
ଲକ୍ଷ୍ନୌ: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନରେ ଚେକ୍ ଦେବାକୁ କଂଗ୍ରେସ ଚେଷ୍ଟା କରୁଥିଲେ ହେଁ ଦଳକୁ ଜବରଦସ୍ତ ଝଟ୍କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ସବୁଠାରୁ ଅଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ(ୟୁପି)ରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବା ଛଡ଼ା ଆଉ କିଛି ଉପାୟ ନଥିବା ଏବେ ସ୍ପଷ୍ଟ ହେବାରେ ଲାଗିଛି। କାରଣ ୟୁପିରେ ପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦ ପାର୍ଟି ଏବଂ ମାୟାବତୀଙ୍କ ବିଏସ୍ପି ସହ ମେଣ୍ଟ କରିବାକୁ ଗୋଡ଼ ଟେକି ବସିଥିବା କଂଗ୍ରେସ ପାଇଁ ଏବେ ଏହା ଅସମ୍ଭବ ମନେ ହେଉଛି।
କଂଗ୍ରେସକୁ ୟୁପି ମହାମେଣ୍ଟରେ ସାମିଲ କରାଯିବ ନାହିଁ ବୋଲି ଖୋଦ୍ ଅଖିଲେଶ ଯାଦବ କହିଛନ୍ତି। ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟିର ଜଣେ ମାତ୍ର ପ୍ରାର୍ଥୀ ଜିତିଥିଲେ। କିନ୍ତୁ ତାଙ୍କ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମିଳିନାହିଁ। ଏହି କାରଣ ଯୋଗୁ ଅଖିଲେଶ ଯାଦବ କଂଗ୍ରେସ ଉପରେ କ୍ଷୁବ୍ଧ ହୋଇଛନ୍ତି।
ଅଖିଲେଶ କହିଛନ୍ତି, “ସମାଜବାଦୀର ସମର୍ଥନ ଯୋଗୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କ୍ରସ କରିଥିଲା। କିନ୍ତୁ କମଲନାଥଙ୍କ ସରକାରରେ ସମାଜବାଦୀ ପାର୍ଟିର ବିଧାୟକ ସ୍ଥାନ ପାଇଲେ ନାହିଁ। କଂଗ୍ରେସ ସରକାର ଆମ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇଥିବାରୁ ଧନ୍ୟବାଦ। ଏପରି କରି କଂଗ୍ରେସ ଆମ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରି ଦେଇଛି। ଏବେ କ’ଣ ହେବ କେବଳ କଂଗ୍ରେସ ଦେଖିବ।”
ଏହାପୂର୍ବରୁ ମଧ୍ୟ ଅଖିଲେଶ ଯାଦବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ହାତ ମିଳାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ।
from Odisha Reporter http://bit.ly/2V9RL6g
No comments:
Post a Comment