫ କରିଛି। ସେ ଏ ହତ୍ୟାକାଣ୍ଡ ଭିଆଇଥିବା ନେଇ ପୁଲିସ୍ ଆଗରେ ସ୍ୱୀକାର କରିଛି। ପୁଲିସ୍ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୋଜୁଛି।
ମୃତ କୃଷ୍ଣା ଦାସ ଦୁଇ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇ ମାସର ଏକ ଝିଅ ଅଛି। ସେ ଜାମ୍ସାଦପୁରରେ ଅଟୋ ଚଲାଇ ପରିବାର ଚଳାଉଥିଲେ।
from Odisha Reporter https://ift.tt/2SLXMUN
No comments:
Post a Comment